ପ୍ରାଣୀଧନ ଚିକିତ୍ସା ପ୍ରତି ଅବହେଳା

ମାଧପୁର, ୨୫ା୨: ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ସରକାର ପ୍ରାଣୀଧନ ପାଳନକୁ ପ୍ରୋତ୍ସାହନ ଦେଉଛନ୍ତି। ଏଥିପାଇଁ ଚାଷୀମାନଙ୍କୁ ବ୍ୟାଙ୍କ ଜରିଆରେ ଋଣ ସହାୟତା ଯୋଗାଇ ଦେଉଛନ୍ତି। ହେଲେ ସେହି ପ୍ରାଣୀଧନଙ୍କ ସ୍ବାସ୍ଥ୍ୟର ଯତ୍ନ ଓ ସୁରକ୍ଷା ପ୍ରତି ଯଥେଷ୍ଟ ଗୁରୁତ୍ୱ ଦିଆଯାଉ ନ ଥିବା ଅଭିଯୋଗ ହେଉଛି। ବିଭିନ୍ନ ଅଞ୍ଚଳରେ ପ୍ରାଣୀଧନ ଚିକିତ୍ସାଳୟ ଥିଲେ ହେଁ କେଉଁଠି ଭିତ୍ତିଭୂମି ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି ତ ଆଉ କେଉଁଠି ଡାକ୍ତର, କର୍ମଚାରୀଙ୍କ ଅଭାବ ପରିଲକ୍ଷିତ ହେଉଛି। ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକର ମାଧପୁର ପ୍ରାଣୀଧନ ଚିକିତ୍ସାଳୟ ଏହାର ଏକ ଉଦାହରଣ।
ମାଧପୁର ପ୍ରାଣୀଧନ ଚିକିତ୍ସାଳୟ ଉପରେ ପ୍ରାୟ ୬ ପଞ୍ଚାୟତର ଚାଷୀମାନେ ସେମାନଙ୍କ ଗୃହପାଳିତ ପ୍ରାଣୀଙ୍କ ଚିକିତ୍ସା ପାଇଁ ନିର୍ଭର କରିଥାନ୍ତି। କିନ୍ତୁ ଏହି ଚିକିତ୍ସାଳୟ କୋଠା ଅବସ୍ଥା ଭଲ ନାହିଁ। ଛାତ ନଷ୍ଟ ହେବାକୁ ବସିଥିବା ବେଳେ ପରିମଳ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ଏଠାରେ ନିଯୁକ୍ତି ପାଇଥିବା ପ୍ରାଣୀଧନ ଚିକିତ୍ସକ ଅଧିକାଂଶ ସମୟ ଆଠମଲ୍ଲିକ କାର୍ଯ୍ୟାଳୟରେ ରହୁଥିବାରୁ ମାଧପୁରରେ ପ୍ରାଣୀଧାନଙ୍କ ସ୍ବାସ୍ଥ୍ୟସେବା ବାଧାପ୍ରାପ୍ତ ହେଉଛି। ସେହିପରି ଦୀର୍ଘ ୧୦ ବର୍ଷ ହେଲା ଦଶଲକ୍ଷ ଟଙ୍କା ବ୍ୟୟରେ ଏକ ନୂତନ କୋଠା ନିର୍ମାଣ କରାଯାଇଥିଲେ ହେଁ ତାହା ଏଯାଏ ଅସମ୍ପୂର୍ଣ୍ଣ ରହିଛି। ଏପରି କି କବାଟ, ଝରକା ନଷ୍ଟ ହେବାକୁ ବସିଲାଣି। ନିମ୍ନମାନର କାର୍ଯ୍ୟ ଯୋଗୁ ଛାତରୁ ପାଣି ଗଳୁଥିବା ଅଭିଯୋଗ ହେଉଛି। ଚତୁଃପାର୍ଶ୍ୱରେ ପାଚେରି ନିର୍ମାଣ ହୋଇ ନ ଥିବା ବେଳେ ଭଲ ରାସ୍ତା ନାହିଁ। ତେଣୁ ମାଧୁପର ପ୍ରାଣୀଧନ ଚିକିତ୍ସାଳୟରେ ଜଣେ ସ୍ଥାୟୀ ଚିକିତ୍ସକ ନିଯୁକ୍ତି ସହ ତୁରନ୍ତ ନୂଆ କାର୍ଯ୍ୟାଳୟ କାର୍ଯ୍ୟ ଶେଷ କରିବା ଓ ପୁରୁଣା କାର୍ଯ୍ୟାଳୟ କୋଠା ମରାମତି କରିବାକୁ ଚାଷୀମାନେ ଦାବି କରିଛନ୍ତି।

ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି
ଜିଲା ପରିଷଦ ବୈଠକରେ ଏ ଦିଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି। ନୂଆ କୋଠା ନିର୍ମାଣ ଶେଷ ସହ ତାହାକୁ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଦାବି କରିଛି।
-ରଶ୍ମିରେଖା ମାହାର, ଜିଲା ପରିଷଦ ସଦସ୍ୟା

ବିଡିଓଙ୍କୁ ଚିଠି କରାଯାଇଛି
ଆଠମଲ୍ଲିକରେ ବିଭିନ୍ନ ସରକାରୀ କାର୍ଯ୍ୟ ରହୁଥିବାରୁ ସେଠାରେ ରହିବାକୁ ପଡ଼ୁଛି। ମାଧପୁରରେ ରହିବାର କୌଣସି ବ୍ୟବସ୍ଥା ନାହିଁ। ଡାକ୍ତରଖାନା ଅବସ୍ଥା ମଧ୍ୟ ଭଲ ନାହିଁ। ନିର୍ମାଣାଧୀନ କୋଠା ସମ୍ପର୍କରେ ବିଡିଓଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି।
-ଡାକ୍ତର ସରିତା ବେହେରା, ପ୍ରାଣୀଧନ ଚିକିତ୍ସକ

ନୂଆ କୋଠା ବ୍ଲକ ଅଧୀନକୁ ଆସିଛି
ପୂର୍ବରୁ ନିର୍ମାଣାଧୀନ କୋଠା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିଲା। ଚଳିତବର୍ଷ ଏହା ବ୍ଲକ ଅଧୀନକୁ ଆସିଛି। କିନ୍ତୁ ଏ ସଂକ୍ରାନ୍ତରେ ବିଭାଗ ତରଫରୁ ଅବଗତ କରାଯାଇ ନାହିଁ।
-ସୌଭାଗ୍ୟ ବେହେରା, ବିଡିଓ, ଆଠମଲ୍ଲିକ