ସେବା କାର୍ଯ୍ୟ ସହ ମାଗଣାରେ ପାଠପଢ଼ାଉଛନ୍ତି ନେହା

ନୂଆପଡ଼ା ଅଫିସ, ୪।୬: ଛତିଶଗଡ ସୀମାନ୍ତ ନୂଆପଡ଼ା ଜିଲା ଖରିଆର ରୋଡ ସହରରେ କୋମଳମତି ବାଳିକାବାଳକଙ୍କ ମୁହଁରେ ହସ ଫୁଟାଇବା ସହ ମାଗଣାରେ ଶିକ୍ଷାଦାନ କରୁଛନ୍ତି ଜଣେ ଉଚ୍ଚ ଶିକ୍ଷିତା ମହିଳା। ୪ ବର୍ଷ ପୂର୍ବେ ପ୍ରଥମେ ୩ଜଣ ପିଲାକୁ ନେଇ ପାଠପଢା ଆରମ୍ଭ କରିଥିଲେ। ବର୍ତ୍ତମାନ ୩୦ଜଣ ବାଳିକାବାଳକ ମାଗଣାରେ ଶିକ୍ଷା ନେଉଛନ୍ତି। ରାଜଧାନୀ ଦିଲ୍ଲୀ ସହରର ଉଚ୍ଚ ଶିକ୍ଷିତା ଝିଅ ନେହା ଡାଗା। ସେ ଦିଲ୍ଲୀରେ ବାପା ଘରେ ରହିଥିବା ବେଳେ ଏକ ଘରୋଇ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ ଶିକ୍ଷାଦାନ କରୁଥିଲେ। ୨୦୦୮ରେ ନୂଆପଡା ଜିଲା ଖରିଆର ରୋଡ ସହରର ନିଶାନ୍ତ ଡାଗାଙ୍କୁ ବିବାହ କରିଛନ୍ତି। ତାଙ୍କର ଦୁଇ ପିଲା ମଧ୍ୟ ଅଛନ୍ତି। ଘର ସଂସାର ସମ୍ବାଳିବା ସହ ମାଗଣାରେ ଶିକ୍ଷାଦାନ କରୁଛନ୍ତି। ନେହାଙ୍କ ଶ୍ୱଶୁର ସ୍ବର୍ଗତ ନିମିଚନ ଡାଗା ୧୯୬୦ରେ ଖରିଆର ରୋଡ ସେବା ସମିତି ନାମରେ ଏକ ସଙ୍ଗଠନ କରି ଗରିବ ଲୋକଙ୍କୁ ସେବା କରି ଆସୁଥିଲେ। ତାଙ୍କ ଦେହନ୍ତ ପରେ ତାଙ୍କ ପୁଅ ନିଶାନ୍ତ ଡାଗା ସେବା ସମିତି କାର୍ଯ୍ୟଭାର ସମ୍ଭାଳୁଛନ୍ତି। ଯେତେବେଳେ ନେହା ବିବାହ ହୋଇ ଖରିଆର ରୋଡ ସହରକୁ ଆସିଲେ ଶ୍ୱଶୁରଙ୍କ ଅଧୁରା ସପ୍ନକୁ ପୁରଣ କରିବା ପାଇଁ ନେହା ମହିଳା ସେବା ସମିତି ସଙ୍ଗଠନ କରି ସହରର ମହିଳାମାନଙ୍କୁ ନେଇ ବିଭିନ୍ନ ସେବା କାର୍ଯ୍ୟ କରି ପ୍ରଶଂସିତ ହୋଇଛନ୍ତି। ଦିଲ୍ଲୀରେ ଶିକ୍ଷାଦାନ କରୁଥିବା ସମୟରେ ଶିକ୍ଷାର ମହତ୍ୱ ବୁଝି ପାରିଥିବା ନେହା ସହରର ଆର୍ଥତ୍କ ସ୍ଥିତି ଦୁର୍ବଳ ଥିବା ପିଲାମାନଙ୍କୁ ନେଇ ନିଜ ଘର ବାରଣ୍ଡାରେ ୪ରୁ ୫ ବର୍ଷ ହେବ ପ୍ରତିଦିନ ୨ରୁ ୩ ଘଣ୍ଟା ଶିକ୍ଷାଦାନ କରନ୍ତି। ପିଲାମାନଙ୍କୁ ଗଣିତ, ବିଜ୍ଞାନ, ଇଂରାଜୀ, ହିନ୍ଦି, ସାଧାରଣ ଜ୍ଞାନ ସହ ବଭିନ୍ନ ପ୍ରକାର ଚିତ୍ରାଙ୍କନ ଶିଖାଉଛନ୍ତ। ଜଣେ ଗୃହିଣୀ ହୋଇ ଘର ସଂସାର ଚଳାଇବା ସହ ଅନ୍ୟର ଦୁଃଖରେ ଦୁଃଖି ହୋଇ ସେବା କାର୍ଯ୍ୟରେ ଲିପ୍ତ ରହିି ମାଗଣାରେ ଶିକ୍ଷାଦାନ କରୁଥିବା। ଏହା ଅନ୍ୟ ଶିକ୍ଷିତ ମହିଳାମାନଙ୍କୁ ନିଶ୍ଚୟ ପ୍ରେରଣା ଦେବ। ନେହାଙ୍କ ଶିକ୍ଷାଦାନରେ ପିଲାମାନେ ବେଶ ଖୁସରେ ଅଧ୍ୟୟନ କରିବା ସହ ଶିକ୍ଷାର ବୃଦ୍ଧି ମଧ୍ୟ ହେଉଛି। ତାଙ୍ଗର ଏହି ମହତ୍ୱ କାର୍ଯ୍ୟକୁ ଲୋକେ ପ୍ରଶଂସା କରୁଛନ୍ତି।

Share