ଘର ଆଗରେ ବାଡ଼ବୁଜିଲେ ପଡ଼ୋଶୀ

କୋରେଇ,୫।୪(ଡି.ଏନ.ଏ.): ଜମି ବିବାଦକୁ ନେଇ ଯାଜପୁର ଜିଲା କୋରେଇ ବ୍ଲକ ଅଧୀନ ପଛିକୋଟ ପଞ୍ଚାୟତ କଡ଼ମା ଗ୍ରାମରେ କଙ୍ଗାରୁ କୋର୍ଟ ହୋଇଛି ା ୨ ଦିନ ହେବ ଗୋଟିଏ ପରିବାରର ଘର ଚତୁର୍ପାର୍ଶ୍ୱରେ ବାଡ଼ ବୁଜି ସମସ୍ତ ବାଟ ବନ୍ଦ କରିଦେଇଛନ୍ତି ପଡ଼ୋଶୀ ଅନ୍ୟ ଏକ ପରିବାର। ଫଳରେ ଉକ୍ତ ପରିବାରର ସଦସ୍ୟ ଘରୁ ବାହାରି ନ ପାରି ଭୋକ ଉପାସରେ ଦିନ କାଟୁଛନ୍ତି।
ଖବର ଅନୁଯାୟୀ, ଗ୍ରାମର ସ୍ବର୍ଗତ ରବି ମଳିକଙ୍କ ସ୍ତ୍ରୀ ପ୍ରମିଳା ମଳିକ ୫୦ ବର୍ଷରୁ ଊଦ୍ଧର୍‌ବ ହେବ ୫ ଡିସିମିଲ ଜମିରେ ୨ପୁଅଙ୍କ ସହିତ ରହି ଆସୁଛନ୍ତି। କିନ୍ତୁ ସେହି ଗ୍ରାମର କୈଳାସ ମଳିକ, କୀର୍ତ୍ତନ ମଳିକ, ବାବୁଲି ମଳିକ, ଅଜୟ ମଲିକ, ମୁନା ମଳିକ ପ୍ରମୁଖ ଉକ୍ତ ଜମି ତାଙ୍କର ବୋଲି କହିବା ସହିତ ଜାଗା ଛାଡି ଚାଲିଯିବା ପାଇଁ ପୂର୍ବରୁ ବହୁବାର କହିଥିଲେ। ଏପରିକି ପ୍ରମିଳାଙ୍କ ପରିବାରକୁ ଧମକାଇବା ସହିତ ମାଡ଼ ମାରି ଲହୁଲୁହାଣ ମଧ୍ୟ କରିଛନ୍ତି। ଏନେଇ କୋରେଇ ଥାନାରେ ପୂର୍ବରୁ ଅଭିଯୋଗ ହେବା ସହିତ ଜମି ସଙ୍କ୍ରାନ୍ତରେ ମାମଲା ଚାଲିଥିବା ସୂଚନା ମିଳିଛି। ବ୍ୟାସନଗର ତହସିଲ ପକ୍ଷରୁ ପୋଲିସ ଉପସ୍ଥିତିରେ ଏହି ଜମିକୁ ମାପଚୁପ କରାଯାଇ ଏକ ବାଟ ଛଡ଼ାଯିବା ସହିତ ଜାଗାରେ ୧୪୪ଧାରା ଲାଗୁ କରାଯାଇଥିଲା।
କିନ୍ତୁ ସୋମବାର ଉପରୋକ୍ତ ଲୋକମାନେ ମିଳିତ ଭାବେ ଉକ୍ତ ଜାଗାର ଚାରିପଟେ କଣ୍ଟା ଗଛର ବାଡ ବୁଜି ଦେବା ଫଳରେ ପ୍ରମିଳା ପରିବାର ଆଉ ବାହାରି ପାରୁନାହାନ୍ତି। ଦୁଇ ଦିନ ଧରି ଭୋକ ଉପାସରେ ରହିବା ସହିତ ପରିବାରର ୯ ସଦସ୍ୟ ବନ୍ଦୀ ଜୀବନ କାଟୁଛନ୍ତି। ପଡୋଶୀ ଲୋକେ ଖାଇବାକୁ ଦେଉଛନ୍ତି। ଏ ନେଇ ପ୍ରମିଳା କୋରେଇ ଥାନାରେ ଅଭିଯୋଗ କରିବାରୁ ପୋଲିସ ମାମଲା ରୁଜୁ ନ କରି କୋର୍ଟ ଏ କଥା ବୁଝିବ କହି ତାଙ୍କୁ ଥାନାରୁ ବିଦା କରିଦେଇଥିବା ସେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ମଙ୍ଗଳବାର ପ୍ରମିଳାଙ୍କ ସହିତ ଗ୍ରାମର ପ୍ରାୟ ୧୦ ଜଣ ମହିଳା ଥାନାକୁ ଯାଇ ପୁଣି ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତଙ୍କୁ ଡାକି ସମାଧାନ କରିବ ବୋଲି ଏସ୍‌ଆଇ ବିଶ୍ୱଜିତ ବିଶ୍ବାଳ ସୂଚନା ଦେଇଛନ୍ତି।

Share