ଭାରତକୁ ଟମାଟୋ ରପ୍ତାନି କରିବ ନେପାଳ

ନୂଆଦିଲ୍ଲୀ,୧୨।୮: ଆକାଶଛୁଆଁ ଟମାଟୋର ମୂଲ୍ୟ ହ୍ରାସ କରିବା ଯୋଜନା ପ୍ରସ୍ତୁତ କରୁଛନ୍ତି ସରକାର। ଏଥିପାଇଁ କେନ୍ଦ୍ର ସରକାର ନେପାଳର ସହଯୋଗ ଲୋଡିଛନ୍ତି। ତେବେ ଏନେଇ ନେପାଳ ଟମାଟୋ ରପ୍ତାନି କରିବାକୁ ରାଜି ହୋଇଥିଲେ ମଧ୍ୟ ସିଧାସଳଖ ବଜାରକୁ ସହଜରେ ପହଞ୍ଚାଇବା ସହ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧା ପ୍ରଦାନ କରିବାକୁ ସରକାରଙ୍କୁ ଦାବି କରିଛି। ନେପାଳ ସରକାର କହିଛନ୍ତି, ବହୁ ପରିମାଣରେ ଏବଂ ଦୀର୍ଘକାଳୀନ ଭିତ୍ତିରେ ଭାରତକୁ ଟମାଟୋ ରପ୍ତାନି କରିବାକୁ ପ୍ରସ୍ତୁତ ଅଛୁ। କମ୍‌ ମୂଲ୍ୟରେ ଭାରତୀୟ ବଜାରରେ ଏହାକୁ ବିକ୍ରି କରିବୁ।କିନ୍ତୁ ଏଥିପାଇଁ ବଜାର ତଥା ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧା ସହଜରେ ଉପଲବ୍ଧ କରିବାକୁ ହେବ। ଏନେଇ ଭାରତ ସରକାରଙ୍କୁ ସୂଚନା ଦେଇଛୁ। ଏହାପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ସଂସଦରେ କହିଥିଲେ ଯେ, ଭାରତ ନେପାଳରୁ ଟମାଟୋ ଆମଦାନୀ ଆରମ୍ଭ କରିଛି। ତେବେ ଏହାର ଗୋଟିଏ ଦିନ ପରେ ପଡୋଶୀ ଦେଶ ନେପାଳରୁ ଏହି ଦାବି ଆସିଛି।

ଭାରତୀୟ ବଜାରକୁ ପହଞ୍ଚିବାକୁ ସୁବିଧା ଯୋଗାଇ ଦିଆଗଲେ, ନେପାଳ ଭାରତକୁ ବହୁ ପରିମାଣରେ ଟମାଟୋ ରପ୍ତାନି କରିପାରିବ ବୋଲି କାଲିମାଟି ଫଳ ଏବଂ ପନିପରିବା ବଜାର ବିକାଶ ବୋର୍ଡର ଡେପୁଟି ଡାଇରେକ୍ଟର ବିନୟ ଶ୍ରେଷ୍ଟା କହିଛନ୍ତି।

ସେ କହିଛନ୍ତି, ନେପାଳୀ ଟମାଟୋ ପାଇଁ ଭାରତ ଏକ ଭଲ ବଜାର। କାଠମାଣ୍ଡୁ ଉପତ୍ୟକାର ତିନୋଟି ଜିଲା ଯଥା କାଠମାଣ୍ଡୁ, ଲଲିତପୁର ଏବଂ ଭକ୍ତପୁରରେ ଟମାଟୋ ପ୍ରଚୁର ପରିମାଣରେ ଚାଷ କରାଯାଏ ଏବଂ ସ୍ଥାନୀୟ ଚାହିଦା ପୂରଣ କରିବା ପରେ ଯଥେଷ୍ଟ ଅଧିକ ଟମାଟୋ ବଳୁଛି। ତେଣୁ ଏହା ଭାରତର ଚାହିଦାକୁ ପୂରଣ କରିପାରିବ ବୋଲି ସେ କହିଛନ୍ତି।

Share