ପ୍ରଚଣ୍ଡଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ

କାଠମାଣ୍ଡୁ,୧୮।୧(ପି.ଟି.): ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ ମଙ୍ଗଳବାର ତାଙ୍କ କ୍ୟାବିନେଟର ପ୍ରଥମ ସମ୍ପ୍ରସାରଣ କରିଛନ୍ତି। ଏଥିରେ ୧୨ ଜଣଙ୍କୁ ମନ୍ତ୍ରୀ ଏବଂ ୩ ଜଣଙ୍କୁ କନିଷ୍ଠ ମନ୍ତ୍ରୀ କରାଯାଇଛି। ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବାର ୩ ସପ୍ତାହରୁ ଊର୍ଦ୍ଧ୍ୱ ସମୟ ପରେ କ୍ଷମତା ବଣ୍ଟନ ଚୁକ୍ତିନାମା ଚୂଡ଼ାନ୍ତ ହୋଇଛି। ଗତ ଡିସେମ୍ବର ୨୫ରେ ସିପିଏନ୍‌-ମାଓଇଷ୍ଟ ସେଣ୍ଟର ନେତା ପ୍ରଚଣ୍ଡ ନେପାଳ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ। ସୋମବାର ତାଙ୍କ ବାସଭବନରେ ସିପିଏନ୍‌ ମାଓଇଷ୍ଟ ସେଣ୍ଟର, ସିପିଏନ୍‌-ୟୁଏମ୍‌ଏଲ୍‌, ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି (ଆର୍‌ଏସ୍‌ପି), ରାଷ୍ଟ୍ରୀୟ ପ୍ରଜାତନ୍ତ୍ର ପାର୍ଟି (ଆର୍‌ପିପି) ଏବଂ ଜନତା ସମାଜବାଦୀ ପାର୍ଟି (ଜେଏସ୍‌ବି)ର ନେତାମାନେ ଏକାଠି ହୋଇ କ୍ଷମତା ବଣ୍ଟନ ଡିଲ୍‌କୁ ଚୂଡ଼ାନ୍ତ କରିଥିଲେ। ସିପିଏନ୍‌-ୟୁଏମ୍‌ଏଲ୍‌ର ବିମଳ ରାୟ ପୌଡେଲଙ୍କୁ ବହିର୍ବ୍ୟାପାର ମନ୍ତ୍ରୀ ହୋଇଥିବାବେଳେ ସେହି ଦଳର ହରି ଉପ୍ରେତିଙ୍କୁ ପ୍ରତିରକ୍ଷା ମନ୍ତ୍ରୀ କରାଯାଇଛି। ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ନୂଆ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ।

Share