ନେପାଳ ବିମାନ ଦୁର୍ଘଟଣା: ନିଖୋଜ ୨୨ ଯାତ୍ରୀଙ୍କ ମଧ୍ୟରୁ ୪ ଓଡ଼ିଶାର

ଭୁବନେଶ୍ୱର,୨୯।୫(ବ୍ୟୁରୋ): ନେପାଳରେ ରବିବାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନରେ ୨୨ ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରେ ଓଡ଼ିଶାର ୪ ଜଣ ଥିବା ଜଣାପଡିଛି। ସମ୍ପୃକ୍ତ ୪ ଯାତ୍ରୀ ହେଲେ ଅଶୋକ ତ୍ରିପାଠୀ, ଧନୁଷ ତ୍ରିପାଠୀ, ରିତିକା ଏବଂ ବୈଭବ ତ୍ରିପାଠୀ। ଏହି ସମସ୍ତ ଗୋଟିଏ ପରିବାରର ଏବଂ ସେମାନଙ୍କ ଘର ଭୁବନେଶ୍ୱର ଜୟଦେବ ବିହାରରେ ବୋଲି ସୂଚନା ମିଳିଛି। ଅଶୋକ ଭୁବନେଶ୍ୱରରେ ରହୁଥିବାବେଳେ ତାଙ୍କ ସ୍ତ୍ରୀ ଏବଂ ପିଲାମାନେ ମୁମ୍ବାଇରେ ରହୁଥିଲେ। ସେଠାରୁ ନେପାଳ ବୁଲିବାକୁ ଯାଇଥିବାବେଳେ ଏହି ଦୁର୍ଘଟଣା ଘଟିଛି।
ସୂଚନାଯୋଗ୍ୟ, ଖରାପ ପାଗ ଯୋଗୁ ବିମାନଟି ଦୁର୍ଘଟଣାଗସ୍ତ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡିଛି। ବିମାନରେ ୪ ଜଣ ଭାରତୀୟ ଏବଂ ୩ ଜଣ ଜାପାନୀ ନାଗରିକଙ୍କ ସମେତ ୨୨ ଜଣ ଯାତ୍ରୀ ଥିଲେ। ଏହି ବିମାନଟି ସକାଳ ୯.୫୫ରେ ପୋଖରାଠାରୁ ଜୋମସମ ଅଭିମୁଖେ ଯାତ୍ରା କରୁଥିଲା। ବିମାନଟି ମୁସ୍ତାଙ୍ଗରେ ପହଞ୍ଚିବା ମାତ୍ରେ ସମ୍ପର୍କ ଚ୍ଛିନ୍ନ ହୋଇଯାଇଥିଲା। ମୁସ୍ତାଙ୍ଗର କୋୱାଙ୍ଗ ଗ୍ରାମରୁ ବିମାନର ଧ୍ୱଂସାବଶେଷ ମିଳିଛି। ଖରାପ ପାଗ ଯୋଗୁ ବିମାନଟି କ୍ରାସ୍‌ ହୋଇଯାଇଥିବା ନେପାଳ ବିମାନବନ୍ଦର ଅଧିକାରୀ କହିଛନ୍ତି।

Share