Categories: ଖେଳ

ସେଲିଂ: ନେହା ରୌପ୍ୟ, ଅଲୀଙ୍କୁ ବ୍ରୋଞ୍ଜ

ନିଙ୍ଗବୋ (ଚାଇନା), ୨୭।୯ (ପି.ଟି.): ଏସିଆନ ଗେମ୍ସର ସେଲିଂ ଇଭେଣ୍ଟରେ ଭାରତୀୟ ପ୍ରତିଯୋଗୀମାନେ ଭଲ ପ୍ରଦର୍ଶନ କରିଛନ୍ତି। ମଙ୍ଗଳବାର ଏଥିରୁ ଭାରତକୁ ୨ଟି ପଦକ ମିଳିଛି। ୧୭ ବର୍ଷୀୟା ନେହା ଠାକୁର ରୌପ୍ୟ ଏବଂ ଇଆବାଦ ଅଲୀ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ବାଳିକା ଡିନ୍‌ଘି ଆଇଏଲ୍‌ସିଏ-୪ ଇଭେଣ୍ଟରେ ନେହା ପ୍ରଭାବୀ ପ୍ରଦର୍ଶନ କରି ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ। ପୁରୁଷ ଓ୍ବିଣ୍ଡସର୍ଫର ଆର୍‌ଏସ୍‌:ଏକ୍ସ ଇଭେଣ୍ଟରେ ଅଲୀ ୫୨ ପଏଣ୍ଟ ସ୍କୋର କରି ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏଥିରେ ଥାଇଲାଣ୍ଡର ନାଟ୍ଟାଫୋଙ୍ଗ୍‌ ଫୋନୋଫାରାଟ ରୌପ୍ୟ ଓ କୋରିଆର ଓ୍ବନଉ ଚୋ ସ୍ବର୍ଣ୍ଣ ପଦକ ପାଇଥିଲେ। ୧୪ ରେସ୍‌ ବିଶିଷ୍ଟ ଇଭେଣ୍ଟରେ ଅଲୀ ଦ୍ୱିତୀୟ ଓ ତୃତୀୟ ରେସ୍‌ ଫିନିଶ୍‌ କରି ନ ପାରିବାରୁ ତାଙ୍କ ମୋଟ ୫୯ ପଏଣ୍ଟରୁ ୭ ପଏଣ୍ଟ କାଢ଼ି ନିଆଯାଇଥିଲା। ଫଳରେ ରୌପ୍ୟ ପଦକ ବିଜୟୀ ପ୍ରତିଯୋଗୀଙ୍କଠାରୁ ତାଙ୍କର ପଏଣ୍ଟ ବ୍ୟବଧାନ ୨୩ ରହିଥିଲା। ଭୋପାଳର ନ୍ୟାଶନାଲ ସେଲିଂ ସ୍କୁଲର ପ୍ରତିଭାସମ୍ପନ୍ନ ସେଲର ନେହା ମୋଟ ୩୨ ପଏଣ୍ଟ ପାଇଥିଲେ। ମାତ୍ର ନେଟ୍‌ ସ୍କୋର ୨୭ ଥିବାରୁ ସେ ଦ୍ୱିତୀୟ ସ୍ଥାନ ଅଧିକାର କରି ନେଇଥିଲେ। ଏଥିରେ ଥାଇଲାଣ୍ଡର ନୋପାସୋମ ଖୁନବୋଞ୍ଜାନ ସ୍ବର୍ଣ୍ଣ ଏବଂ ସିଙ୍ଗାପୁରର କିଏରା ମାରି କାର୍ଲି ବ୍ରୋଞ୍ଜ ପଦକ ପାଇଥିଲେ। ସେଲିଂରେ ପ୍ରତିଯୋଗୀମାନେ ଯେତେ ରେସ୍‌ କରିଥାନ୍ତି ସେଥିରୁ ସବୁଠାରୁ ଖରାପ ସ୍କୋରକୁ କାଢ଼ି ନିଆଯାଇଥାଏ। ସବୁଠାରୁ କମ୍‌ ନେଟ୍‌ ସ୍କୋରର ବିଜେତା ହୋଇଥାନ୍ତି। ନେହା ୫ମ ପର୍ଯ୍ୟାୟରେ ସବୁଠାରୁ ଖରାପ ୫ ପଏଣ୍ଟ ସ୍କୋର କରିଥିଲେ, ଯାହାକି ତାଙ୍କ ମୋଟ ସ୍କୋରରୁ କାଢ଼ି ନିଆଯାଇଥିଲା।

Share