କାଠମାଣ୍ଡୁ,୧୬।୧: ନେପାଳରେ ବିମାନ ଦୁର୍ଘଟଣାରେ ୬୮ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ପାଞ୍ଚ ଜଣ ଭାରତୀୟ ମଧ୍ୟ ଅଛନ୍ତି। ଦୁର୍ଘଟଣାଗ୍ରସ୍ତ ୟେତି ଏୟାରଲାଇନ୍ସ ବିମାନ ଏଟିଆର୍-୭୨ର ସହ-ପାଇଲଟ ଅଞ୍ଜୁ ଖାତିୱାଡା ମଧ୍ୟ ପ୍ରାଣ ହରାଇଛନ୍ତି। କିଛି ଦିନ ମଧ୍ୟରେ ଅଞ୍ଜୁ ସହ-ପାଇଲଟରୁ ପାଇଲଟ ହୋଇଥାନ୍ତେ। କିନ୍ତୁ ଏହାପୂର୍ବରୁ ସେ ଜୀବନ ହାରିଛନ୍ତି। ଦୁର୍ଘଟଣାଗ୍ରସ୍ତ ବିମାନରେ ସିନିୟର କ୍ୟାପଟେନ କମଲ କେସି ପାଇଲଟ ହୋଇଥିବାବେଳେ ଅଞ୍ଜୁ ସହ-ପାଇଲଟ ଥିଲେ।
୧୬ ବର୍ଷ ତଳେ ଅଞ୍ଜୁଙ୍କ ସ୍ବାମୀ ଦୀପକ ପୋଖରେଲ ମଧ୍ୟ ୟେତି ଏୟାରଲାଇନ୍ସରେ କୋ ପାଇଲଟ ଭାବେ କାମ କରୁଥିବା ବେଳେ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ୨୦୦୬ ମସିହା ଜୁନ ୨୧ରେ ୟେତି ଏୟାରଲାଇନ୍ସର ଗୋଟିଏ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ୬ ଜଣ ଯାତ୍ରୀ ଓ ୪ ଜଣ କ୍ରୁ ମେମ୍ବରର୍ସଙ୍କ ମୃତ୍ୟୁ ଘଟିଥିଲା। ଏମାନଙ୍କ ମଧ୍ୟରେ ଅଞ୍ଜୁଙ୍କ ସ୍ବାମୀ ଦୀପକ ରହିଥିଲେ। ଏହି ଘଟଣା ପରେ ଅଞ୍ଜୁ ପାଇଲଟ ହେବାର ସ୍ବପ୍ନ ନେଇ ଆଗକୁ ବଢିଥିଲେ। ଏଥିପାଇଁ ସେ ତାଲିମ ନେଇଥିଲେ। ଏଥିସହ କୋ-ପାଇଲଟ ଭାବେ ୟେତି ଏୟାରଲାଇନ୍ସରେ ଯୋଗ ଦେଇଥିଲେ। ଘଟଣାଦିନ ଅର୍ଥାତ୍ ରବିବାର ଦିନ ୧୧ଟାରେ ଅଞ୍ଜୁ ପାଇଲଟ ଭାବେ ଲାଇସେନ୍ସ ମଧ୍ୟ ପାଇଥାଆନ୍ତେ। କିନ୍ତୁ ଏହାପୂର୍ବରୁ ସେ ଦୁନିଆରୁ ବିଦାୟ ନେଇଥିଲେ।