ଧାନବାଦ,୨୧।୧୧ : ପୁଣିଥରେ ଝାଡଖଣ୍ଡ ରାଜ୍ୟର ବୁଦ୍ଧନି ମାଝିଂୟାଇନ ପୁଣିଥରେ ଏହି ଖବରରେ ଅଛନ୍ତି। ୧୯୫୯ ମସିହାରେ, ଯେତେବେଳେ ତାଙ୍କୁ ମାତ୍ର ୧୬ ବର୍ଷ ହୋଇଥିଲା ସେ ଏକ ଡ୍ୟାମ ପ୍ରକଳ୍ପରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ। ସେତେବେଳେ ଦେଶର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଦାମୋଦର ଉପତ୍ୟକା ନିଗମର ପଞ୍ଚେତ ଡ୍ୟାମ ଏବଂ ହାଇଡ୍ରୋ ପାୱାର ପ୍ଲାଣ୍ଟର ଉଦଘାଟନ କରିବାକୁ ଆସିଥିଲେ। ଏହି ଅବସରରେ ନେହେରୁ ଶ୍ରମିକମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ଭାବରେ ବୁଦ୍ଧନିଙ୍କୁ ଫୁଲମାଳ ପିନ୍ଧାଇ ଦେଇଥିଲେ। ସେବେଠାରୁ ତାଙ୍କୁ ନେହେରୁଙ୍କର ଆଦିବାସୀ ସ୍ତ୍ରୀ କୁହାଯିବା ଆରମ୍ଭ ହୋଇଥିଲା।
ବୁଦ୍ଧନି ୧୭ ନଭେମ୍ବର ୨୦୨୩ରେ ପଞ୍ଚେତରେ ୮୦ ବର୍ଷ ବୟସରେ ଦେହତ୍ୟାଗ କରିଥିଲେ ଏବଂ ସେଠାରେ ତାଙ୍କର ଶେଷ ରୀତିନୀତି କରାଯାଇଥିଲା। ଏହି ଅବସରରେ ସ୍ଥାନୀୟ ରାଜନେତା ଏବଂ ନାଗରିକମାନେ ଉପସ୍ଥିତ ଥିଲେ। ଏକ ରିପୋର୍ଟ ଅନୁଯାୟୀ, ବୁଦ୍ଧନି ପଞ୍ଚେତ ଡ୍ୟାମରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ। ଯାହା ବର୍ତ୍ତମାନ ଧାନବାଦ ନିକଟରେ ଅଛି। ଯେତେବେଳେ ତାଙ୍କୁ ନେହେରୁ ଫୁଲମାଳ ପିନ୍ଧାଇଥିଲେ କେହି ଭାବି ନ ଥିଲେ ଏହା ତାଙ୍କ ସମଗ୍ର ଜୀବନକୁ ବଦଳାଇ ଦେବ। କିନ୍ତୁ ଏହି ଘଟଣା ପରେ ସାନ୍ତାଳି ସମ୍ପ୍ରଦାୟ ତାଙ୍କୁ ଅଲଗା କରିଦେଇଥିଲେ କାରଣ ସେମାନେ ଫୁଲମାଳ ପିନ୍ଧିବାକୁ ବିବାହ ବୋଲି ଭାବୁଥିଲେ।
ଏଥିପାଇଁ ବୁଦ୍ଧନି ସାରା ଜୀବନ ତାଙ୍କ ଗାଁକୁ ଯାଇପାରି ନ ଥିଲେ। ଏବେ ତାଙ୍କ ସ୍ମାରକୀ ନିର୍ମାଣ କରିବାକୁ ଦାବି ହେଉଛି। ନେହେରୁଙ୍କ ଭଳି ଜଣେ ଅଣ-ଆଦିବାସୀଙ୍କଠାରୁ ଫୁଲମାଳ ପିନ୍ଧିଥିବାରୁ ତାଙ୍କୁ ଆଜୀବନ ସମ୍ପ୍ରଦାୟରୁ ବହିଷ୍କୃତ କରାଯାଇଥିଲା ଏବଂ ତାଙ୍କ ଗାଁରେ ପ୍ରବେଶ କରିବାକୁ ମଧ୍ୟ ଅନୁମତି ଦିଆଯାଇ ନ ଥିଲା। ବର୍ତ୍ତମାନ ସ୍ଥାନୀୟ ପାର୍କରେ ନେହେରୁଙ୍କ ପ୍ରତିମୂର୍ତ୍ତି ନିକଟରେ ବୁଦ୍ଧନିଙ୍କ ସମ୍ମାନାର୍ଥେ ଏକ ସ୍ମାରକୀ ନିର୍ମାଣ ପାଇଁ ଦାବି କରାଯାଇଛି। ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ଅଶୋକ ମଣ୍ଡଳ କହିଛନ୍ତି ପଞ୍ଚେତ ଡ୍ୟାମ ନିର୍ମାଣରେ ବୁଦ୍ଧନିଙ୍କ ଅବଦାନ ସର୍ବଦା ସ୍ମରଣୀୟ ରହିବ।
ଡ୍ୟାମ ଆରମ୍ଭ କରିବା ପାଇଁ ବୁଦ୍ଧନି ବଟନ ଦବାଇଥିଲେ। କିନ୍ତୁ ୧୯୬୨ ମସିହାରେ ଅନ୍ୟ ଶ୍ରମିକମାନଙ୍କ ସହିତ ବୁଦ୍ଧନିଙ୍କୁ ସେଠାରୁ ହଟାଇ ଦିଆଯାଇଥିଲା । ଏହି ବନ୍ଧ ଯୋଗୁଁ ତାଙ୍କ ଜମି ମଧ୍ୟ ଜଳମଗ୍ନ ହୋଇଥିଲା। ସେ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗର ପୁରୂଲିଆରେ ଦିନ ମଜୁରିଆ ଶ୍ରମିକ ହୋଇ ଯାଇଥିଲେ। ସେଠାରେ ତାଙ୍କର ସୁଧୀର ଦତ୍ତଙ୍କ ସହିତ ପରିଚୟ ହୋଇଥିଲା। ଉଭୟ ପରସ୍ପରକୁ ଭଲ ପାଇଥିଲେ। ତେବେ ସମାଜକୁ ଡରି ବିବାହ କରି ପାରି ନ ଥିଲେ। ତେବେ ସେମାନେ ଏକାଠି ରହିଥିଲେ। ସେମାନଙ୍କର ତିନି ଜଣ ସନ୍ତାନ ମଧ୍ୟ ହୋଇଥିଲେ। ଏହା ପରେ ବୁଦ୍ଧନି ୧୯୮୫ ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଭେଟିଥିଲେ ଏବଂ ତାଙ୍କ ଦୁଃଖ ବିଷୟରେ ବର୍ଣ୍ଣନା କରିଥିଲେ; ଏହା ପରେ ସେ ଡିଭିସିରେ ଚାକିରି ପାଇଲେ ଏବଂ ୨୦୦୫ରେ ସେ ଅବସର ନେଇଥିଲେ।