ଢେଙ୍କାନାଳ ଅଫିସ, ୧୪।୭ – ରାଜ୍ୟର ସମୃଦ୍ଧ ମନ୍ଦିର ପର୍ଯ୍ୟଟନ (ଟେମ୍ପଲ ଟୁରିଜମ୍)କୁ ନେଇ ରହିଛି ଅନେକ ସମ୍ଭାବନା। କୋଭିଡ୍ ମହାମାରୀ ସମୟରେ ବିପର୍ଯ୍ୟସ୍ତ ଅର୍ଥନୀତିକୁ ବାଟକୁ ଆଣିବାକୁ ପର୍ଯ୍ୟଟନ ଶିଳ୍ପ ପ୍ରମୁଖ ବିକଳ୍ପ ଭାବେ ଉଭା ହୋଇଛି। ତେଣୁ ପ୍ରାଚୀନ ମନ୍ଦିର, ଐତିହାସିକ କୀର୍ତ୍ତିରାଜିର ସୁରକ୍ଷା, ସଂରକ୍ଷଣ ଏବଂ ଏହାର ନବକଳେବର ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର। ପର୍ଯ୍ୟଟକ ଅନୁକୂଳ ବାତାବରଣ ସୃଷ୍ଟି କରିବାକୁ ଏ ଦିଗରେ ବିପୁଳ ଅର୍ଥ ମଧ୍ୟ ଖର୍ଚ୍ଚ ହେଉଛି। ତେବେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏଭଳି ଅନେକ ପ୍ରାଚୀନ କୀର୍ତ୍ତିରାଜି ଇତିହାସ ପାଲଟିଯିବାକୁ ବସିଛି। ଢେଙ୍କାନାଳର ଆରାଧ୍ୟଦେବତା ତଥା ପୁରାଣପ୍ରସିଦ୍ଧ ଶ୍ରୀ ବଳରାମ ମହାପ୍ରଭୁଙ୍କ ମନ୍ଦିର ବେଢ଼ାରେ ଥିବା ୧୦୦ ବର୍ଷ ପୁରୁଣା ଜଗନ୍ନାଥ ମନ୍ଦିର ଏହାର ଏକ ଉଦାହରଣ।
ଐତିହ୍ୟ, ପରମ୍ପରା ଏବଂ ପର୍ଯ୍ୟଟନକୁ ନେଇ ସମୃଦ୍ଧ ଢେଙ୍କାନାଳ ଜିଲାର ଅନ୍ୟତମ ପରିଚୟ ହେଉଛନ୍ତି ମହାପ୍ରଭୁ ବଳରାମ। ମହାପ୍ରଭୁ ଶ୍ରୀକୃଷ୍ଣ, ରୁକ୍ମିଣୀ, ଲକ୍ଷ୍ମୀ ମଧ୍ୟ ଏଠାରେ ପାର୍ଶ୍ୱ ବିଗ୍ରହ ଭାବେ ପୂଜା ପାଉଛନ୍ତି। ଏଠାରେ ପୂଜା ପାଉଥିବା ମୁଖ୍ୟ ଦେବତା ଶ୍ରୀବଳରାମ ହେଉଛନ୍ତି ପାଷାଣ ବିଗ୍ରହ। ଦ୍ୱାପର ଯୁଗର ପୌରାଣିକ କାହାଣୀ ଆଧାରରେ ମୁଖ୍ୟପୀଠରେ ସମସ୍ତ ନୀତିକାନ୍ତି ପାଳିତ ହେଉଛି। ୧୦୦ ବର୍ଷ ତଳେ ବଳରାମ ମନ୍ଦିର ପରିସରରେ ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ନ ଥିଲା। ସେହି ସମୟରେ ରାଜବାଟୀରେ ପୂଜା ପାଉଥିବା ବିଗ୍ରହଙ୍କୁ ନେଇ ଆୟୋଜିତ ହେଉଥିଲା ରଥଯାତ୍ରା। ମହାରାଜା ସୁରପ୍ରତାପଙ୍କ ଶାସନ କାଳରେ ବଳରାମ ମନ୍ଦିର ପରିସରରେ ଜଗନ୍ନାଥ ମନ୍ଦିର ନିର୍ମାଣ କରାଯାଇ ମହାବାହୁଙ୍କ ପୂଜା ଆରମ୍ଭ ହୋଇଥିବା ଗବେଷକମାନେ ମତ ଦିଅନ୍ତି। ଏହାପରେ ଦୁଇଟି ରଥ ନିର୍ମାଣ କରାଯାଇଥିଲା। ବଡ଼ରଥରେ ବଳରାମ ମନ୍ଦିରରେ ପୂଜା ପାଉଥିବା ଜଗନ୍ନାଥ ଏବଂ ସାନରଥରେ ରାଜବାଟୀରେ ପୂଜିତ ବିଗ୍ରହ ଆସୀନ ହୋଇ ମାଉସୀ ମା’ ମନ୍ଦିରକୁ ଯାଉଛନ୍ତି। ତେବେ ଦୀର୍ଘଦିନ ଧରି ମରାମତି କରାଯାଉ ନ ଥିବାରୁ ଜଗନ୍ନାଥ ମନ୍ଦିର ଅବହେଳିତ ହୋଇପଡ଼ିଛି। ବର୍ଷାଦିନେ ପାଣି ଗଳୁଛି। ମନ୍ଦିରରେ ଶିଉଳି ମାଡ଼ିଯାଇଥିବାବେଳେ ଗଛଲତା ଉଠିଲାଣି। ମନ୍ଦିର ଚୂଡ଼ା ଅବକ୍ଷୟ ହୋଇ ନଷ୍ଟ ହେବାକୁ ବସିଲାଣି। ଏପରି କି ସାମାନ୍ୟ ଚୂନ ଧଉଳା ମଧ୍ୟ ହେଉନାହିଁ। ବାରମ୍ବାର ଦେବୋତ୍ତର ବିଭାଗର ଦୃଷ୍ଟି ଆକର୍ଷଣ କରାଯିବା ସତ୍ତ୍ୱେ ଏହାର ମରାମତି ଦିଗରେ କୌଣସି ପଦକ୍ଷେପ ନିଆଯାଉନାହିଁ। ବୁଦ୍ଧିଜୀବୀ ମହଲରେ ଦାବି ପରେ ଶ୍ରୀ ବଳରାମ ମହାପ୍ରଭୁଙ୍କ ମନ୍ଦିରକୁ କିଛିବର୍ଷ ତଳେ ନୂଆ ଚୂନ ଲାଗି କରାଯାଇଛି। ହେଲେ ଜଗନ୍ନାଥ ମନ୍ଦିର ପ୍ରତି କାହାରି ଦୃଷ୍ଟି ପଡୁ ନ ଥିବା ବହୁ ଜଗନ୍ନାଥପ୍ରେମୀ ଅଭିଯୋଗ କରିଛନ୍ତି।
ତୁରନ୍ତ ପଦକ୍ଷେପ ନେବା ଜରୁରୀ
ପ୍ରାଚୀନ ଜଗନ୍ନାଥ ମନ୍ଦିରର ଉନ୍ନତୀକରଣ ଲାଗି କାହାରି ମନରେ ନିଘାନାହିଁ। ବର୍ଷାଦିନେ ମନ୍ଦିର ଅବସ୍ଥା ଶୋଚନୀୟ ହୋଇପଡୁଛି। ଶିଉଳି, ଗଛଲତା ମାଡ଼ିଯାଇଥିବାରୁ ସୌନ୍ଦର୍ଯ୍ୟ ନଷ୍ଟ ହେବାରେ ଲାଗିଛି। ଦେବୋତ୍ତର ବିଭାଗ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ଜରୁରୀ।
-ଅବନୀ ମିଶ୍ର, ରାଜ୍ୟ କଳା ସଂସ୍କୃତି ସଂଘ ଉପସଭାପତି
ଦେବୋତ୍ତର ବିଭାଗ ଗୁରୁତ୍ୱ ଦେଉନି
ଜଗନ୍ନାଥଙ୍କ ମନ୍ଦିରର ରକ୍ଷଣାବେକ୍ଷଣ ଠିକ୍ ଭାବେ କରାଯାଉନାହିଁ। ମନ୍ଦିର ମରାମତି ତ ଦୂରର କଥା, ଆଜି ପର୍ଯ୍ୟନ୍ତ ମୁଖଶାଳାଟିଏ ମଧ୍ୟ ନିର୍ମାଣ ହୋଇପାରିଲା ନାହିଁ। ଟଙ୍କା ଥାଇ ଦେବୋତ୍ତର ବିଭାଗ ଏଥିପ୍ରତି ଗୁରୁତ୍ୱ ନ ଦେବା ପରିତାପର ବିଷୟ।
-ପ୍ରଦ୍ୟୁମ୍ନ ରଥ,
ଜିଲା ସଭାପତି ଶ୍ରୀଜଗନ୍ନାଥ ଚେତନା ସମିତି
ବର୍ଷା ପରେ ମରାମତି
ଜଗନ୍ନାଥ ମନ୍ଦିରର ମରାମତି କରିବା ଲାଗି ବ୍ୟୟ ଅଟକଳ କରିବାକୁ ପୂର୍ତ୍ତ ବିଭାଗକୁ ଅବଗତ କରାଯାଇଛି। ବ୍ୟୟ ଅଟକଳ ଖୁବ୍ଶୀଘ୍ର ହେବ ବୋଲି ଆଶା କରାଯାଉଛି। ସମସ୍ୟା ନଜରରେ ଅଛି। ବର୍ଷାଦିନ ପରେ ନିଶ୍ଚିତ ଭାବେ ଏହାର ମରାମତି କରାଯିବ।
-ସାଫଲ୍ୟ ମଣ୍ଡିତ ପ୍ରଧାନ, ଢେଙ୍କାନାଳ ଉପଜିଲାପାଳ ତଥା ଜିଲା ଦେବୋତ୍ତର ଅଧିକାରୀ