Categories: ଜାତୀୟ

ନେତାଜୀଙ୍କ ୨୮ ଫୁଟ ଉଚ୍ଚ ହଲୋଗ୍ରାମ ପ୍ରତିମା ଲୋକାର୍ପିତ…

ନୂଆଦିଲ୍ଲୀ, ୨୩।୧ : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୫ ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ଇଣ୍ଡିଆ ଗେଟ୍‌ଠାରେ ୨୮ ଫୁଟ ଉଚ୍ଚ ହଲୋଗ୍ରାମ୍‌ ପ୍ରତିମାର ଲୋକାର୍ପଣ କରିଛନ୍ତି। ରବିବାର ସନ୍ଧ୍ୟା ସାଢ଼େ ୬ଟାରେ ପ୍ରଧାନମନ୍ତ୍ରୀ ଏହି ଡିଜିଟାଲ ପ୍ରତିମାକୁ ଲୋକାର୍ପିତ କରିଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ନେତାଜୀ ଦେଶବାସୀଙ୍କ ମଧ୍ୟରେ ସ୍ବାଧୀନତାର ଆତ୍ମ ବିଶ୍ୱାସ ଜାଗ୍ରତ କରାଇଥିଲେ। ସେ ସାହସର ସହିତ ଇଂରେଜ ସରକାରଙ୍କୁ ଜବାବ ଦେଇଥିଲେ ଯେ, ସ୍ବାଧୀନତାକୁ ଭିକ୍ଷା ଭାବେ ଗ୍ରହଣ କରିବି ନାହିଁ। ନେତାଜୀଙ୍କ ଏଭଳି ମନୋଭାବ ଯୁଗଯୁଗ ଧରି ଭାରତବାସୀଙ୍କ ପାଇଁ ପ୍ରେରଣାର ସ୍ରୋତ ପାଲଟି ରହିଥିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଏହି ପ୍ରତିମା ୩୦,୦୦୦ ଲ୍ୟୁମେନ ୪କେ ପ୍ରୋଜେକ୍ଟର ଦ୍ୱାରା ପରିଚାଳିତ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ୨୦୧୯, ୨୦୨୦, ୨୦୨୧ ଏବଂ ୨୦୨୨ ବର୍ଷ ପାଇଁ ସୁଭାଷ ଚନ୍ଦ୍ର ବୋଷ ବିପର୍ଯ୍ୟୟ ପରିଚାଳନା ପୁରସ୍କାର ମଧ୍ୟ ପ୍ରଦାନ କରିଛନ୍ତି। ସମାରୋହରେ ମୋଟ ୭ ଜଣଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଭାରତର ବ୍ୟକ୍ତିବିଶେଷ ତଥା ସଂଗଠନ ଦ୍ୱାରା ଦିଆଯାଇଥିବା ଅମୂଲ୍ୟ ଅବଦାନ ତଥା ନିସ୍ବାର୍ଥପର ସେବାକୁ ସ୍ବୀକୃତି ଦେବା ତଥା ସମ୍ମାନିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ପୁରସ୍କାର ପ୍ରତିଷ୍ଠା କରାଯାଇଛି।

Share