ଆସ୍ଥା ଭୋଟ ହାରିଲେ ନେପାଳ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ, ୧୧।୫(ପି.ଟି.): ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ସୋମବାର ପ୍ରତିନିଧି ସଭାରେ ଆସ୍ଥାଭୋଟ ହାରିଯାଇଛନ୍ତି। ପୁଷ୍ପକମଲ ଦହଲ ‘ପ୍ରଚଣ୍ଡ’ଙ୍କ ନେତୃତ୍ୱାଧୀନ ସିଏନ୍‌ପି (ମାଓଇଷ୍ଟ ସେଣ୍ଟର) ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେବା ପରେ ଏହା ସଂଖ୍ୟାଲଘୁରେ ପରିଣତ ହୋଇଥିଲା। ଆସ୍ଥା ଭୋଟ ହାରିବା ପରେ କ୍ଷମତାରେ ରହିବା ପାଇଁ ଉଦ୍ୟମ ଚଳାଇଥିବା ଓଲି ସରକାରଙ୍କୁ ଶକ୍ତ ଝଟ୍‌କା ଲାଗିଛି। ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀଙ୍କ ନିର୍ଦ୍ଦେଶକ୍ରମେ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଡକାଯାଇଥିଲା। ୨୭୫ ସଦସ୍ୟ ବିଶିଷ୍ଟ ନିମ୍ନ ସଦନରେ ଓଲିଙ୍କୁ ଆସ୍ଥା ଭୋଟ ଜିତିବା ପାଇଁ ୧୩୬ ଭୋଟର ଆବଶ୍ୟକତା ଥିବାବେଳେ ମିଳିଥିଲା ମାତ୍ର ୯୩ ଖଣ୍ଡ ଭୋଟ। ୪ ସଦସ୍ୟ ନିଲମ୍ବିତ ଥିବାବେଳେ ୧୨୪ ଜଣ ଓଲି ସରକାରଙ୍କ ବିରୋଧରେ ଭୋଟ ଦେଇଥିଲେ। ପ୍ରଚଣ୍ଡଙ୍କ ସହ କ୍ଷମତା କନ୍ଦଳକୁ ନେଇ ଗତବର୍ଷ ଡିସେମ୍ବର ୨୦ରେ ପ୍ରଧାନମନ୍ତ୍ରୀ ଓଲି ନିମ୍ନ ସଦନକୁ ଭାଙ୍ଗି ସାନି ନିର୍ବାଚନ ଘୋଷଣା କରିବାକୁ ସୁପାରିସ କରିଥିଲେ। ସେବେଠାରୁ ନେପାଳରେ ରାଜନୈତିକ ସଙ୍କଟ ଲାଗି ରହିଛି।

Share