‘ମୁକ୍ତା’ କାର୍ଯ୍ୟକାରିତାରେ ଅବହେଳା: କାର୍ଯ୍ୟନିର୍ବାହୀ ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର, ୬।୭(ବ୍ୟୁରୋ): ରାଜ୍ୟ ସରକାରଙ୍କ ଫ୍ଲାଗ୍‌ଶିପ୍‌ ଯୋଜନା ‘ମୁକ୍ତା’ କାର୍ଯ୍ୟକାରିତାରେ ଅନିୟମିତତା କରିବାରୁ ପୁରୀ ଜିଲା ନିମାପଡ଼ା ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଶଶିଭୂଷଣ ମିଶ୍ରଙ୍କୁ ରାଜ୍ୟ ସରକାର ସୋମବାର ନିଲମ୍ବିତ କରିଛନ୍ତି। ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତୀୟ ଏକ ବିଜ୍ଞପ୍ତି ଜାରି କରାଯାଇଛି। ସମ୍ପୃକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ସରକାରୀ ଆଦେଶର ଅବମାନନା, କର୍ତ୍ତବ୍ୟରେ ଅବହେଳା ପାଇଁ ରାଜ୍ୟ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଥିବା ଦର୍ଶାଯାଇଛି। ନିଲମ୍ବନ ଅବଧି ମଧ୍ୟରେ ତାଙ୍କୁ ପୁରୀ ଡିଆର୍‌ଡିଏ କାର୍ଯ୍ୟଳୟରେ ଅବସ୍ଥାପିତ କରାଯାଇଛି। ଅଧିକାରୀଙ୍କ ବିନାନୁମତିରେ ତାଙ୍କୁ ମୁଖ୍ୟାଳୟ ଛାଡ଼ି ନ ଯିବାକୁ କୁହାଯାଇଛି। ସେହିଭଳି ବିଭାଗ ପକ୍ଷରୁ ଏହି ଏନ୍‌ଏସିର ସହକାରୀ ଯନ୍ତ୍ରୀ ସୁଧାକର ଦାସଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସୁଧାକର ଦାସଙ୍କ ତତ୍କାଳ ଗଞ୍ଜାମ ଜିଲା କୋଦଳା ଏନ୍‌ଏସିକୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ କୋଦଳା ଏନ୍‌ଏସିର ସହକାରୀ ଯନ୍ତ୍ରୀ ଯତୀନ୍ଦ୍ର ମୋହନ ବେହେରାଙ୍କୁ ଅବସ୍ଥାପିତ କରାଯାଇଛି।

Share