ବିଭାଜନ ମୁହାଁ ନେପାଳ କମ୍ୟୁନିଷ୍ଟ ପାର୍ଟି

କାଠମାଣ୍ଡୁ,୧୦ା୭(ପି.ଟି.):ନେପାଳର ଶାସକ ଦଳ କମ୍ୟୁନିଷ୍ଟ ପାର୍ଟି ବିଭାଜନ ଆଡ଼କୁ ମୁହାଁଉଛିି। ଦଳରେ ସୃଷ୍ଟ ମତଭେଦ ଦୂର ଲାଗି ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ଏବଂ ନେପାଳ କମ୍ୟୁନିଷ୍ଟ ପାର୍ଟି (ଏନ୍‌ସିପି) କାର୍ଯ୍ୟକାରୀ ସଭାପତି ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ଙ୍କ ମଧ୍ୟରେ ସପ୍ତାହେ ମଧ୍ୟରେ ଅନେକ ଥର ବୈଠକ ବସିଲାଣି। କିନ୍ତୁ ଏଥିରେ କୌଣସି ସହମତି ହୋଇପାରୁନାହିଁ। ବୁଧବାର ଏନ୍‌ସିପିର ୪୫ ସଦସ୍ୟ ବିଶିଷ୍ଟ ଷ୍ଟାଣ୍ଡିଂ କମିଟି ବୈଠକ ବସିବାର ଥିଲା। ଏହାକୁ ଶୁକ୍ରବାରକୁ ଘୁଞ୍ଚାଇ ଦିଆଯାଇଛି। ଦୁଇ ନେତାଙ୍କୁ ଆଲୋଚନା ଲାଗି ଅଧିକ ସମୟ ଦେବା ପାଇଁ ଚତୁର୍ଥ ଥର ନିମନ୍ତେ ଷ୍ଟାଣ୍ଡିଂ କମିଟି ବୈଠକ ସ୍ଥଗିତ ରଖାଯାଇଛି। ଏହା ସତ୍ତ୍ୱେ ଆଲୋଚନାରେ ସହମତି ହୋଇପାରୁ ନ ଥିବାରୁ ଦଳ ବିଭାଜନ ହେବା ଆଶଙ୍କା ସୃଷ୍ଟି ହୋଇଛି। ଶୁକ୍ରବାର ଷ୍ଟାଣ୍ଡିଂ କମିଟି ବୈଠକରେ ୬୮ ବର୍ଷୀୟ ଓଲିଙ୍କ ରାଜନୈତିକ ଭବିଷ୍ୟତ ସମ୍ପର୍କରେ ନିଷ୍ପତ୍ତି ହେବା ଆଶା କରାଯାଉଛି। ଓଲିଙ୍କ ଗାଦି ରକ୍ଷା ପାଇଁ ଚାଇନା ରାଷ୍ଟ୍ରଦୂତ ହୋଉ ୟାନ୍‌କୁଇଙ୍କ ହସ୍ତକ୍ଷେପ ବୃଦ୍ଧି ପାଉଥିବା ଦେଖାଯାଇଛି। ଅନ୍ୟପକ୍ଷରେ ପ୍ରଚଣ୍ଡ ଗୋଷ୍ଠୀ ପ୍ରଧାନମନ୍ତ୍ରୀ ଓଲିଙ୍କ ଇସ୍ତଫା ଦାବିରେ ଅଟଳ ରହିଛନ୍ତି। ପ୍ରଚଣ୍ଡଙ୍କ ପଛରେ ବରିଷ୍ଠ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମାଧବ କୁମାର ନେପାଳ, ଝଲାନାଥ ଖାନଲଙ୍କର ସମର୍ଥନ ରହିଛି। କୋଭିଡ୍‌-୧୯ ମହାମାରୀ ପରିଚାଳନାରେ ସରକାରଙ୍କ ବିଫଳତାକୁ ନେଇ ପାର୍ଲାମେଣ୍ଟରେ ଆଲୋଚନା ହେବାର ଥିଲା, ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ବଜେଟ ଅଧିବେଶନକୁ ବନ୍ଦ କରିଦେବା ଲାଗି ଏକତରଫା ନିଷ୍ପତ୍ତି ନେବା ପରେ ଆରମ୍ଭ ହୋଇଥିଲା କ୍ଷମତା କନ୍ଦଳ। ଦଳର ପରାମର୍ଶ ନ ନେଇ ଓଲି ଏକତରଫା ନିଷ୍ପତ୍ତି ନେଉଥିବା ପ୍ରଚଣ୍ଡ ଅଭିଯୋଗ କରିଛନ୍ତି।

Share