ନୂଆଦିଲ୍ଲୀ,୨୮।୮: ଭାରତୀୟ ମହାକାଶ ଗବେଷଣା ଏଜେନ୍ସି (ଆଇଏସଆରଓ) ଗଠନରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କ ଅବଦାନକୁ ହଜମ କରିବାରୁ ନ ଥିବା ଭାଜପାକୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ଏମ୍ପି ତଥା ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ। ଜୟରାମ ରମେଶ କହିଛନ୍ତି ଯେ, ପଣ୍ଡିତ ନେହେରୁ କେବଳ ବଡ଼ ବଡ଼ କଥା କହିନାହାଁନ୍ତି, ନିଷ୍ପତ୍ତି ମଧ୍ୟ ନେଇଛନ୍ତି।
ଚନ୍ଦ୍ରଯାନ-୩ର ଚନ୍ଦ୍ରରେ ଐତିହାସିକ ଅବତରଣ ପରେ ଭାରତର ମହାକାଶ କାର୍ଯ୍ୟକ୍ରମକୁ ନେଇ ଶାସକ ଭାଜପା ଏବଂ ବିରୋଧୀ କଂଗ୍ରେସ ମଧ୍ୟରେ ବାକ୍ଯୁଦ୍ଧ ଚାଲିଛି। ଏଥିପାଇଁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଉଦ୍ୟମକୁ କଂଗ୍ରେସ ଶ୍ରେୟ ଦେଉଥିବାବେଳେ ଶାସକ ଭାଜପା କହିଛି ଯେ, ୨୦୧୪ ପରେ ଏହି କ୍ଷେତ୍ରରେ ଏକ ବଡ ଅଗ୍ରଗତି ହୋଇଛି। ସେପଟେ ଜୟରାମ ରମେଶ ଭାଜପାକୁ ପୁଣି ଟାର୍ଗେଟ୍ କରିଛନ୍ତି।
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ପୂର୍ବରୁ ଟୁଇଟର୍)ରେ ଜୟରାମ ରମେଶ ଲେଖିଥିଲେ, ନେହେରୁ ବୈଜ୍ଞାନିକ ଆଭିମୁଖ୍ୟକୁ ପ୍ରୋତ୍ସାହିତ କରୁଥିଲେ। ଯେଉଁମାନେ ଇସ୍ରୋ ନିର୍ମାଣରେ ତାଙ୍କର ଅବଦାନ ହଜମ କରିବାରେ ଅସମର୍ଥ, ସେମାନେ ଟିଆଇଏଫ୍ଆର୍ (ଟାଟା ଇନଷ୍ଟିଚ୍ୟୁଟ ଅଫ ଫଣ୍ଡାମେଣ୍ଟାଲ ରିସର୍ଚ୍ଚ)ର ଶିଳାନ୍ୟାସ ଦିନର ତାଙ୍କ ଭାଷଣ ଶୁଣନ୍ତୁ। ସେ କେବଳ ବଡ଼ କଥା କହି ନ ଥିଲେ ବରଂ ବଡ଼ ନିଷ୍ପତ୍ତି ନେଇଥିଲେ। ଏହା ସହିତ ସେ ଭାଷଣ ମଧ୍ୟ ଶେୟାର କରିଥିଲେ।