ମାଇଁଙ୍କ ଶୁଦ୍ଧିକ୍ରିୟାକୁ ଆସିଥିଲେ, ଟ୍ରକ୍‌ ଚାପାରେ ଚାଲିଗଲା ଭଣଜାଙ୍କ ଜୀବନ

କେନ୍ଦୁଝର,୨୩ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ଥାନା ଅଧୀନ ୪୯ ନଂ ଜାତୀୟ ରାଜପଥ ପଟାଟାଙ୍ଗର ଛକରେ ଶନିବାର ଏକ ୧୦ ଚକିଆ ଟ୍ରକ୍‌ ଚାପି ଦେବାରୁ ଘଟଣାସ୍ଥଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ଅନୁଗୋଳ ଜିଲା ପାଲଲହଡ଼ା ଥାନା ଜେନାପଶି ଗ୍ରାମର ବିଷ୍ଣୁ ବୋଇତା।

ସୂଚନାନୁଯାୟୀ, ମୃତ ବିଷ୍ଣୁ ପଟାଟାଙ୍ଗର ଗ୍ରାମକୁ ତାଙ୍କ ମାଇଁଙ୍କ ଶୁଦ୍ଧିକ୍ରିୟାକୁ ଆସିଥିଲେ। ଆଜି ଅପରାହ୍ନରେ ବୈରାଗୀ ପଧାନ ନାମକ ଜଣେ ବ୍ୟକ୍ତିଙ୍କ ସାଙ୍ଗରେ ନିଜ ଗାଁକୁ ଏକ ବାଇକ୍‌ରେ ଫେରୁଥିଲେ। ତେବେ ପଟାଟାଙ୍ଗର ଛକରେ ଏକ ୧୦ ଚକିଆ ଟ୍ରକ୍‌ ବାଇକ୍‌କୁ ପଛରୁ ଧକ୍କା ଦେବାରୁ ବିଷ୍ଣୁ ତଳେ ପଡ଼ିଯାଇଥିଲେ ଓ ଟ୍ରକ୍‌ଟି ଚାପି ଦେଇଥିଲା। ଘଟଣାସ୍ଥଳରେ ବିଷ୍ଣୁଙ୍କର ମୃତ୍ୟୁ ହୋଇଥିଲ। ତେବେ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଏ ନେଇ ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଛି। ଜାତୀୟ ରାଜପଥ ମରାମତି ହେଉଥିବାରୁ ଗୋଟିଏ ପଟ ରାସ୍ତା ଅବରୋଧ ଥିଲା। ତେଣୁ ଏ ଦୁର୍ଘଟଣା ଘଟିଲା ବୋଲି ମୃତକଙ୍କ ସମ୍ପର୍କୀୟ ଓ ସ୍ଥାନୀୟ ଲୋକେ ଅଭିଯୋଗ ଆଣିବା ସହିତ କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରୁଛି, ଖବର ଲେଖା ହେଲାବେଳକୁ ରାସ୍ତା ଅବରୋଧ ହଟିନାହିଁ ।

Share