ନା ଜେନିଫର, ନା ଶ୍ରଦ୍ଧା; କାର୍ତ୍ତିକଙ୍କ ନାୟିକାକୁ ନେଇ ବଢ଼ିଲା ଚିନ୍ତା

ବମ୍ବେ: ଫିଲ୍ମ ଘୋଷଣା ସିନା ହେଲା, ହେଲେ ନାୟିକା କିଏ ହେବ ସେ ଚିନ୍ତାରେ ଏବେ ନିର୍ମାତା। ଆମେ କହୁଛୁ ଫିଲ୍ମ ‘ଆଶିକି-୩’ ବିଷୟରେ। ନିକଟରେ ଆଶିକିର ତୃତୀୟ ସିକୁଏଲ ଆସିବା ନେଇ ଘୋଷଣା ହେବା ପରେ ପ୍ରଶଂସକଙ୍କ ଉତ୍କଣ୍ଠା ବୃଦ୍ଧି ପାଇଛି। ପୂର୍ବ ଦୁଇଟି ହିଟ୍‌ ସିନେମା ଭଳି ଏଥିରେ ମଧ୍ୟ ରୋମାଣ୍ଟିକ ପ୍ରେମ କାହାଣୀ ଦେଖିବାକୁ ମିଳିବ ବୋଲି ଅନୁମାନ କରାଯାଉଛି। ହେଲେ ଏଯାଏ ଏହାର ନାୟିକା କିଏ ହେବ ତାହା ଫାଇନାଲ ହୋଇପାରୁନାହିଁ।

ଅନୁରାଗ ବସୁଙ୍କ ଚଳଚ୍ଚିତ୍ର ‘ଆଶିକି-୩’ରେ କାର୍ତ୍ତିକ ଆର୍ୟନ ନାୟକ ଭୂମିକାରେ ନଜର ଆସିବେ। ତାଙ୍କ ବିପକ୍ଷରେ ଟେଲି ଅଭିନେତ୍ରୀ ଜେନିଫର ଓ୍ବିଙ୍ଗେଟ୍‌ ନଜର ଆସିପାରନ୍ତି ବୋଲି ପ୍ରଥମେ ଚର୍ଚ୍ଚା ହେଉଥିଲା। ହେଲେ ତାହା ମିଥ୍ୟା ବୋଲି ଜଣାପଡ଼ିଛି। ସେହିଭଳି ଶ୍ରଦ୍ଧା କପୁର ନାୟିକା ସାଜିପାରନ୍ତି ବୋଲି କିଛି ଦାବି ମଧ୍ୟ କରୁଥିଲେ। ମାତ୍ର ଏଥିରେ ମଧ୍ୟ ସୁଫଳ ମିଳିଲା ପରି ଲାଗୁନି। କାରଣ ନିର୍ମାତା ଚଳଚ୍ଚିତ୍ର ଲାଗି ନୂଆ ମୁହଁ ଖୋଜୁଛନ୍ତି। ମଡେଲିଂ ସହ ବିଜ୍ଞାପନ ଦୁନିଆରେ ଲୋକପ୍ରିୟ ଥିବା କିଛି ଚେହରାମାନଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିପାରେ ବୋଲି କୁହାଯାଉଛି। ଏଭଳି ସ୍ଥିତିରେ କାର୍ତ୍ତିକଙ୍କ ସହ କାହା ଯୋଡ଼ି ଜମିବ ଆଗାମୀ ଦିନରେ ତାହା ସ୍ପଷ୍ଟ ହେବ।

Share