ଆମେରିକା ପାଇଁ ନେପାଳରେ ହିଂସା

କାଠମାଣ୍ଡୁ,୨୧।୨: ନେପାଳକୁ ଆମେରିକାର ୫୦୦ ନିୟୁତ ଡଲାର ସହାୟତା ଚୁକ୍ତିନାମାକୁ ବିରୋଧ କରି ହୋଇଥିବା ବିକ୍ଷୋଭ ହିଂସାତ୍ମକ ରୂପ ନେଇଛି। ନେପାଳ ପାର୍ଲାମେଣ୍ଟ ବାହାରେ ବିକ୍ଷୋଭକାରୀମାନେ ପୋଡ଼ାଜଳା କରିବା ସହ ଜବରଦସ୍ତ ନିଷିଦ୍ଧାଞ୍ଚଳ ମଧ୍ୟକୁ ପ୍ରବେଶ କରିବାରୁ ପୋଲିସ ସହ ସଂଘର୍ଷ ଘଟିଛି। ଏଥିରେ ନେପାଳ ପୋଲିସର ୧୭ ଜଣ ଏବଂ ସଶସ୍ତ୍ର ପୋଲିସ ବଳର ୭ ଜଣ ଆହତ ହୋଇଛନ୍ତି। ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ପୋଲିସ ରବର ଗୁଳିଚାଳନା କରିବାରୁ ଏଥିରେ ଅନେକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ପୋଲିସ ଶତାଧିକ ବିକ୍ଷୋଭକାରୀଙ୍କୁ ଗିରଫ କରିଛି।

ଆମେରିକାର ସହାୟତା ଚୁକ୍ତିନାମା ଉପରେ ନେପାଳ ପାର୍ଲାମେଣ୍ଟରେ ଆଲୋଚନା ଚାଲିଥିବା ବେଳେ ବାହାରେ ଏହାକୁ ବିରୋଧ କରି ବିକ୍ଷୋଭ କରାଯାଇଥିଲା। ଉତ୍ତ୍ୟକ୍ତ ଲୋକେ ପାର୍ଲାମେଣ୍ଟ ଭବନ ଅଭିମୁଖେ ଶୋଭାଯାତ୍ରାରେ ଯାଇ ପୋଲିସ ଉପରକୁ ଟେକାମାଡ଼ କରିବା ସହ ସରକାରଙ୍କ ବିରୋଧୀ ସ୍ଲୋଗାନ ଦେଇଥିଲେ। ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିବା ସହ ୩୦ ରାଉଣ୍ଡ ରବର ଗୁଳି ଚଳାଇଥିଲା।

ସୂଚନା ଯୋଗ୍ୟ, ନେପାଳରେ ଦାରିଦ୍ର୍ୟ ଦୂରୀକରଣ ଲକ୍ଷ୍ୟରେ ଆମେରିକା ବିଦେଶ ସହାୟତା ସଂସ୍ଥା ଏମ୍‌ସିସି ୫୦୦ ନିୟୁତ ଡଲାର ସହାୟତା ଯୋଗାଇଦେବା ଲାଗି ଚୁକ୍ତ ହୋଇଛି।

Share