Categories: ଜାତୀୟ

କୃଷକ ଆନ୍ଦୋଳନ: ଆଲୋଚନା ନିଷ୍ଫଳ, ଅଚଳାବସ୍ଥା ଜାରି

ନୂଆଦିଲ୍ଲୀ,୪ା୧୨:୩ ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶ ସମେତ ଅନ୍ୟ ରାଜ୍ୟଗୁଡ଼ିକର ଚାଷୀମାନେ ଚଳାଇଥିବା ଆନ୍ଦୋଳନ ଗୁରୁବାର ଅଷ୍ଟମ ଦିନରେ ପହଞ୍ଚତ୍ଛି। ଦିଲ୍ଲୀରୁ ବୁରାଡିସ୍ଥିତ ନିରଙ୍କାରୀ ପଡ଼ିଆ ସମେତ ଜାତୀୟ ରାଜଧାନୀ ସୀମାରେ ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ ବିକ୍ଷୋଭ ଜାରି ରହିଛି। ସରକାର ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଡାକି ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର କରିବା ସହ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ସୁନିଶ୍ଚିତ କରିବା ପାଇଁ ନୂଆ ଆଇନ ଆଣନ୍ତୁ ବୋଲି ଚାଷୀମାନେ ଅଡ଼ିବସିଛନ୍ତି। ନଚେତ୍‌ ଦିଲ୍ଲୀକୁ ସିଲ୍‌ କରିଦିଆଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଏହି ଅଚଳାବସ୍ଥା ଦୂର କରିବା ପାଇଁ କେନ୍ଦ୍ର ସରକାର ଓ ପ୍ରାୟ ୪୦ ଚାଷୀ ନେତାଙ୍କ ମଧ୍ୟରେ ହୋଇଥିବା ଚତୁର୍ଥ ପର୍ଯ୍ୟାୟ ବୈଠକ ନିଷ୍ଫଳ ହୋଇଛି। ଇତିମଧ୍ୟରେ ନୂଆ ଆଇନରେ ମଣ୍ଡି ବ୍ୟବସ୍ଥାକୁ ନେଇ କୃଷକମାନଙ୍କ ଆପତ୍ତି ଶୁଣିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ବୋଲି କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଟୁଇଟ୍‌ କରିଛନ୍ତି। ଏବେ ଶନିବାର ହେବାକୁ ଥିବା ବୈଠକକୁ ଅପେକ୍ଷା।
ମିଳିଥିବା ସୂଚନାନୁସାରେ କେନ୍ଦ୍ରମନ୍ତ୍ରୀମାନେ ଉକ୍ତ ବୈଠକରେ ନୂଆ କୃଷି ଆଇନକୁ ନେଇ ବିସ୍ତୃତ ବିବରଣୀ ସହ ଏହା ଚାଷୀଙ୍କ ମଙ୍ଗଳ ପାଇଁ ଉଦ୍ଦିଷ୍ଟ ବୋଲି ସଫେଇ ଦେଇଥିଲେ। ତେବେ କୃଷକ ନେତାମାନେ ସରକାରଙ୍କ ଆଭିମୁଖ୍ୟକୁ ଖାରଜ କରିଦେଇଥିଲେ। ଅଲ୍‌ ଇଣ୍ଡିଆ କିଷାନ ସଂଘର୍ଷ କୋଅର୍ଡିନେଶନ କମିଟି (ଏଆଇକେଏସ୍‌ସିସି) କାର୍ଯ୍ୟକାରୀ ସଦସ୍ୟା ତଥା ମହାରାଷ୍ଟ୍ର ଓ ଗୁଜରାଟର ଚାଷୀଙ୍କ ପ୍ରତିନିଧିତ୍ୱ କରୁଥିବା ଲୋକ ସଂଘର୍ଷ ମୋର୍ଚ୍ଚା ଅଧ୍ୟକ୍ଷା ପ୍ରତିଭା ସିନ୍ଧେ କହିଛନ୍ତି, ଆମ ପକ୍ଷରୁ ଆଲୋଚନା ଶେଷ ହୋଇସାରିଛି। ସରକାର ଆଜି ସମାଧାନର ପନ୍ଥା ବାହାର ନ କଲେ ଆମେ ଆଉ କେନ୍ଦ୍ରର କୌଣସି ବୈଠକରେ ସାମିଲ ହେବୁ ନାହିଁ।

Share