ଏମାନେ କ୍ରୀଡାବିତ। ଦେଶ ପାଇଁ ଖେଳିବା ଆଉ ଗୌରବ ଆଣିବା ଏମାନଙ୍କର ଲକ୍ଷ୍ୟ। ଏହି ଲକ୍ଷ୍ୟ ପାଇଁ ସେମାନେ ଦିନରାତି ଏକ କରି ଦିଅନ୍ତି। ସବୁ ପ୍ରକାର ପ୍ରତିକୂଳ ପରିସ୍ଥିତି ସହ ଲଢି ଏମାନେ ଦେଶ ତଥା ରାଜ୍ୟର ଗୌରବ ପାଲଟନ୍ତି। କିନ୍ତୁ ଉଭୟ ରାଜ୍ୟ ଓ ଦେଶ ପାଇଁ ଗୌରବ ପାଲଟୁଥିବା ଏଇ କ୍ରୀଡାବିତଙ୍କ କଥା ଅନେକ ସମୟରେ ଭୁଲି ଯାଏ ସେ ପ୍ରତିନିଧିତ୍ୱ କରୁଥିବା ରାଜ୍ୟ। ଅବହେଳାର ଶିକାର ହୋଇ ଏହି କ୍ରୀଡାବିତମାନେ ପରିବାର ପ୍ରତିପୋଷଣ ପାଇଁ ଆଦରି ନିଅନ୍ତି ସିନା ଭିନ୍ନ ପେସା। କିନ୍ତୁ ତାଙ୍କ ଆତ୍ମା ରହିଥାଏ ଯେମିତି କ୍ରୀଡାରେ। ଏପରି କେତେଜଣ କ୍ରୀଡାବିତଙ୍କ କଥା ଏଥରର ପ୍ରଚ୍ଛଦରେ…
ଶକ୍ତି ଉତ୍ତୋଳନକାରୀ ଏବେ ଫାଷ୍ଟଫୁଡ୍ ଦୋକାନୀ : ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ପିତ୍ତଳ ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମର ଗଦାଧର ସାହୁ ଜଣେ ଭିନ୍ନକ୍ଷମ କ୍ରୀଡ଼ାବିତ୍। ଗଦାଧର ସୁନ୍ଦର ସ୍ବାସ୍ଥ୍ୟ ସହ ଶକ୍ତି ଉତ୍ତୋଳନ କ୍ଷେତ୍ରରେ ନିଜ କ୍ରୀଡ଼ା ଦକ୍ଷତାର ପରିଚୟ ଦେଇଛନ୍ତି। ଦୀର୍ଘ ୪ ବର୍ଷ ଧରି ବିଭିନ୍ନ ସ୍ଥାନରେ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଭାଗନେଇ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସେ କୁହନ୍ତି, ସପ୍ତମ ଶ୍ରେଣୀରେ ପଢ଼ୁଥିବା ବେଳେ ରେଳ ଦୁର୍ଘଟଣାର ଶିକାର ହୋଇ ଗୁଜରାଟର ସୁରଟରେ ନିଜର ଦୁଇ ଗୋଡ଼ ହରାଇଲି। ତାପରେ ରାମଚନ୍ଦ୍ରପୁର ହାଇସ୍କୁଲରୁ ଦଶମ ପାସ୍ କରିବା ପରେ ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟରୁ ଯୁକ୍ତ ୨ ଓ ଯୁକ୍ତ ୩ କଳାରେ ସ୍ନାତକ କଲି। ବିଗତ ଏକ ବର୍ଷ ଧରି ଶକ୍ତି ଉତ୍ତୋଳନ କ୍ଷେତ୍ରରେ ସକ୍ରିୟ ରହିଛି । ୨୦୧୬ରୁ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗୀ ଭାବେ ୫୫କେଜି ବର୍ଗରେ ହ୍ବିଲ ଚେୟାର ଚ୍ୟାଲେଞ୍ଜରେ ପ୍ରଥମ ସ୍ଥାନ ଅଧିକାର କରିଥିଲି। ଏହାପରେ ୨୦୧୯-୨୦ରେ ‘ଗଂଜାମ ଶ୍ରୀ’ ଭାବେ ପୁରସ୍କୃତ ହୋଇଛି। ୨୦୨୧ରୁ ବର୍ତ୍ତମାନ ସୁଦ୍ଧା ଶକ୍ତି ଉତ୍ତୋଳନ କ୍ଷେତ୍ରରେ ସକ୍ରିୟ ଥିବାବେଳେ ଇତିମଧ୍ୟରେ ଜୁନ ମାସରେ କୋଲ୍କାତାରେ ଅନୁଷ୍ଠିତ ହୋଇଥିବା ଇଷ୍ଟ ଜୋନ୍ସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣ ପଦକ ହାସଲ କରିଛି। ଏହାପରେ ୨୦୨୨ ଭୁବନେଶ୍ୱରର ମଞ୍ଚେଶ୍ୱରଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାର ୫୫ କେଜି ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରି ପ୍ରଥମ ସ୍ଥାନ ହାସଲ କରିସାରିଛି। ଆସନ୍ତା ସେପ୍ଟେମ୍ବର ୨୨ରେ ଦିଲ୍ଲୀରେ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ମଧ୍ୟ ଅଂଶଗ୍ରହଣ କରିବା ନିମନ୍ତେ ମନୋନୀତ ହୋଇପାରିଛି। ବର୍ତ୍ତମାନ ମୋର ବୟସ ୩୦ ବର୍ଷ। ଜଣେ କ୍ରୀଡ଼ାବିତ୍ ହୋଇଥିଲେ ସୁଦ୍ଧା ଏଯାବତ୍ ମୋତେ ସରକାରୀ ସୂତ୍ରରୁ କିମ୍ବା କ୍ରୀଡ଼ା ବିଭାଗ ପକ୍ଷରୁ କୌଣସି ପ୍ରକାର ବିଶେଷ ସୁବିଧା ଓ ସହାୟତା ମିଳିନାହିଁ। ଯେଉଁଥିପାଇଁ ବଡ଼ଭାଇଙ୍କ ସହ ମିଶି ଗାଁରେ ଏକ ଛୋଟିଆ ଫାଷ୍ଟଫୁଡ୍ ସେଣ୍ଟର ଖୋଲି ରୋଜଗାର କରୁଛି। ଏଥିରୁ ଯାହା ଉପାର୍ଜନ ହେଉଛି ସେଇଥିରେ ହିଁ ପରିବାର ଚାଲୁଛି । ଆଗାମୀ ଦିନରେ ପାରା ଅଲିମ୍ପିକର ଶକ୍ତି ଉତ୍ତୋଳନରେ ବିଶ୍ୱ ସ୍ତରରେ ଭାରତକୁ ପ୍ରତିନିଧିତ୍ୱ କରିବି ବୋଲି ଚେଷ୍ଟା ଜାରି ରହିଛି।’
ଏବେ କେବଳ ସାଙ୍ଗମାନେ ଭରସା: ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରୁ ଚଳିତ ବର୍ଷ ଯୁକ୍ତ ୩ କଳା ଆନ୍ଥ୍ରୋପୋଲୋଜି ସମ୍ମାନରେ ପାସ୍ କରିଥିବା କୃଷ୍ଣଚନ୍ଦ୍ର ଆଚାରୀଙ୍କ ଲକ୍ଷ୍ୟ ଅଲିମ୍ପିକ। କୃଷ୍ଣ ୨୦ କିମି ଓ ୩୦ କିମି ରେସ୍ୱାକ କ୍ଷେତ୍ରରେ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ସହ ବହୁ ପଦକ ହାସଲ କରିଛନ୍ତି। କୃଷ୍ଣ ସାଙ୍ଗସାଥିଙ୍କ ଗହଣରେ କ୍ରୀସ୍ ଭାବେ ପରିଚିତ। ବ୍ରହ୍ମପୁର ନିବାସୀ ୰ ଉଦୟନାଥ ଆଚାରୀଙ୍କ ୫ ପୁଅ ଝିଅଙ୍କ ମଧ୍ୟରେ ଦ୍ୱିତୀୟ ହେଉଛନ୍ତି କ୍ରୀସ୍। ସେ କୁହନ୍ତି,‘ବାପା ଯିବାପରେ ଘର ସମ୍ଭାଳିବା ଦାୟିତ୍ୱ ସହ ପାଠପଢ଼ା ଓ ନିଜର କ୍ରୀଡ଼ା ପ୍ରତି ଥିବା ରୁଚି ଉଭୟକୁ ସମୟ ଦେଇ ଚାଲିଛି। କିନ୍ତୁ ନିଜ କ୍ରୀଡ଼ାଭ୍ୟାସରୁ କେବେ ମଧ୍ୟ ବିଚ୍ୟୁତ ହୋଇନାହଁି। ଯୁକ୍ତ ୨ ପ୍ରଥମ ବର୍ଷ ପଢ଼ା ସମୟରୁ ଏହି କ୍ରୀଡ଼ାରେ ସକ୍ରିୟ ରହିଛି। ଏହାସହ କଲେଜ ଏନ୍ସିସିର ମଧ୍ୟ ଜଣେ ସକ୍ରିୟ କ୍ୟାଡେଟ୍। ୨୦୧୮ରେ ଅନୁଷ୍ଠିତ ଗଂଜାମ ଜିଲାସ୍ତରୀୟ ଆଥଲେଟ ମିଟ୍ରେ ତୃତୀୟ ସ୍ଥାନ ଅଧିକାର କରିଥିଲି। ୨୦୧୯ ରାଜ୍ୟସ୍ତରୀୟ ଆଥ୍ଲେଟ ମିଟ୍ରେ ସ୍ବର୍ଣ୍ଣ, ସେହି ବର୍ଷ ରାଞ୍ଚତ୍ର ଖେଲଗାଓଁ ଠାରେ ଅନୁଷ୍ଠିତ ଇଷ୍ଟ ଜୋନ୍ସ୍ତରୀୟ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ହାସଲ କରିଛି। ୨୦୨୦ରେ ଅଲ ଇଣ୍ଡିଆ ଇଣ୍ଟର ୟୁନିଭର୍ସିଟିସ୍ତରୀୟ କ୍ରୀଡ଼ାରେ ଅଂଶଗ୍ରହଣ କରି ଶ୍ରେଷ୍ଠ ୧୨ ପ୍ରତିଯୋଗୀଙ୍କ ମଧ୍ୟରେ ସ୍ଥାନ ପାଇଥିଲି। ତା’ପରେ ବ୍ରହ୍ମପୁରର ଏକ ଘରୋଇ କମ୍ପାନୀରେ ସ୍ବଳ୍ପ ବେତନରେ କାମ କରୁଥିଲି। ହେଲେ ପରବର୍ତ୍ତୀ ସମୟରେ ଏହି ଚାକିରି ବି ରହିଲା ନାହିଁ। ବର୍ତ୍ତମାନ କେବଳ ସାଙ୍ଗମାନେ ହିଁ ଭରସା। ତାଙ୍କରି ସହାୟତାରେ ବେଙ୍ଗାଲୁରୁର ଇଣ୍ଡିଆନ ଆଥ୍ଲେଟିକ କ୍ୟାମ୍ପରେ ରହି କ୍ରୀଡ଼ା ପ୍ରଶିକ୍ଷଣରେ ନୂତନ ଜ୍ଞାନ କୌଶଳ ଶିକ୍ଷା ପାଇଁ ଚେଷ୍ଟା ଜାରି ରଖିଛିି। ବ୍ରହ୍ମପୁର ସହରରେ ନିୟମିତ ଭାବେ କୋଚ୍ ସୁରେନ୍ଦ୍ର ପଟ୍ଟନାୟକଙ୍କଠାରୁ ତାଲିମ ଗ୍ରହଣ କରିବା ସହ ଇଞ୍ଜିନିୟରିଂ ସ୍କୁଲ ଷ୍ଟାଡିୟମରେ ଅଭ୍ୟାସ କରୁଛି। ଏହାବାଦ ପିଜି ପାଠ୍ୟକ୍ରମ ଲାଗି କୌଣସି ମହାବିଦ୍ୟାଳୟ କିମ୍ବା ବିଶ୍ୱବିଦ୍ୟାଳୟରେ ନାମ ଲେଖାଇବାକୁ ଆଗ୍ରହୀ ଅଛି। ଆଉ ଆଗାମୀ ଦିନରେ କ୍ରୀଡ଼ା ମନ୍ତ୍ରଣାଳୟର ସହଯୋଗ ମିଳିଲେ ନିଶ୍ଚିତ ଭାବେ ଅଲିମ୍ପିକ ପାଇଁ ଥିବା ସ୍ବପ୍ନ ସାକାର ହୋଇପାରିବ ବୋଲି ଆଶାକରିଛି।’
ଷ୍ଟିପଲ୍ ଚେଜ୍ ଖେଳାଳୀ ଏବେ ଓ୍ବେଟର: ଗଞ୍ଜାମଜିଲା ବ୍ରହ୍ମପୁର ସହରର ସୂର୍ଯ୍ୟ ଭେଙ୍କଟ। ତାଙ୍କୁ ବର୍ତ୍ତମାନ ୨୪ ବର୍ଷ । ଷ୍ଟିପଲ ଚେଜ୍ କ୍ରୀଡ଼ାରେ ସୂର୍ଯ୍ୟ ସହରର ଜଣେ ଉଦୀୟମାନ କ୍ରୀଡାବିତ୍। ତାଙ୍କ କୋଚ୍ ହେଲେ ସୁରେନ୍ଦ୍ର ପଟ୍ଟନାୟକ। ବର୍ତ୍ତମାନ ସୁଦ୍ଧା ଜାତୀୟ ଓ ଆନ୍ତଃ ବିଶ୍ୱବିଦ୍ୟାଳୟସ୍ତରୀୟ କ୍ରୀଡ଼ାରେ ଅଂଶଗ୍ରହଣ କରି ଉଲ୍ଲେଖନୀୟ ସଫଳତା ହାସଲ କରିସାରିଛନ୍ତି। ସେ କୁହନ୍ତି, ‘ଜଣେ ଗରିବ ପରିବାରରେ ଜନ୍ମ ହୋଇ ସୁଦ୍ଧା ନିଜର ପାଠପଢା ଓ କ୍ରୀଡା କ୍ଷେତ୍ରରେ ଆଗକୁ ବଢିବା ନିମନ୍ତେ ଅହରହ ଅଭ୍ୟାସ ଜାରି ରଖିଛି। ୨୦୧୭ରେ +୨ ପଢା ସମୟରୁ ୩୦୦୦ ମିଟର ଷ୍ଟିପଲ ଚେଜ୍ କ୍ରୀଡା ଖେଳୁଛି। ୨୦୧୭-୧୮ରେ ଗଞ୍ଜାମ ଜିଲାସ୍ତରୀୟ ଆଥଲେଟ ମିଟ୍ରେ ଅଂଶଗ୍ରହଣ କରି ପ୍ରଥମ ହୋଇଥିଲି। ୨୦୧୮ରେ କଟକ ବାରବାଟୀରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଆଥଲେଟ ମିଟ୍ରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣ ପଦକ ବିଜୟୀ ଲୋଭ କରିଥିଲି। ୨୦୧୯ରେ ଗୋପାଳପୁର ମହାବିଦ୍ୟାଳୟରେ +୩ ପଢିବା ବେଳେ ବାଙ୍ଗାଲୁରୁରେ ଅନୁଷ୍ଠିତ ଜାତୀୟସ୍ତରୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ଆଥ୍ଲେଟ ମିଟ୍ରେ ଶ୍ରେଷ୍ଠ ୫ ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିଲି। ୨୦୨୨ ଏପ୍ରିଲରେ ଭୁବନେଶ୍ୱର କିଟ୍ ବିଶ୍ୱବିଦ୍ୟାଳୟ ଖେଳପଡ଼ିଆରେ ଅନୁଷ୍ଠିତ ରାଜ୍ୟସ୍ତରାୟ କ୍ରୀଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଦ୍ୱିତୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ହାସଲ କରିଛି। ଏବେ ନିୟମିତ ଭାବେ ସହରର ୟୁନିୟନ କ୍ଲବରେ ୱେଟର ଭାବେ ପାର୍ଟଟାଇମ କାମ କରି ପରିବାରର ଭରଣପୋଷଣ କରୁଛି। ସରକାର ତଥା କ୍ରୀଡା ବିଭାଗ ପକ୍ଷରୁ ଉପଯୁକ୍ତ ସହାୟତା ମିଳି ପାରିଲେ ଆଗକୁ ଯାଇପାରିବି।
ଅଭାବରେ ତିନି ଖୋ ଖୋ ଖେଳାଳୀ: ବଲାଙ୍ଗୀର ଜିଲା ଅନ୍ତର୍ଗତ ଝାରବଲାଙ୍ଗୀର ଗ୍ରାମର ୩ ଜଣ ଝିଅ ଜାତୀୟ କ୍ରୀଡ଼ାରେ ବହୁବାର ଭାଗନେଇ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି। ଝାରବଲାଙ୍ଗୀର ଗ୍ରାମର ବିଶ୍ୱାମିତ୍ର ମଲ୍ଲିକଙ୍କ ଦୁଇ ଝିଅ ଲକ୍ଷ୍ମୀ ଓ ସୁଜାତା ସ୍କୁଲ ଜୀବନରୁ ସଫଳ କ୍ରୀଡ଼ାବିତ୍ ଭାବେ ସୁନାମ ଅର୍ଜନ କରିଛନ୍ତି। ବୁବେଲ ହାଇସ୍କୁଲରେ ପଢ଼ିଲାବେଳେ ଏହି ୨ ଭଉଣୀ ଲକ୍ଷ୍ମୀ ଓ ସୁଜାତା ଜାତୀୟ ଖୋ ଖୋ ପ୍ରତିଯୋଗିତାରେ ଭାଗନେଇ ପଦକ ଜିତିଛନ୍ତି। ଲକ୍ଷ୍ମୀ ୨୦୧୧-୧୨ରେ ଜାତୀୟ ମହିଳା କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଇଥିଲେ। ବରିଷ୍ଠ ବର୍ଗରେ ଖୋ ଖୋ ଖେଳି ନିଜର କ୍ରୀଡ଼ା ଦକ୍ଷତା ପ୍ରତିପାଦିତ କରିଥିଲେ। ଏହାପରେ ୨୦୧୯ରେ ରାଜ୍ୟସ୍ତରୀୟ ଭଲିବଲ୍ ପ୍ରତିଯୋଗିତାରେ ଖେଳିବାର ସୁଯୋଗ ପାଇଥିଲେ। ଲକ୍ଷ୍ମୀ କୁହନ୍ତି, ‘୨୦୧୩ରେ ମାଟ୍ରିକ୍ ପାସ୍ କରିବା ପରେ ବଲାଙ୍ଗୀର ବିଦ୍ୟାଭୂଷଣ ସଂସ୍କୃତ ମହାବିଦ୍ୟାଳୟରୁ ଯୁକ୍ତ ୨ ଓ ଯୁକ୍ତ ୩ ପାସ୍ କରିଥିଲି। ପରେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନ ଭୁବନେଶ୍ୱରସ୍ଥିତ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟରେ ଶାରୀରିକ ଶିକ୍ଷାରେ ସ୍ନାତକ ଡିଗ୍ରୀ ହାସଲ କଲି। ମାତ୍ର ପରିବାରର ଅଭାବ, ଅନଟନ ଓ ଦାରିଦ୍ର୍ୟ ଯୋଗୁ କ୍ରୀଡ଼ାଠାରୁ ଦୂରେଇ ରହିଛି। ମୋ ବାପା ଜଣେ ଦିନମଜୁରିଆ। ମଜୁରି ଲାଗି ପରିବାର ପ୍ରତିପୋଷଣ କରିଥା’ନ୍ତି। ପରିବାର ପାଇଁ ମୁଁ ମଧ୍ୟ ମଜୁରି ଲାଗେ। ମାତ୍ର ମନରେ ଏବେ ବି କ୍ରୀଡ଼ା ପ୍ରତି ଆଗ୍ରହ ରହିଛି। ମୋ ଭଉଣୀ ସୁଜାତା ବି ଜଣେ ଅସାଧାରଣ କ୍ରୀଡ଼ାପ୍ରତିଭା। ସେ ସ୍କୁଲ ଓ କଲେଜ କ୍ୟାରିୟରରେ ୧୬ଥର ଜାତୀୟ ଓ ରାଜ୍ୟସ୍ତରରେ ଖୋ ଖୋ ପ୍ରତିଯୋଗିତାରେ ଭାଗ ନେଇ ସୁନାମ ଅର୍ଜନ କରିଛି। ସୁଜାତା ସ୍ନାତକୋତ୍ତର ଡିଗ୍ରୀ ପାଇଁ ଆଶା ରଖିଛି। ଅର୍ଥାଭାବ ଯୋଗୁ ତାହା ସମ୍ଭବ ହେଉନାହିଁ। ସେହିପରି ଝାରବଲାଙ୍ଗୀର ଗ୍ରାମର ସୁଦକ୍ଷ ଖୋ ଖୋ ଖେଳାଳି ସସ୍ମିତା ପାତ୍ର ୨୨ଥର ଜାତୀୟସ୍ତର ଖୋ ଖୋ ପ୍ରତିଯୋଗିତାରେ ଭାଗ ନେଇ ସୁନାମ ଅର୍ଜନ କରିଛନ୍ତି। ସେ କୁହନ୍ତି, ୨୦୧୪ ମସିହାରେ ବୁବେଲ ହାଇସ୍କୁଲରୁ ମାଟ୍ରିକ୍ ପାସ୍ କଲି। ମାତ୍ର ସେବେଠାରୁ ଜାତୀୟ ଖୋ ଖୋ ପ୍ରତିଯୋଗିତାରେ ଭାଗ ନେଇ ପଦକ ଜିତିଛି। ୨୦୨୦ରେ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ରେ ତୃତୀୟ ସ୍ଥାନ ଅଧିକାର କରିଥିଲି । ମୋ ବାପା ଚନ୍ଦିଆ ପାତ୍ର ଜଣେ ଚାଷୀ। ଘର ଚଳିବାରେ ଘୋର ଅସୁବିଧା ରହିଛି। ମୁଁ ବି ଚାଷ କାମରେ ବାପାଙ୍କୁ ସାହାଯ୍ୟ କରୁଛି। ଏତେ ଅସୁବିଧା ସତ୍ତ୍ୱେ ଭୁବନେଶ୍ୱରସ୍ଥିତ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟରେ ସ୍ନାତକ ଡିଗ୍ରୀ ହାସଲ କରିଛିି। କିନ୍ତୁ ଅର୍ଥାଭାବରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିପାରୁନାହାିଁ। ସରକାରୀ ପ୍ରୋତ୍ସାହନ ମିଳିଲେ ନିଶ୍ଚିତ ଭାବେ କିଛି କରି ଦେଖାଇବାର ଇଚ୍ଛା ରହିଛି।
ରୋଜଗାର ଚିନ୍ତାରେ ଫୁଟବଲ୍ ଖେଳାଳୀ: ବିଶେଷକରି ରାଜ୍ୟର ସୁନ୍ଦରଗଡ଼ ଜିଲାରୁ ଅନେକ କ୍ରୀଡାବିତ୍ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରି ରାଜ୍ୟ ଓ ଦେଶ ପାଇଁ ସୁନାମ ଆଣିଛନ୍ତି। ସୁନ୍ଦରଗଡ ଜିଲା ଟାଙ୍ଗରପାଲି ବ୍ଲକ ରତନପୁର ଫଗୁଆପଡା ଗ୍ରାମର ମୁକେଶ ମିଞ୍ଜ୍ ଅନେକ ଜାତୀୟସ୍ତରର ଫୁଟ୍ବଲ ମ୍ୟାଚ୍ ଖେଳିଛନ୍ତି। ଫୁଟ୍ବଲ ଖେଳକୁ ଆପଣାଇଥିବା ମୁକେଶଙ୍କ ପାଇଁ ଏବେ ରୋଜଗାର ଚିନ୍ତା ଘାରିଛି। ସେ କୁହନ୍ତି, ‘ମା’ବାପାଙ୍କ ୪ ପୁଅ ଝିଅ ମଧ୍ୟରେ ମୁଁ ସାନ। ଗାଁ ସ୍କୁଲରେ ପ୍ରାଥମିକ ଶିକ୍ଷା ପରେ ସପ୍ତମ ଶ୍ରେଣୀରେ ଫୁଟ୍ବଲରେ ସୁନ୍ଦରଗଡ଼ ରାଜ୍ୟ କ୍ରୀଡା ଛାତ୍ରାବାସ ପାଇଁ ୨୦୦୮ରେ ମନୋନୀତ ହୋଇଥିଲି। ଏଠାରେ ଫୁଟ୍ବଲ ଖେଳରେ ପ୍ରଶିକ୍ଷଣପ୍ରାପ୍ତ ସହ ୨୦୧୨ରେ କଟକ ସିନିୟର ରାଜ୍ୟ କ୍ରୀଡା ଛାତ୍ରାବାସରେ ରହି ପ୍ରଶିକ୍ଷକଙ୍କ ଦ୍ୱାରା ତାଲିମ ପାଇ ଜଣେ ଫୁଟବଲ ଖେଳାଳି ଭାବରେ କ୍ୟାରିୟର ଆରମ୍ଭ କରିଥିଲି। ସନ୍ତୋଷ ଟ୍ରଫି ଖେଳି ନିଜର କ୍ରୀଡ଼ା ନୈପୁଣ୍ୟତାକୁ ପ୍ରଦର୍ଶନ କରି ପରବର୍ତ୍ତୀ ସମୟରେ ଅନେକ ଜାତୀୟ ମ୍ୟାଚ୍ ଖେଳିଛି। ୨୦୧୭-୧୮ରେ ମୁମ୍ବାଇର ଓଏନ୍ଜିସି ପେଟ୍ରୋଲିୟମ କମ୍ପାନୀ ତରଫରୁ ଫୁଟବଲ ଖେଳାଳି ଭାବେ କିଛି ପାରିଶ୍ରମିକ ମିଳିଥିଲା। ହେଲେ ୨୦୨୧ରେ ମା’ଙ୍କ ଦେହାନ୍ତ ପରେ ମୁମ୍ବାଇ ଛାଡିବାକୁ ପଡିଥିଲା। ଏବେ ମୋତେ ବାପା ଓ ଆଈଙ୍କ କଥା ବୁଝିବାକୁ ପଡ଼ୁଛି। ତେବେ ଜାତୀୟସ୍ତରରେ ଅନେକ ସଫଳତା ହାସଲ କରିଥିବା ସତ୍ତ୍ୱେ ଏଯାଏ ମୋତେ କୌଣସି ନିଯୁକ୍ତି ମିଳିପାରିନାହିଁ।’
ରାଜ୍ୟ ହେଉ କି କେନ୍ଦ୍ର ସରକାର ଏଭଳି ଯୁବ ଖେଳାଳିଙ୍କୁ କୌଣସି କ୍ଷେତ୍ରରେ ନିଯୁକ୍ତି ସୁଯୋଗ ଦେଲେ ନିଶ୍ଚିତ ଭାବେ ଆଗକୁ ଯାଇପାରିବେ । ଏମାନଙ୍କ ବ୍ୟତୀତ ଆହୁରି ଅନେକ କ୍ରୀଡ଼ାବିତ୍ ଅଛନ୍ତି, ଯେଉଁମାନଙ୍କୁ ଆବଶ୍ୟକ ସୁବିଧା ସୁଯୋଗ ଓ ପ୍ରୋତ୍ସାହନ ମିଳିଲେ କ୍ରୀଡ଼ା ଜଗତରେ ଏମିତି ଅନେକ ନକ୍ଷତ୍ରଙ୍କ ଜ୍ୟୋତି ଆଲୋକିତ ହୋଇପାରବ।
ତଥ୍ୟ -ତନୁଶ୍ରୀ ନାହାକ, ଜୟନାରାୟଣ ମେଣ୍ଡୁଳୀ, ବୀରେନ୍ଦ୍ର ଝାଙ୍କର