ପୁରୀ ଅଫିସ,୬ା୧୧: ଶ୍ରୀକ୍ଷେତ୍ରରେ ଏକାଧିକ ତୀର୍ଥ ପୁଷ୍କରିଣୀ ରହିଛି। ମାତ୍ର ଏସବୁର ରକ୍ଷଣାବେକ୍ଷଣ ଦିଗରେ ଉପଯୁକ୍ତ ଧ୍ୟାନ ଦିଆଯାଉ ନାହିଁ। ଫଳରେ ତୀର୍ଥ ପୁଷ୍କରିଣୀଗୁଡ଼ିକର ସ୍ଥିତି ଦୟନୀୟ ହୋଇ ପଡୁଛି। ଇନ୍ଦ୍ରଦ୍ୟୁମ୍ନ, ଶ୍ୱେତଗଙ୍ଗା, ମାର୍କଣ୍ଡେୟ ପୁଷ୍କରିଣୀ ଆଦିର ଠିକ୍ ଭାବେ ରକ୍ଷଣାବେକ୍ଷଣ ହେଉନାହିଁ। ପାର୍ବତୀ ସାଗର ପାଚେରି ଭୁଶୁଡ଼ିବା ୩ ବର୍ଷ ହୋଇଗଲାଣି, ହେଲେ ଏ ପର୍ଯ୍ୟନ୍ତ ଏହାକୁ ତିଆରି କରାଯାଉ ନାହିଁ। ପ୍ରାୟ ୧୦୦ ଫୁଟର ପାଚେରି ମୁକୁଳା ପଡ଼ିିଛି। ସେହିପରି କାହାର ପାଚେରି ଭାଙ୍ଗିଛି ତ ଆଉ କେଉଁଠି ପାଚେରି ଦୁର୍ବଳ ହୋଇପଡ଼ିିଲାଣି। ପାଚେରି ମୁକୁଳା ଯୋଗୁ ଅଳିଆ ଆବର୍ଜନା ଏବଂ ବାହାର ପାଣି ପଶି ତୀର୍ଥ ପୁଷ୍କରିଣୀକୁ ପ୍ରଦୂଷିତ କରୁଛି।
ରାଜ୍ୟର ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ମନ୍ଦିରକୁ ଲାଗି ରହିଛି ଐତିହ୍ୟ ସମ୍ପନ୍ନ ପାର୍ବତୀ ସାଗର। ସୁଉଚ୍ଚ ପାଚେରି ଦ୍ୱାରା ଏହା ପରିବେଷ୍ଟିତ। ଲୋକନାଥ ମନ୍ଦିରକୁ ଯିବାବେଳେ ଶ୍ରଦ୍ଧାଳୁମାନେ ଏହି ପୁଷ୍କରିଣୀରେ ଗୋଡ଼, ହାତ ଧୋଇ ଯାଇଥାନ୍ତି। ଶ୍ରାବଣ ମାସରେ ବୋଲବମ୍ ଭକ୍ତ ଏଠାରେ ସ୍ନାନ କରିଥାନ୍ତି। ଦୀର୍ଘଦିନ ହେବ ଏହାର ଉତ୍ତରପାର୍ଶ୍ୱ ପାଚେରି ଦୁର୍ବଳ ରହିଥିଲା। ୨୦୧୭ ଅକ୍ଟୋବର ୨୦ରେ ଲଗାଣ ବର୍ଷା ଯୋଗୁ ଉତ୍ତର ପାର୍ଶ୍ୱରେ ପ୍ରାୟ ୧୦୦ ଫୁଟ ପାଚେରି ଭୁଶୁଡ଼ିି ପଡ଼ିଥିଲା। ଇତିମଧ୍ୟରେ ତିନିବର୍ଷରୁ ଊର୍ଦ୍ଧ୍ୱ ବିତିଗଲାଣି, ହେଲେ ଏହାକୁ ମରାମତି କରାଯାଇ ନାହିଁ। ଏଥିଯୋଗୁ ଅଳିଆ ଆବର୍ଜନା ଉଡ଼ିି ପାର୍ବତୀ ସାଗରରେ ପଡୁଛି। ପାର୍ବତୀ ସାଗର ପାଚେରି ମରାମତି ସମ୍ପର୍କରେ ଲୋକନାଥ ମନ୍ଦିରର ମ୍ୟାନେଜର ଅପଚ୍ଛ ପରିଡ଼ା କହିଛନ୍ତି, ପାଚେରି ମରାମତି ଲାଗି ଏଷ୍ଟିମେଟ କରାଯାଇଥିବାବେଳେ ମାପଚୁପ ସରିଛି। ଖରାଦିନେ ଏହାର କାମ କରାଯିବ।