ପ୍ରବଳ ଥଣ୍ଡାରେ କେ-୨ ଶୃଙ୍ଗ ଆରୋହଣ କରି ଇତିହାସ ରଚିଲେ ନେପାଳୀ ପର୍ବତାରୋହୀ

କାଠମାଣ୍ଡୁ,୧୭।୧: ଶୀତଦିନର ପ୍ରବଳ ଥଣ୍ଡାରେ ହିମାଳୟର କେ-୨ ଗିରିଶୃଙ୍ଗ ଆରୋହଣ କରି ୧୦ ଜଣ ନେପାଳୀ ପର୍ବତାରୋହୀ ଇତିହାସ ରଚିଛନ୍ତି। ଶୀତଦିନେ ଖରାପ ପାଗ ଯୋଗୁ ୮,୬୧୧ ମିଟର (୨୮,୨୫୧ ଫୁଟ) ଉଚ୍ଚ ଶିଖରରେ ପହଞ୍ଚିବା କଷ୍ଟକର ହୋଇଥାଏ। କାରାକୋରମ୍‌ ପର୍ବତର ବିପଦ ଶଙ୍କୁଳ ଗିରିଶୃଙ୍ଗରେ ପର୍ବତାରୋହୀମାନେ ଶନିବାର ସ୍ଥାନୀୟ ସମୟ ଅପରାହ୍ନ ୫ରେ ପହଞ୍ଚିଥିବା ଟୁଇଟ୍‌ କରି ସୂଚନା ଦେଇଛନ୍ତି। ପର୍ବତାରୋହୀ ଦଳରେ ମିଙ୍ଗମା ଗେୟଲଜି ଶେର୍ପା, ନିର୍ମାଲ ପୁର୍ଜା, ପୁନ ମେଘର, ଗେଲଜି ଶେର୍ପା, ମିଙ୍ଗମା ଡାଭିଡ୍‌ ଶେର୍ପା, ମିଙ୍ଗମା ତେନଜି ଶେର୍ପା, ଦାଓ୍ବା ତେମ୍ବା ଶେର୍ପା, ପ୍ରେମ୍‌ ଚିରି ଶେର୍ପା, କିଲୁ ପେମ୍ବା ଶେର୍ପା, ଦାଓ୍ବା ତେନଜିଂ ଶେର୍ପା ଏବଂ ସୋନା ଶେର୍ପା ରହିଛନ୍ତି। ୨୦୨୦ ଡିସେମ୍ବର ୨୯ରେ ୫ ମହିଳାଙ୍କ ସମେତ ୪୮ ପର୍ବତାରୋହୀ ବେସ୍‌ କ୍ୟାମ୍ପ୍‌ରେ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରୁ ୫ ଜଣ ଆହତ ହୋଇଥିବାବେଳେ ଖରାପ ପାଗ ଯୋଗୁ କେତେକ ପର୍ବତାରୋହୀ ଫେରି ଆସିଥିଲେ।

Share