ପୁରୀ ଅଫିସ,୨।୯: ୮୭ ବର୍ଗ କିଲୋମିଟର ପରିବ୍ୟାପ୍ତ ବାଲୁଖଣ୍ଡ ଅଭୟାରଣ୍ୟ ପୁରୀ ବେଳାଭୂମିକୁ ଲାଗି ରହିଛି। ଏହାକୁ ନେଇ ଗଢ଼ିଉଠିଛି ଉପକୂଳ ନିୟନ୍ତ୍ରିତ ଅଞ୍ଚଳ। ଜୈବ ବିବିଧତାରେ ପରିପୂର୍ଣ୍ଣ ବାଲୁଖଣ୍ଡ ଅଭୟାରଣ୍ୟ ସମେତ ଏହି ଉପକୂଳ ନିୟନ୍ତ୍ରଣ ଅଞ୍ଚଳର ସୁରକ୍ଷା ଲାଗି ବନ ବିଭାଗ ଆବଶ୍ୟକ ପଦକ୍ଷେପ ନେଉନାହିଁ। ଫନୀରେ ବାଲୁଖଣ୍ଡ ଅଭୟାରଣ୍ୟ ଧ୍ୱଂସପ୍ରାୟ ସ୍ଥିତିରେ ପହଞ୍ଚିଥିଲା। ସଂପ୍ରତି ଏହା କ୍ରମଶଃ ଜବରଦଖଲ ହେବାରେ ଲାଗିଛି। ଫଳରେ ଅଭୟାରଣ୍ୟ ସଙ୍କୁଚିତ ହେବାର ଆଶଙ୍କା ବଢ଼ିଛି। ସଦ୍ୟ ପ୍ରକାଶିତ କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ ଅଫ୍ ଇଣ୍ଡିଆ (ସିଏଜି)ଙ୍କ ରିପୋର୍ଟ ଅନୁଯାୟୀ, ଉପକୂଳ ନିୟନ୍ତ୍ରଣ ଅଞ୍ଚଳକୁ ସୁରକ୍ଷା ଦେବାରେ ପ୍ରଶାସନ ବିଫଳ ହୋଇଛି। ଏପରି କି ସରକାର ନିଜେ ବାଲୁଖଣ୍ଡ ଅଭୟାରଣ୍ୟ ମଧ୍ୟରେ କୋଠା ନିର୍ମାଣ କରି ଏହାକୁ ସଙ୍କୁଚିତ କରିବାରେ ଲାଗିଛନ୍ତି। ବାଲୁଖଣ୍ଡ ଅଭୟାରଣ୍ୟର ସୀମା ମଧ୍ୟରେ ପୁରୀ ଜିଲା କାରାଗାର ନିର୍ମାଣ ହୋଇଛି। ସମ୍ପୃକ୍ତ ଅଞ୍ଚଳ ଅଲିଭ ରିଡ୍ଲେଙ୍କ ନେଷ୍ଟିଂ ସାଇଟ୍ ଭାବେ ଚିହ୍ନିତ। ସାମୁଦ୍ରିକ ଜୀବଙ୍କ ସୁରକ୍ଷାକୁ ବାଜିରେ ଲଗାଇ ପ୍ରଶାସନ ସେଠାରେ କୋଠା ନିର୍ମାଣ କରିବାକୁ କିପରି ନିଷ୍ପତ୍ତି ନେଲା ସେନେଇ ପରିବେଶବିତ୍ମାନେ ପ୍ରଶ୍ନ ଉଠାଇଛନ୍ତି।
ସିଏଜି ରିପୋର୍ଟ ତଥ୍ୟରେ ଦର୍ଶାଯାଇଛି ଯେ, ରାଜ୍ୟସ୍ତରରେ କୋଷ୍ଟାଲ୍ ଜୋନ୍ ମ୍ୟାନେଜମେଣ୍ଟ ଅଥରିଟି କାର୍ଯ୍ୟକ୍ଷମ ଥିବାବେଳେ ଜିଲାସ୍ତରରେ ଜିଲାସ୍ତରୀୟ କମିଟିମାନ ମଧ୍ୟ ରହିଛି। ଉଭୟ ରାଜ୍ୟ ଓ ଜିଲା କର୍ତ୍ତୃପକ୍ଷ ମିଳିତ ଭାବେ ଉପକୂଳ ଅଞ୍ଚଳର ସୁରକ୍ଷା ସ୍ଥିତି ଯାଞ୍ଚ କରିବାର ଆବଶ୍ୟକତା ଥିଲେ ମଧ୍ୟ ଠିକ ଭାବେ ତାହା କାର୍ଯ୍ୟକାରୀ କରାଯାଉନାହିଁ। ଫଳରେ ଉଭୟ ସରକାରୀ ଓ ଘରୋଇ ଜବରଦଖଲ ବଢ଼ିବାରେ ଲାଗିଛି। ବନ୍ୟଜନ୍ତୁ ସଂରକ୍ଷଣ ଆଇନ ପ୍ରଭାବିତ ହେଉଛି। ସେହିଭଳି ଜିଲାରେ ଉପକୂଳ ନିୟନ୍ତ୍ରିତ ଅଞ୍ଚଳର ସୁରକ୍ଷା ପାଇଁ ଥିବା କମିଟି କାର୍ଯ୍ୟକ୍ଷମ ହୋଇନାହିଁ। ବନ୍ୟଜନ୍ତୁ ପ୍ରଭାବିତ ହେଉଥିବା ସତ୍ତ୍ୱେ ପ୍ରଶାସନ ଆଇନକୁ ଉଲ୍ଲଂଘନ କରି କୋଠା ନିର୍ମାଣ କରିବାରେ ଲାଗିଛି। ସେହିଭଳି ପ୍ରସ୍ତାବିତ ଶ୍ରୀଜଗନ୍ନାଥ ବିମାନବନ୍ଦର ମଧ୍ୟ ପୁରୀ ବେଳାଭୂମିର ଉପକୂଳ ନିୟନ୍ତ୍ରିତ ଅଞ୍ଚଳ ମଧ୍ୟରେ ଆସୁଛି। ଆଇନଜୀବୀ ଚିନ୍ମୟ ଦାଶ କହିଛନ୍ତି, ପୁରୀ କାରାଗାର ହୋଇଥିବା ସ୍ଥାନ ଅଲିଭ ରିଡ୍ଲେଙ୍କ ଅଣ୍ଡା ଦେବା ସ୍ଥଳ ହୋଇଥିବାରୁ ପ୍ରଶାସନ ଏଭଳି ନିଷ୍ପତ୍ତି ନେବା ପୂର୍ବରୁ ଚିନ୍ତା କରିବା ଆବଶ୍ୟକ ଥିଲା। ଅନ୍ୟପକ୍ଷରେ ଜିଲା ବନ ଅଧିକାରୀ ରାମସ୍ବାମୀ କହିଛନ୍ତି, ଅଲିଭ ରିଡ୍ଲେ ଅଣ୍ଡା ଦେବା ସମୟ ପାଖେଇ ଆସୁଥିବାରୁ ଅଭୟାରଣ୍ୟ ସଂଶ୍ଳିଷ୍ଟ ବେଳାଭୂମିରେ ବନବିଭାଗ ପକ୍ଷରୁ କ୍ୟାମ୍ପ କରାଯିବ। ଶୀତଋତୁ ପାଖେଇ ଆସୁଥିବାରୁ ଅଲିଭ ରିଡ୍ଲେଙ୍କ ପ୍ରଜନନ ସମୟ ନିକଟତର ହେଲାଣି। ଏଭଳି ସ୍ଥଳେ ଅଲିଭ ରିଡ୍ଲେଙ୍କ ସୁରକ୍ଷା ଓ ପ୍ରଜନନ ପ୍ରକ୍ରିୟାର ସଫଳ ପରିଚାଳନା ଉପରେ ବିଭାଗ ଧ୍ୟାନ ଦେଉଛି। ତେବେ ପୁରୀ ଜିଲାର ଉପକୂଳ ନିୟନ୍ତ୍ରିତ ଅଞ୍ଚଳ ଜବରଦଖଲ ହୋଇଥିବା ନେଇ କୌଣସି ସୂଚନା ଏପର୍ଯ୍ୟନ୍ତ ଆମ ପାଖରେ ନାହିଁ। ଏନେଇ ତଦନ୍ତ କରାଯିବ। ସେହିପରି ପରିବେଶବିତ୍ ହେକ୍ଟର ମିଶ୍ର କହିଛନ୍ତି, ନିୟନ୍ତ୍ରିତ ଅଞ୍ଚଳରେ ସାଧାରଣତଃ ୩ ପ୍ରକାରର ଆଇନ ଉଲ୍ଲଂଘନ ହୋଇଥାଏ। ପ୍ରଥମତଃ ଜନବସତି ନିର୍ମାଣ ଉଦ୍ଦେଶ୍ୟରେ ସମୁଦ୍ରକୁ ପୋତାଯାଇ କୋଠାବାଡ଼ି କିମ୍ବା କୌଣସି ଭିତ୍ତିଭୂମି ନିର୍ମାଣ କରାଗଲେ ଏହାକୁ ସିଆର୍ଜେଡ୍-୧ ବୋଲି କୁହାଯାଏ। ଦ୍ୱିତୀୟରେ ସମୁଦ୍ରର ୫ଶହ ମିଟର ଦୂରତା ମଧ୍ୟରେ କୌଣସି କୋଠାବାଡ଼ି ନିର୍ମାଣ ହେଲେ ଏଥିପାଇଁ ଉପକୂଳ ନିୟନ୍ତ୍ରିତ ଅଞ୍ଚଳର କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ନେବା ଦରକାର, ନଚେତ୍ ଏହାକୁ ବେଆଇନ ବୋଲି ଗ୍ରହଣ କରାଯିବ। ଏହାକୁ ସିଆରଜେଡ୍-୨ କୁହାଯାଏ। ସେହିପରି ତୃତୀୟରେ ସମୁଦ୍ରକୁ ଯାତାୟାତ କରିବା ପାଇଁ ଥିବା ରାସ୍ତାକୁ କେହି ଅବରୋଧ କଲେ ତାହାକୁ ନିୟମ ଉଲ୍ଲଂଘନ ଭାବେ ବିବେଚନା କରାଯାଏ। ଏହାକୁ ସିଆରଜେଡ୍-୩ କୁହାଯାଏ। ଏହା ବ୍ୟତୀତ ବନ୍ୟଜନ୍ତୁଙ୍କ ସଂରକ୍ଷଣ ଉଦ୍ଦେଶ୍ୟରେ ଚିହ୍ନଟ ହୋଇଥିବା ଅଞ୍ଚଳରେ କୌଣସି ପ୍ରକାର ନିର୍ମାଣ ନିମନ୍ତେ ମଧ୍ୟ ଅନୁମତି ଆବଶ୍ୟକ ବୋଲି ମିଶ୍ର ମତ ଦେଇଛନ୍ତି।