Categories: ଜାତୀୟ

‘ଦିଲ୍ଲୀ ପ୍ରଦୂଷଣ ପାଇଁ ପଡ଼ୋଶୀ ଦାୟୀ’

ନୂଆଦିଲ୍ଲୀ,୧୮।୧୦: ଦିଲ୍ଲୀରେ ବାୟୁ ଗୁଣବତ୍ତା ଦିନକୁ ଦିନ ଖରାପ ହେବାରେ ଲାଗିଥିବାବେଳେ ଏଥିପାଇଁ ପଡ଼ୋଶୀ ପଞ୍ଜାବ, ହରିୟାଣା ଓ ଉତ୍ତର ପ୍ରଦେଶ ଉପରେ ଦୋଷ ଲଦିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ। ଏହି ୩ ରାଜ୍ୟରେ ବହୁଳ ଭାବେ ନଡ଼ାମୂଳି ପୋଡ଼ାଯାଉଥିବାରୁ ଦିଲ୍ଲୀର ବାୟୁ ପ୍ରଦୂଷିତ ହେଉଛି। କିନ୍ତୁ କୌଣସି ରାଜ୍ୟର ସରକାର କୃଷକଙ୍କୁ ଏଥିରୁ ନିବୃତ୍ତ କରିବାକୁ କିଛି କରୁନାହାନ୍ତି ବୋଲି ଆମ୍‌ ଅଦ୍‌ମୀ ପାର୍ଟି (ଏଏପି) ଆବାହକ କେଜ୍‌ରିଓ୍ବାଲ ସମାଲୋଚନା କରିଛନ୍ତି। ୟୁପି ଏବଂ ହରିୟାଣାରେ ଭାଜପା ସରକାର କ୍ଷମତାସୀନ ଥିବାବେଳେ ପଞ୍ଜାବରେ କଂଗ୍ରେସ ସରକାର ଚାଲିଛି। ଏହି ଦୃଷ୍ଟିରୁ ଦିଲ୍ଲୀ ପ୍ରଦୂଷଣ ପାଇଁ ୩ ପଡ଼ୋଶୀ ରାଜ୍ୟର ସରକାରଙ୍କୁ କେଜ୍‌ରିଓ୍ବାଲ ଦାୟୀ କରିବାକୁ ଭିନ୍ନ ଦୃଷ୍ଟିରେ ଦେଖାଯାଉଛି।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ରବିବାର ୧୪୩୦ ଶଯ୍ୟା ବିଶିଷ୍ଟ ଶାଲିମାରବାଗ୍‌ ସରକାରୀ ହସ୍ପିଟାଲକୁ ଉଦ୍‌ଘାଟନ କରି କହିଛନ୍ତି, ପଞ୍ଜାବ, ହରିୟାଣା ଏବଂ ୟୁପି କୃଷକଙ୍କ ନଡ଼ାମୂଳି ପୋଡ଼ିରୁ ଜାତୀୟ ରାଜଧାନୀରେ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି। ଏହି ୩ ରାଜ୍ୟର ସରକାରମାନେ ଏହାକୁ ରୋକି ବାୟୁ ପ୍ରଦୂଷଣ ହ୍ରାସ କରିବାରେ ନିଜ ଉତ୍ତରଦାୟିତ୍ୱ ବୁଝିବା ଦରକାର। ମାସେ ହେଲା ଦିଲ୍ଲୀର ଏୟାର କ୍ୱାଲିଟି ଡାଟାକୁ ନେଇ ସେ ଟୁଇଟ୍‌ କରିଚାଲିଛନ୍ତି। ବିଶେଷକରି ଗତ ୩-୪ ଦିନ ଧରି ପ୍ରଦୂଷଣ ହାର ବେଶି ବଢ଼ିଛି। ସେମାନଙ୍କ ସରକାର ନଡ଼ାମୂଳି ପୋଡ଼ି ରୋକିବା ପାଇଁ କିଛି କୃଷକଙ୍କୁ ସହାୟତା ଦେଉନାହାନ୍ତି। ଫଳରେ ଚାଷୀ ବାଧ୍ୟହୋଇ ଚାଷଜମିରେ ନଡ଼ାମୂଳି ପୋଡ଼ୁଛନ୍ତି। କିନ୍ତୁ ଦିଲ୍ଲୀ ସରକାର ଆଣ୍ଟାଇ ଡଷ୍ଟ ଅଭିଯାନରୁ ନେଇ ବାୟୋ ଡିକମ୍ପୋଜର ଲିକୁଇଡ୍‌ ସିଞ୍ଚନ ପର୍ଯ୍ୟନ୍ତ ସବୁ ପ୍ରକାର ସହାୟତା ଦେଉଛନ୍ତି। ପଡ଼ୋଶୀ ରାଜ୍ୟଗୁଡ଼ିକ ଏଭଳି ପଦକ୍ଷେପ କାହିଁକି ନେଉନାହାନ୍ତି ବୋଲି କେଜ୍‌ରିଓ୍ବାଲ ପ୍ରଶ୍ନ କରିଛନ୍ତି। ପ୍ରକାଶ ଯେ, ରବିବାର ଅପରାହ୍ନ ୨ଟାରେ ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୩୩୯ ଥିଲା, ଯାହାକୁ ଅତ୍ୟନ୍ତ ଖରାପ ଶ୍ରେଣୀରେ ଧରାଯାଇଥାଏ। ଏକ୍ୟୁଆଇ ଶୂନରୁ ୫୦ ମଧ୍ୟରେ ରହିଲେ ଉତ୍ତମ ଏବଂ ୫୧ରୁ ୧୦୦ ରହିଲେ ସନ୍ତୋଷଜନକ ବୋଲି କୁହାଯାଏ। ଏହା ପୂର୍ବରୁ ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାଏ ମଧ୍ୟ ଅନୁରୂପ ଚିନ୍ତା ପ୍ରକଟ କରି ପ୍ରଦୂଷଣ ପାଇଁ ପଡ଼ୋଶୀ ରାଜ୍ୟଗୁଡ଼ିକୁ ଦାୟୀ କରିଥିଲେ।

 

Share