ଅନ୍ତିମ ସଂସ୍କାର ପାଇଁ ଆସିଲେନି ସାହି-ପଡ଼ିଶା: ଦୁଇ ପୁଅଙ୍କୁ ନେଇ ସ୍ତ୍ରୀ କଲେ ଏପରି…

ବେଲଗାମ୍‌, ୧୯।୭: କରୋନା ମହାମାରୀ ସଙ୍କଟ ସମୟରେ ଲୋକଙ୍କ ମଧ୍ୟରେ ମାନବିକତା ରହୁ ନ ଥିବା ନେଇ ଏବେ ଚର୍ଚ୍ଚା ହେଉଛି। ଏହାର ସଦ୍ୟତମ ଉଦାହରଣ କର୍ନାଟକର ବେଲଗାମ୍‌ରେ ଘଟିଛି। ଏଠାରେ ୫୫ ବର୍ଷ ବୟସ୍କ ସଦାଶିବ ହିରସ୍ତିଙ୍କ ମୃତ୍ୟୁ ଘଟିଥିଲା। ତାଙ୍କର ମୃତ୍ୟୁ ହୃଦ୍‌ଘାତ ଯୋଗୁ ଘଟିଥିବା କୁହାଯାଉଛି। ତେବେ କାଳେ ସଦାଶିବଙ୍କୁ କରୋନା ହୋଇଥିବା ଆଶଙ୍କା କରି ଅନ୍ତିମ ସଂସ୍କାର ପାଇଁ ସାହି ପଡ଼ିଶାଙ୍କ ମଧ୍ୟରୁ କେହି ବି ବାହାରି ନ ଥିଲେ। ମୃତ ସଦାଶିବଙ୍କ ସ୍ତ୍ରୀ, ଦୁଇ ପୁଅ ଏବଂ ଝିଅ କାକୁତିମିନତି କଲେ ମଧ୍ୟ ଲୋକେ କବାଟ ବନ୍ଦ କରି ଘରେ ରହିଥିଲେ। ଏହାପରେ ସ୍ତ୍ରୀ ସଦାଶିବଙ୍କ ଅନ୍ତିମ ସଂସ୍କାର କରିବା ଲାଗି ଅଣ୍ଟା ଭିଡ଼ିଥିଲେ। ସଦାଶିବଙ୍କ ମୃତଦେହକୁ କପଡ଼ାରେ ଗୁଡ଼ାଇ ଏକ ଠେଲାଗାଡ଼ିରେ ଲଦି ଦୁଇପୁଅଙ୍କୁ ଧରି ସ୍ତ୍ରୀ ଶ୍ମଶାନକୁ ନେଇ ଯାଇଥିଲେ। ସଦାଶିବଙ୍କ ମୃତଦେହକୁ ଠେଲା ଗାଡ଼ିରେ ନିଆଯାଉଥିବାରୁ ୯ ସେକେଣ୍ଡର ଏକ ଭଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ନାଗାର୍ଜୁନ ଦ୍ୱାରକାନାଥ ନାମକ ଜଣେ ୟୁଜର ଟୁଇଟରରେ ଶେୟାର କରିଛନ୍ତି।

Share