Categories: ଜାତୀୟ

ଗିରଫ ଚାଷୀଙ୍କୁ ନ ଛାଡ଼ିଲେ ଆଲୋଚନା ହେବନି

ନୂଆଦିଲ୍ଲୀ, ୩।୨(ପି.ଟି.): ପୋଲିସ ଓ ପ୍ରଶାସନର ନିର୍ଯାତନା ବନ୍ଦ ନ ହେବା ଏବଂ ଗିରଫ ଚାଷୀଙ୍କୁ ମୁକ୍ତ ନ କରିବା ପର୍ଯ୍ୟନ୍ତ ସରକାରଙ୍କ ସହ ଆନୁଷ୍ଠାନିକ ଆଲୋଚନା ଆରମ୍ଭ ହୋଇପାରିବ ନାହିଁ ବୋଲି ମଙ୍ଗଳବାର ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି। ରାସ୍ତାରେ ଟ୍ରେଞ୍ଚ ଖୋଳି, କଣ୍ଟା ବିଛାଇ ଓ ତାରବାଡ଼ ଦେଇ, ଆଭ୍ୟନ୍ତରୀଣ ସଡ଼କଗୁଡ଼ିକୁ ବନ୍ଦ କରି, ଇଣ୍ଟରନେଟ ସେବା ବନ୍ଦ କରି ତଥା ଭାଜପା-ଆର୍‌ଏସ୍‌ଏସ୍‌ କର୍ମୀମାନଙ୍କ ଦ୍ୱାରା ବିକ୍ଷୋଭର ଆୟୋଜନ କରି ସରକାର, ପୋଲିସ ଓ ପ୍ରଶାସନ କୃଷକଙ୍କ ଉପରେ ଆକ୍ରମଣ ଚଳାଇଛି। ଆନ୍ଦୋଳନ ସ୍ଥଳରେ ଇଣ୍ଟରନେଟକୁ ବାରମ୍ବାର ଶଟ୍‌ଡାଉନ କରିବା ଏବଂ ଚାଷୀ ଆନ୍ଦୋଳନ ସହ ସମ୍ପୃକ୍ତ ଅନେକ ଟୁଇଟର ଆକାଉଣ୍ଟକୁ ବନ୍ଦ କରିଦେବା ଗଣତନ୍ତ୍ର ଉପରେ ସିଧାସଳଖ ଆକ୍ରମଣ ବୋଲି କୃଷକ ସଂଗଠନ କହିଛି। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ଅନୁରୋଧ କ୍ରମେ ଟୁଇଟର ଇଣ୍ଡିଆ ସୋମବାର ଏହାର ପ୍ଲାଟଫର୍ମରୁ ୨୫୦ ଆକାଉଣ୍ଟକୁ ବନ୍ଦ କରିଦେଇଥିଲା। ପରେ କେତେକ ଆକାଉଣ୍ଟକୁ ରିଆକ୍ଟିଭେଟ୍‌ କରାଯାଇଥିଲା। ଏଥିରୁ ଯାହା ଜଣାପଡ଼ୁଛି, ଆନ୍ଦୋଳନ ପ୍ରତି ବିଭିନ୍ନ ରାଜ୍ୟରୁ ସମର୍ଥନ ବଢ଼ୁଥିବାରୁ ସରକାର ଅତ୍ୟନ୍ତ ଭୟଭୀତ ହୋଇ ପଡ଼ିଛନ୍ତି ବୋଲି ସଂଯୁକ୍ତ କିଷାନ ମୋର୍ଚ୍ଚା କହିଛି।

Share