ଜନ୍ମ ପୂର୍ବରୁ ନେହାଙ୍କୁ ମାରିଦେବାକୁ ଚାହୁଁଥିଲେ ମା’

ବଲିଉଡ୍‌ର ପ୍ରସିଦ୍ଧ ଗାୟିକା ନେହା କକ୍କର ଆଜି ୩୪ ବର୍ଷରେ ପଦାର୍ପଣ କରିଛନ୍ତି। ସଫଳତାର ଶିଖରରେ ପହଞ୍ଚିଥିବା ନେହାଙ୍କ ଜୀବନ ସଂଘର୍ଷରେ ପରିପୂର୍ଣ୍ଣ ଥିଲା। ଗୀତ ରିଆଲିଟି ଶୋ’ ଇଣ୍ଡିଆନ ଆଇଡଲ୍‌ରୁ ଜଣେ ପ୍ରତିଯୋଗୀ ଭାବେ ସଙ୍ଗୀତ ଜୀବନ ଆରମ୍ଭ କରି ଜଣେ ବିଚାରପତି ହେବା ପର୍ଯ୍ୟନ୍ତ ନେହାଙ୍କ ଯାତ୍ରା ଅତ୍ୟନ୍ତ ପ୍ରେରଣାଦାୟକ। ତାଙ୍କ ଜୀବନରେ ଏମିତି ଏକ ପର୍ଯ୍ୟାୟ ଥିଲା, ଯେତେବେଳେ ତାଙ୍କ ମା’ ତାଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ। ନେହା ଗର୍ଭରେ ଥିବାବେଳେ ମା’ ତାଙ୍କୁ ଦୁନିଆକୁ ଆଣିବାକୁ ଚାହୁଁ ନ ଥିଲେ। ନେହାଙ୍କ ବଡ଼ଭାଇ ଟୋନି କକ୍କର ଏନେଇ ଏକ ସାକ୍ଷାତ୍‌କାରରେ ଖୁଲାସା କରିଥିଲେ।
ନେହାଙ୍କ ଜନ୍ମ ପୂର୍ବରୁ ତାଙ୍କ ପରିବାର ଏକ ଛୋଟ ଭଡ଼ାଘରେ ରହୁଥିଲେ। ଟୋନି କକ୍କର ଏବଂ ସୋନୁ କକ୍କରଙ୍କ ଜନ୍ମ ପରେ ତାଙ୍କ ମାତାପିତା ତୃତୀୟ ସନ୍ତାନ ଜନ୍ମ ହେବାକୁ ଚାହୁଁ ନ ଥିଲେ। କିନ୍ତୁ ଭୁଲ୍‌ବଶତଃ ନେହା ରହିଯିବାରୁ ତାଙ୍କ ମା’ ଗର୍ଭପାତ କରାଇଦେବାକୁ ଚାହୁଁଥିଲେ। କିନ୍ତୁ ଗର୍ଭଧାରଣର ୮ସପ୍ତାହ ବିତିଯାଇଥିବାରୁ ତାଙ୍କ ମା’ ଗର୍ଭପାତ କରିପାରି ନ ଥିଲେ। ଜୁନ୍‌ ୬, ୧୯୮୮ରେ ନେହା ଜନ୍ମ ହୋଇଥିଲେ।
ପିଲାଦିନରୁ ଗୀତ ଗାଇବାକୁ ଆଗ୍ରହୀ ଥିବା ନେହା ତାଙ୍କ ବଡ଼ ଭଉଣୀ ସୋନୁ ଏବଂ ଭାଇ ଟୋନିଙ୍କ ସହ ମେଳାରେ ଭଜନ ଗାଉଥିଲେ। ଉଭୟ ଦୀର୍ଘ ସମୟ ଧରି ଭଜନ ଗାଇ ଟଙ୍କା ରୋଜଗାର କରିଥିଲେ। ପରେ ନେହା ରିଆଲିଟି ଶୋ’ ଇଣ୍ଡିଆନ ଆଇଡଲ୍‌ରେ ଅଂଶଗ୍ରହଣ କରିଥିଲେ। ଏହାପରେ ତାଙ୍କ ସଙ୍ଗୀତ କ୍ୟାରିୟର ବଦଳିଯାଇଥିଲା। ଯଦିଓ ଏହି ଶୋ’ରେ ସେ ଅଧିକ ସଫଳତା ପାଇ ନ ଥିଲେ, କିନ୍ତୁ ୨୦୦୮ରେ, ସେ ତାଙ୍କର ଆଲବମ ‘ନେହା ଦି ରକଷ୍ଟାର୍‌’ ଲଞ୍ଚ କରିଥିଲେ। ଏହା ପରେ ସେ ନିଜ ଲକ୍ଷ୍ୟ ହାସଲ କରିବା ପଥରେ ଧୀରେ ଧୀରେ ଅଗ୍ରଗତି କଲେ ଏବଂ ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କଲେ।
ନେହା ତାଙ୍କ ଗୀତ ‘ସେକେଣ୍ଡ ହ୍ୟାଣ୍ଡ ଜବାନୀ’ ସହିତ ବଲିଉଡ୍‌ରେ ନିଜର ପରିଚୟ ସୃଷ୍ଟି କରିଥିଲେ। ଏହି ଗୀତଟି ତାଙ୍କର ପ୍ରଥମ ହିଟ୍‌ ଗୀତ ବୋଲି ବିବେଚନା କରାଯାଏ। ଏହାପରେ ସେ ବଲିଉଡ୍‌କୁ ଅନେକ ହିଟ୍‌ ଗୀତର ସ୍ବର ଦେଇଛନ୍ତି।

Share