ଭାରତ ପ୍ରସ୍ତୁତ ଟିକା ନେଲେ ଓଲି

କାଠମାଣ୍ଡୁ,୭।୩: ନେପାଳର ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ରବିବାର ଭାରତ ପ୍ରସ୍ତୁତ କରୋନା ଟିକା କୋଭିଶିଲ୍ଡ ନେଇଛନ୍ତି। ସ୍ତ୍ରୀ ରାଧିକା ଶାକିଆଙ୍କ ସହ ଅରସି ତ୍ରିଭୁବନ ବିଶ୍ୱବିଦ୍ୟାଳୟ ଶିକ୍ଷଣ ହସ୍ପିଟାଲରେ ଟିକା ନେଇଛନ୍ତି। ଏହି କରୋନା ଭ୍ୟାକ୍ସିନ ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଫାର୍ମା କମ୍ପାନୀ ଆଷ୍ଟ୍ରା ଜେନେକା ଦ୍ୱାରା ମିଳିତ ଭାବରେ ବିକଶିତ ହୋଇଛି। ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଏହି କରୋନା ଟିକା ପ୍ରସ୍ତୁତ କରୁଛି। ସୂଚନାଯୋଗ୍ୟ, ଓଲି ଚାଇନାକୁ ତାଙ୍କ ଦେଶର ଜଣେ ବିଶ୍ୱସ୍ତ ବନ୍ଧୁ ବୋଲି କହିଛନ୍ତି। କିନ୍ତୁ ସେ ଚାଇନା ଟିକାକୁ ବିଶ୍ୱାସ ନ କରି ସେ ଭାରତୀୟ ଟିକା ଲଗାଇଛନ୍ତି। ଯାହାକୁ ନେଇ ଚର୍ଚ୍ଚା ହେଉଛି। କୋଭିଶିଲ୍ଡ ଟିକା ନେବା ପରେ କେପି ଶର୍ମା ଓଲି ଏହାକୁ ଲୋକଙ୍କ ପାଇଁ ନିରାପଦ ଘୋଷଣା କରିଥିଲେ। ଦେଶର ୬୦ ବର୍ଷରୁ ଅଧିକ ବୟସ୍କମାନଙ୍କୁ ଏହି ଟିକା ନେବା ପାଇଁ ଆଗକୁ ଆସିବାକୁ ସେ ଅନୁରୋଧ କରିଥିଲେ। ସେ କହିଛନ୍ତି ଯେ, ଏହି ଟିକା ସୁରକ୍ଷିତ ଏବଂ ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ। ଓଲିଙ୍କ ସହ ନେପାଳର ଅର୍ଥମନ୍ତ୍ରୀ ବିଷ୍ଣୁ ପୌଡେଲ, ସ୍ବାସ୍ଥ୍ୟମନ୍ତ୍ରୀ ହୃଦୟେଶ ତ୍ରିପାଠୀ ଏବଂ ବୈଦେଶିକ ମନ୍ତ୍ରୀ ପ୍ରଦୀପ କୁମାର ଗ୍ବାୱାଲୀଙ୍କୁ ମଧ୍ୟ କୋଭିଶିଲ୍ଡ ଟିକା ଦିଆଯାଇଛି।

Share