ଅବହେଳିତ ଦାମୋଦର ବିଦ୍ୟାପୀଠ

କାଏମା,୨।୭(ଶିବପ୍ରସାଦ ମହାନ୍ତି):ଧର୍ମଶାଳା ବ୍ଲକ ଅନ୍ତର୍ଗତ ଅଭୟପୁର ପଞ୍ଚାୟତର ଅଚ୍ୟୁତପୁରଠାରେ ଥିବା ଦାମୋଦର ବିଦ୍ୟାପୀଠ ଏବେ ଅବହେଳିତ ଅବସ୍ଥାରେ ରହିଛି। ସ୍ମାର୍ଟ ସ୍କୁଲ୍‌ ଯୋଜନାରେ ଏହି ବିଦ୍ୟାପୀଠକୁ ୨୦୨୨ ଜୁନ୍‌ରେ ରୂପାନ୍ତରଣ କରାଯାଇଥିଲା। ହେଲେ ଏହାର ରକ୍ଷଣାବେକ୍ଷଣ ଉପରେ କାହାର ନଜର ନ ଥିବା ଦେଖିବାକୁ ମିଳିଛି। ପିଲାମାନେ ଜାଣିବା, ଶିଖିବା ଓ ମନେରଖିବା ପାଇଁ ସ୍କୁଲ୍‌ ପରିସରରେ ଅନେକ ଚିତ୍ର ଅଙ୍କାଯାଇଛି। ବିଦ୍ୟାପୀଠ ପାଚେରିରେ ଦେଶର ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଫଟୋଚିତ୍ର ରହିଛି। କିନ୍ତୁ ଅନାବନା ଗଛ ମାଡ଼ିଯିବାରୁ ସେମାନଙ୍କ ଚିତ୍ର ଧୀରେ ଧୀରେ ଲୁଚିଯିବାକୁ ବସିଲାଣି। ବିଦ୍ୟାପୀଠ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସେହିପରି ବର୍ଷା ଟିକେ ହେଲେ ବିଦ୍ୟାପୀଠ ଆଗରେ ଦୀର୍ଘଦିନ ଧରି ପାଣି ଜମି ରହୁଛି। ଫଳରେ ବିଦ୍ୟାପୀଠ ପରିସରରେ ମଶାମାଛି ବଂଶ ବୃଦ୍ଧି ପାଉଛି। ଏବେ ରାଜ୍ୟରେ ଡେଙ୍ଗୁ ରୋଗୀ ସଂଖ୍ୟା ବଢୁଥିବାରୁ ପିଲାଙ୍କ ପ୍ରତି ଭୟ ସୃଷ୍ଟି ହୋଇଛି। ଏହି ବିଦ୍ୟାପୀଠଟି ମୁଖ୍ୟତଃ ଜାରକାରୁ କାଏମା ରାସ୍ତାର ପାର୍ଶ୍ୱରେ ହୋଇଥିବାରୁ ରାସ୍ତାଦେଇ ଅନେକ ପଥିକ, ଛୋଟ ପିଲା ଓ କଲେଜ ପିଲା ଯାତାୟାତ କରିଥାନ୍ତି। ସମସ୍ତଙ୍କ ନଜର ବିଦ୍ୟାପୀଠ ଉପରେ ପଡ଼େ। କିନ୍ତୁ ବିଦ୍ୟାପୀଠ ପରିବେଶ ଏତେ ଅପରିଷ୍କାର ଥାଇ ମଧ୍ୟ କର୍ତ୍ତୃପକ୍ଷଙ୍କ ନଜର ନ ପଡ଼ିବା ଆଲୋଚନାର ବିଷୟ ହୋଇଛି। ତେଣୁ ଏହାର ତୁରନ୍ତ ରକ୍ଷଣାବେକ୍ଷଣ କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି। ଏ ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Share