ନେରେଡ଼ି ବ୍ୟାରେଜ: ନବୀନଙ୍କ ସହଯୋଗ ଲୋଡ଼ିଲେ ଜଗନ

ଭୁବନେଶ୍ୱର, ୧୯ା୪(ବ୍ୟୁରୋ): ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନ୍‌ମୋହନ ରେଡ୍ଡୀ ଶନିବାର ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡ଼ିଶାର ଗଜପତି ଏବଂ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌ ଜିଲା ମଧ୍ୟରେ ଥିବା ବଂଶଧାରା ନଦୀର ନେରେଡ଼ି ବ୍ୟାରେଜ ସଂକ୍ରାନ୍ତରେ ଚିଠି ଲେଖିଛନ୍ତି। ଜଗନ୍‌ମୋହନ ତାଙ୍କ ପତ୍ରରେ ବଂଶଧାରା ପ୍ରକଳ୍ପରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଆଶା କରିଥିବା ଉଲ୍ଲେଖ କରିଛନ୍ତି। ଏହାକୁ ନେଇ ରହିଥିବା ବିବାଦ ବୁଝାମଣା ଜରିଆରେ ସମାଧାନ କରାଯାଇପାରିବ। ନେରେଡ଼ି ଜଳପ୍ରକଳ୍ପ ହେଲେ ଉଭୟ ରାଜ୍ୟର ସୀମାନ୍ତ ଚାଷୀ ଉପକୃତ ହେବେ। ଏଥିଲାଗି ଆଲୋଚନା କରିବାକୁ ସେ ସକାରାତ୍ମକ ଅଛନ୍ତି। ଓଡ଼ିଶା ଆସି ଆଲୋଚନା କରିବାକୁ ମଧ୍ୟ ସେ ଆଗ୍ରହ ପ୍ରକାଶ କରିଛନ୍ତି। ବଂଶଧାରାରେ ପ୍ରବାହିତ ହେଉଥିବା ୭୦ ପ୍ରତିଶତ ଜଳ ନଷ୍ଟ ହେଉଛି। ଏହା ଚାଷୀଙ୍କ କାର୍ଯ୍ୟରେ ଉପଯୋଗ ହୋଇପାରୁ ନାହିଁ। ତେଣୁ ବହିଯାଉଥିବା ଜଳକୁ ଅଟକାଇ ଚାଷୀଙ୍କ ସ୍ବାର୍ଥରେ ବିନିଯୋଗ ପାଇଁ ଆନ୍ଧ୍ର ସରକାର ଆଗ୍ରହୀ ଅଛନ୍ତି ବୋଲି ଜଗନ ଚିଠିରେ ଉଲ୍ଲେଖ କରିଛନ୍ତି। ଏହି ପ୍ରକଳ୍ପ ହେଲେ ଆନ୍ଧ୍ର ସମେତ ଓଡ଼ିଶାର ଗଜପତି ଜିଲାର ଚାଷୀ ମଧ୍ୟ ଉପକୃତ ହେବେ। ତେଣୁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ନିତାନ୍ତ ଆବଶ୍ୟକ। ନେରେଡ଼ି ବ୍ୟାରେଜକୁ ନେଇ ସୁପ୍ରିମକୋର୍ଟରେ ମଧ୍ୟ ମାମଲା ରହିଛି।

Share