Advertisement

ଭାରତକୁ ଆଖି ଦେଖାଇଲା ନେପାଳ: ଚାଇନା ସହିତ ସମ୍ପର୍କ ଅତୁଟ

କାଠମାଣ୍ଡୁ, ୨୮।୯: ପୂର୍ବ ଲଦାଖର ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ବଢିବାରେ ଲାଗିଛି। ଦୁଇପକ୍ଷ ସୀମାରେ ସମରସଜ୍ଜାରେ ବ୍ୟସ୍ତ ରହିଛନ୍ତି। ଏପରିସ୍ଥଳେ ନେପାଳ ଭାରତକୁ ଆଖି ଦେଖାଇଛି। ଚାଇନାରେ ଅବସ୍ଥାପିତ ଥିବା ନେପାଳର ରାଷ୍ଟ୍ରଦୂତ ମହେନ୍ଦ୍ର ବାହାଦୂର ପାଣ୍ଡେ ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଇ ଭାରତ ବିରୋଧରେ ମନ୍ତବ୍ୟ ଦେଇଛନ୍ତି। ସେ ନେପାଳ ଏବଂ ଚାଇନାର ସମ୍ପର୍କ ଅତୁଟ ବୋଲି କହିଛନ୍ତି। ଦୁଇ ଦେଶ ଭଲ ପଡ଼ୋଶୀ। ସେମାନଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ୧୯୫୫ଠାରୁ ଜାରି ରହିଛ। କୂଟନୈତିକସ୍ତରରେ ଉଭୟ ଦେଶଙ୍କ ମଧ୍ୟରେ ଭଲ ମୁଝାମଣା ରହିଥିବା ସେ କହିଛନ୍ତି। ଗତ ବର୍ଷ ଚାଇନା ରାଷ୍ଟ୍ରପତି ଶି ଜନ୍‌ପିଙ୍ଗ୍‌ ନେପାଳ ଗସ୍ତରେ ଆସିଥିଲେ। ଏହି ସମୟରେ ୨୦ଟି ପାରସ୍ପରିକ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ନେପାଳ ଏବଂ ଚାଇନା ସମ୍ପର୍କ ଯୋଗୁ ଭାରତର ସୁରକ୍ଷା ଚିନ୍ତା ବଢୁଥିବା ନେଇ ଚାଇନା ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସ୍‌ ପକ୍ଷରୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ପାଣ୍ଡେ କହିଥିଲେ ଯେ ଭାରତୀୟ ମିଡ଼ିଆ ଭ୍ରମାତ୍ମକ ଖବର ପ୍ରଚାର କରୁଛି। ନେପାଳ ସବୁବେଳେ ଏକ ସ୍ବତନ୍ତ୍ର ଦେଶ ଭାବେ ନିଚର ପରିଚିତି ରଖି ଆସିଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, ଭାରତ ଚାଇନା ମଧ୍ୟରେ ବଢୁଥିବା ଉତ୍ତେଜନା ପାଇଁ ନେପାଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଚାଇନା ନେପାଳରେ ସୈନ୍ୟ ବାହିନୀ ଠୁଳ କରିବା ଯୋଗୁ ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେଉଥିବା କୁହାଯାଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share