ଉପେକ୍ଷିତ ଜନମତ

ରବିନାରାୟଣ ସାମଲ

 

ଗତ ସାଧାରଣ ନିର୍ବାଚନରେ ସୁରଟ ଲୋକ ସଭା ନିର୍ବାଚନମଣ୍ଡଳୀରେ ୧୦ ଜଣ ପ୍ରାର୍ଥତ୍ପତ୍ର ଦାଖଲ କରିଥିଲେ। ୮ ଜଣ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର କରିନେଇଥିଲେ, କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ ହୋଇଯାଇଥିଲା। ଏହି ଘଟଣାଟି ଏକରକମ ନାଟକୀୟ ଥିଲା। ବିରୋଧୀ ଦଳମାନେ ଅଭିଯୋଗ ଆଣିଲେ। ତା’ସତ୍ତ୍ୱେ ଅଭିଯୋଗ ଗ୍ରହଣ କରାଗଲା ନାହିଁ। ଭାଜପା ଦଳର ପ୍ରାର୍ଥୀ ମୁକେଶ ଦଲାଲ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ସଂସଦକୁ ନିର୍ବାଚିତ ହୋଇଗଲେ। ଏହି ନିର୍ବାଚନମଣ୍ଡଳୀର ୧୬ ଲକ୍ଷରୁ ଊର୍ଦ୍ଧ୍ୱ ମତଦାତା ହାତବାନ୍ଧି ଘରେ ବସିଲେ। ସେମାନେ ନିଜର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିପାରିଲେ ନାହିଁ। ବିନା ନିର୍ବାଚନରେ ସଂସଦକୁ ନିର୍ବାଚିତ ହେବା ଭାରତ ଇତିହାସରେ ଏକ ବିରଳ ଘଟଣା ଥିଲା।
ମୁମ୍ବାଇ ଉତ୍ତର-ପଶ୍ଚିମ ନିର୍ବାଚନମଣ୍ଡଳୀରେ ୨୦ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ଶିବସେନାର ପ୍ରାର୍ଥୀ ରବୀନ୍ଦ୍ର ଦତ୍ତରାମ ୱାଇକର ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ମାତ୍ର ୪୮ ଖଣ୍ଡ ଅଧିକ ଭୋଟ ପାଇ ସଂସଦକୁ ନିର୍ବାଚିତ ହେଲେ। ସେଠାରେ ମତଦାନ ହୋଇଥିଲା ୧୩,୮୨,୩୧୮ । ରବୀନ୍ଦ୍ର ଦତ୍ତରାମ ପାଇଥିଲେ ମାତ୍ର ୪,୫୨,୬୪୪, ଅର୍ଥାତ୍‌ ଏକ-ତୃତୀୟାଂଶ ଭୋଟ। ଅବଶିଷ୍ଟ ଦୁଇ-ତୃତୀୟାଂଶ ଭୋଟ ତାଙ୍କ ବିପକ୍ଷରେ ପଡ଼ିଥିଲା। ଫଳରେ ୯,୨୯,୬୭୪ ଖଣ୍ଡ ଭୋଟର କିଛି ମୂଲ୍ୟ ରହିଲା ନାହିଁ। ଆମ ଓଡ଼ିଶା ବିଧାନସଭା ନିର୍ବାଚନର ଫଳାଫଳ ଆହୁରି ବିଚିତ୍ର। ଭାଜପା କମ୍‌ ଭୋଟ ପାଇ ସରକାର ଗଠନ କଲା, ବିଜୁ ଜନତା ଦଳ ଅଧିକ ଭୋଟ ପାଇ ବିରୋଧୀ ଦଳ ଆସନରେ ବସିଲା। ଭାଜପା ପାଇଥିଲା ୧କୋଟି ୬୪ ହଜାର ୮୨୭ (୪୦.୦୭%) ଭୋଟ୍‌ ଏବଂ ବିଜେଡି ପାଇଥିଲା ୧ କୋଟି ୧ ଲକ୍ଷ ୨ ହଜାର ୪୫୪ (୪୦.୨୨%) ଭୋଟ୍‌। ଭାଜପାର ଆସନ ସଂଖ୍ୟା ଥିଲା ୭୮ ଏବଂ ବିଜେଡିର ଆସନ ସଂଖ୍ୟା ୫୧।
ଆମ ଲୋକ ପ୍ରତିନିଧି ଆଇନ ଅନୁଯାୟୀ ଜଣେ ପ୍ରାର୍ଥୀ ଖଣ୍ଡେ ମାତ୍ର ଭୋଟ୍‌ ଅଧିକ ପାଇଲେ ବି ସେ ନିର୍ବାଚିତ ହେଲେ ବୋଲି ଘୋଷଣା କରାଯିବ। ବିପକ୍ଷରେ ଯେତେ ଥାଉ ବା ନ ଥାଉ ସେଥିରେ କିଛି ଯାଏ ଆସେ ନାହିଁ। ସୁରଟରେ ଆଦୌ ଭୋଟ ନ ହୋଇ ଜଣେ ନିର୍ବାଚିତ ହୋଇଯିବା ମଧ୍ୟ ଆମ ଗଣତାନ୍ତ୍ରିକ ପଦ୍ଧତିର ଏକ ଦୁର୍ବଳ ଦିଗ। ଆମ ଦେଶରେ ସାବାଳକ ମତଦାତାଙ୍କ ସଂଖ୍ୟା ପ୍ରାୟ ୯୬ କୋଟି। ସେମାନଙ୍କ ମଧ୍ୟରୁ ମତଦାନ ସାବ୍ୟସ୍ତ କଲେ ଶତକଡ଼ା ୬୫ ଭାଗ। ଅବଶିଷ୍ଟ ଶହକେ ୩୫ ଜଣ ଭୋଟ ଦେଲେ ନାହିଁ। ମତଦାନ ହୋଇଥିବା ଶହକେ ୬୫ ଜଣଙ୍କ ମଧ୍ୟରୁ ଭାଜପା ଭାଗରେ ପଡ଼ିଲା ଶତକଡ଼ା ୩୬। ଅର୍ଥାତ୍‌ ୧୦୦ ଜଣ ଭୋଟରଙ୍କ ମଧ୍ୟରୁ ଭାଜପା ସପକ୍ଷରେ ୨୩ ଜଣ ଭୋଟ ଦେଲେ। ବିପକ୍ଷରେ ଭୋଟ୍‌ ପଡ଼ିଲା ୭୭ ଖଣ୍ଡ। ୨୩ ଜଣଙ୍କ ଭୋଟ ପାଇ ଶାସକ ଭାଜପା ଅବଶିଷ୍ଟ ୭୭ ଜଣଙ୍କ ଉପରେ ଶାସନ କରିବାକୁ ଯୋଗ୍ୟ ବିବେଚିତ ହେଲା। ଆନୁପାତିକ ପ୍ରତିନିଧିତ୍ୱ ବ୍ୟବସ୍ଥାରେ ଏହା ସମ୍ଭବ ହୋଇ ନଥାନ୍ତା। ଏହି ବ୍ୟବସ୍ଥାରେ ଶତକଡ଼ା ୩୬ ଭାଗ ଭୋଟ ପାଇ ଭାଜପା ୫୪୩ଟି ଆସନରୁ ୧୯୫ଟି ଆସନ ପାଇବାକୁ ହକ୍‌ଦାର ହୋଇଥାନ୍ତା। କିନ୍ତୁ ଭାଜପା ପାଇଛି ୨୪୦ଟି ଆସନ। ସେହିପରି କଂଗ୍ରେସ ଶତକଡ଼ା ୨୧ ଭାଗ ପାଇଥିବାରୁ ଆନୁପାତିକ ପ୍ରତିନିଧିତ୍ୱ ବ୍ୟବସ୍ଥାରେ ସେ ୧୧୪ ଜଣ ପ୍ରତିନିଧିଙ୍କୁ ପଠାଇଥାନ୍ତା। କିନ୍ତୁ କଂଗ୍ରେସ ଭାଗରେ ପଡ଼ିଛି ମାତ୍ର ୯୯ଟି ଆସନ। ଆମର ପ୍ରଚଳିତ ଲୋକ ପ୍ରତିନିଧି ଆଇନ ଏକ ଅସମ ବଣ୍ଟନ ବ୍ୟବସ୍ଥା ଉପରେ ଯେ ପର୍ଯ୍ୟବସିତ, ଏଥିରେ କେହି ଦ୍ୱିମତ ହେବେ ନାହିଁ। ଏହି ବ୍ୟବସ୍ଥାରେ ପରାଜିତ ପ୍ରାର୍ଥୀଙ୍କ ସପକ୍ଷରେ ପଡ଼ିଥିବା ଭୋଟ୍‌ର କୌଣସି ମୂଲ୍ୟ ରହେ ନାହିଁ। ଅନ୍ୟପକ୍ଷରେ ଆନୁପାତିକ ପ୍ରତିନିଧିତ୍ୱ ବ୍ୟବସ୍ଥାରେ ପ୍ରତ୍ୟେକଟି ଭୋଟ୍‌ର ମୂଲ୍ୟ ରହିଥାଏ ଏବଂ ଗଣତାନ୍ତ୍ରିକ ଧାରାକୁ ଏହା ଅଧିକ ସୁଦୃଢ଼ କରେ।
ଆନୁପାତିକ ପ୍ରତିନିଧିତ୍ୱ ବ୍ୟବସ୍ଥାରେ କୌଣସି ପ୍ରାର୍ଥୀ ନ ଲଢ଼ି ପାର୍ଟି ଲଢ଼ିଥାନ୍ତି। ନିର୍ବାଚନ ପୂର୍ବରୁ ପ୍ରତ୍ୟେକଟି ଦଳ ନିଜ ନିଜର ଯୋଗ୍ୟ ପ୍ରତିନିଧିଙ୍କ ଏକ ତାଲିକା ନିର୍ବାଚନ କମିଶନଙ୍କ ପାଖରେ ଦାଖଲ କରନ୍ତି। ଯେଉଁ ଦଳ ଯେତେ ଭୋଟ୍‌ ପାଏ ଶତକଡ଼ା ହିସାବରେ ସେହି ଦଳ ଦାଖଲ କରିଥିବା ତାଲିକାରୁ ନିର୍ବାଚନ କମିଶନ ସେତେ ଜଣ ପ୍ରତିନିଧି ଗ୍ରହଣ କରିଥାନ୍ତି। ପ୍ରତିନିଧିଙ୍କ ସଂଖ୍ୟାକୁ ବିଚାର କରି ସରକାର ଗଠନ କରିବାକୁ ନିର୍ବାଚନ କମିଶନ ଆମନ୍ତ୍ରଣ କରିଥାନ୍ତି। ସରକାର ଏକକ ହୋଇପାରେ କିମ୍ବା ମିଳିତ ବି ହୋଇପାରେ। କୌଣସି ପ୍ରତିନିଧି ଇସ୍ତଫା ଦେଲେ କିମ୍ବା ତାଙ୍କର ମୃତ୍ୟୁ ଘଟିଲେ ନିର୍ବାଚନ କମିଶନ ପୂର୍ବ ପ୍ରଦତ୍ତ ତାଲିକାରେ ଥିବା ପରବର୍ତ୍ତୀ ବ୍ୟକ୍ତିଙ୍କୁ ପ୍ରତିନିଧି ରୂପେ ଗ୍ରହଣ କରିଥାନ୍ତି। ଫଳରେ କୌଣସି ଆସନ ଫାଙ୍କା ପଡ଼େ ନାହିଁ କି ଉପନିର୍ବାଚନର ଆବଶ୍ୟକତା ପଡ଼େ ନାହିଁ। ମନ୍ତ୍ରିମଣ୍ଡଳ ପୂରା ଅବଧି ପୂର୍ଣ୍ଣ କରେ। ମଧ୍ୟବର୍ତ୍ତିକାଳୀନ ନିର୍ବାଚନର ମଧ୍ୟ ଆବଶ୍ୟକତା ନ ଥାଏ।
ସୁଇଡେନ୍‌, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ ସମେତ ବିଶ୍ୱର ୯୩ଟି ଦେଶ ଆନୁପାତିକ ପ୍ରତିନିଧିତ୍ୱ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିଆସୁଛନ୍ତି। ୧୯୯୬ରେ ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରିମଣ୍ଡଳ ଏହି ବ୍ୟବସ୍ଥାକୁ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲା। ୧୯୯୯ରେ ଲ’ କମିଶନ ମଧ୍ୟ ଏହାକୁ ଅନୁମୋଦନ କରିଥିଲା। ମାତ୍ର ଅଦ୍ୟାବଧି ଏହାକୁ କାର୍ଯ୍ୟକାରୀ କରାଯାଇ ପାରିନାହିଁ। ଏହାକୁ କାର୍ଯ୍ୟକାରୀ କରିବାକୁ ସମ୍ବିଧାନ ସଂଶୋଧନର ଆବଶ୍ୟକତା ମଧ୍ୟ ନାହିଁ। କେବଳ ପାର୍ଲାମେଣ୍ଟରେ ସଂଖ୍ୟାଧିକ ଭୋଟ୍‌ର ଆବଶ୍ୟକତା ରହିଛି।
ଚିରାଚରିତ ଭାବେ ପାର୍ଟି ଟିକେଟରେ ଲଢ଼ି ଆସିଥିବା ରାଜନେତାମାନେ ଏହାକୁ କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ ନୁହନ୍ତି। ଏହା ହେଲେ ହୁଏତ ସେମାନଙ୍କ ଜମିଦାରି ଚାଲିଯିବ। ଦଳର ତାଲିକାରେ ଏମାନଙ୍କ ନାମ ରହିବାର କୌଣସି ଗ୍ୟାରେଣ୍ଟି ରହିବ ନାହିଁ। ଅସାଧୁ ଓ ଅପରାଧୀମାନେ ନିର୍ବାଚନ ଲଢ଼ିବାର ସୁଯୋଗ ପାଇବେ ନାହିଁ। ମହିଳା ସଂରକ୍ଷଣ ବିଲ୍‌ ଆଇନରେ ପରିଣତ ହେବାକୁ ଯେପରି ପ୍ରତିବନ୍ଧକ ରହିଆସିଛି ଆନୁପାତିକ ପ୍ରତିନିଧିତ୍ୱ ବ୍ୟବସ୍ଥା ବର୍ତ୍ତମାନ ସମଦଶା ଭୋଗୁଛି। ‘ଏକ ଦେଶ, ଏକ ନିର୍ବାଚନ’ ନାରା ଭିତର ଦେଇ ଏହାର ପଥ ଆହୁରି ସଂକୁଚିତ ହୋଇଯାଇଛି। ଆମ ଦେଶର ନିର୍ବାଚନଟା ଅର୍ଥବଳ ଓ ବାହୁବଳ ଦ୍ୱାରା କବଳିତ। ସଦ୍ୟ ସମାପ୍ତ ସାଧାରଣ ନିର୍ବାଚନ ଆମକୁ ଅନେକ ତିକ୍ତ-ମଧୁର ଅନୁଭୂତି ଆଣି ଦେଇଛି। ଗଣତାନ୍ତ୍ରିକ ବ୍ୟବସ୍ଥାଟି ଅତ୍ୟନ୍ତ କଳୁଷିତ ହୋଇଯାଇଛି।
ମୋ: ୭୯୭୫୦୪୬୪୮୬