Categories: ଖେଳ

କ୍ୱାର୍ଟର ଫାଇନାଲରେ ନେଦରଲାଣ୍ଡ୍ସ

ରାଉରକେଲା ଅଫିସ, ଭୁବନେଶ୍ୱର (କ୍ରୀଡ଼ା ପ୍ରତିନିଧି), ୧୭।୧: ଗତ ସଂସ୍କରଣର ରନରଅପ୍‌ ନେଦରଲାଣ୍ଡ୍ସ ପ୍ରଥମ ଦଳ ଭାବେ ଚଳିତ ହକି ବିଶ୍ୱକପ୍‌ର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ସୋମବାର ଅନୁଷ୍ଠିତ ପୁଲ୍‌ ସି’ ମ୍ୟାଚ୍‌ରେ ଏହି ଦଳ ନ୍ୟୁଜିଲାଣ୍ଡକୁ ୪-୦ ଗୋଲରେ ହରାଇ କ୍ୱାର୍ଟର ଫାଇନାଲ ଯୋଗ୍ୟତା ପାଇଛି। ୨ ମ୍ୟାଚ୍‌ରୁ ଏହା ଥିଲା ନେଦରଲାଣ୍ଡ୍ସର ଦ୍ୱିତୀୟ ବିଜୟ। ଅନ୍ୟ ଏକ ମ୍ୟାଚ୍‌ରେ ଚିଲିକୁ ୩-୨ ଗୋଲରେ ହରାଇ ମାଲେସିଆ ପଏଣ୍ଟ ଖାତା ଖୋଲିଛି। ନେଦରଲାଣ୍ଡ ୨ ମ୍ୟାଚ୍‌ରୁ ୬ ପଏଣ୍ଟ ପାଇସାରିଥିବାବେଳେ ନ୍ୟୁଜିଲାଣ୍ଡ ଓ ମାଲେସିଆ ୩ ପଏଣ୍ଟ ଲେଖାଏ ହାସଲ କରି ଆପାତତଃ କ୍ରସ୍‌ଓଭର ଖେଳିବା ନିଶ୍ଚିତ କରିଛନ୍ତି। ଚିଲି ଏହାର ୨ଟି ଯାକ ମ୍ୟାଚ୍‌ ହାରିସାରିଥିବାରୁ ଗ୍ରୁପ୍‌ ପର୍ଯ୍ୟାୟରୁ ବିଦାୟ ପଥରେ ରହିଛି।
ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ନେଦରଲାଣ୍ଡ୍ସ ଆରମ୍ଭରୁ ଆକ୍ରମଣାତ୍ମକ ଖେଳି ଫାଇଦାରେ ରହିଥିଲା। ମ୍ୟାଚ୍‌ର ୩ ଓ ୧୩ତମ ମିନିଟ୍‌ରେ ୮ ନମ୍ବର ଖେଳାଳି ତଥା ଅଧିନାୟକ ଥିଏରୀ ବ୍ରିଙ୍କ୍‌ମାନ ୨ଟି ଗୋଲ ଦେଇ ନେଦରଲାଣ୍ଡକୁ ୨-୦ ଗୋଲରେ ଅଗ୍ରଣୀ କରାଇଥିଲେ। ଏହି କ୍ଷତିକୁ ନ୍ୟୁଜିଲାଣ୍ଡ ଶେଷପର୍ଯ୍ୟନ୍ତ ଭରଣା କରିପାରି ନ ଥିଲା। ଦ୍ୱିତୀୟ କ୍ୱାର୍ଟର ଅର୍ଥାତ୍‌ ୨୦ତମ ମିନିଟରେ କୋଏନ ବିଜେନ ଆଉ ଏକ ଗୋଲ ଦେଇ ପ୍ରଥମାର୍ଦ୍ଧ ଶେଷବେଳକୁ ନେଦରଲାଣ୍ଡର ଅଗ୍ରଣୀ ବ୍ୟବଧାନକୁ ୩-୦ରେ ପହଞ୍ଚାଇଥିଲେ। ତୃତୀୟ କ୍ୱାର୍ଟରରେ ନ୍ୟୁଜିଲାଣ୍ଡ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ ହେଁ ଗୋଲ ପରିଶୋଧ କରିପାରି ନ ଥିଲା। ୪ର୍ଥ ତଥା ଅନ୍ତିମ କ୍ୱାର୍ଟର ଅର୍ଥାତ୍‌ ୫୫ତମ ମିନିଟ୍‌ରେ ନେଦରଲାଣ୍ଡର ୧୯ ନମ୍ବର ଖେଳାଳି ଜେପ୍‌ ହୋଏଡମେକର୍ସ ଆଉ ଏକ ଫିଲ୍ଡ ଗୋଲ ଦେଇ ଦଳର ବିଜୟକୁ ନିଶ୍ଚିତ କରିଦେଇଥିଲେ। ପ୍ରକାଶଯୋଗ୍ୟ, ନେଦରଲାଣ୍ଡ ଗତ ସଂସ୍କରଣରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରି ଫାଇନାଲ ଖେଳିଥିଲା। ମାତ୍ର ଟାଇଟଲ ମୁକାବିଲାରେ ବେଲଜିୟମ୍‌ଠାରୁ ହାରି ରନରଅପ୍‌ ହୋଇଥିଲା। ଏହି ଦଳ ବିଶ୍ୱକପ୍‌ ଇତିହାସରେ ଅନ୍ୟତମ ସଫଳ ଦଳ ଭାବେ ପରିଗଣିତ। ୧୯୭୩, ୧୯୦ ଓ ୧୯୯୮ରେ ୩ ଥର ଚାମ୍ପିୟନ ହୋଇଥିବାବେଳେ ୧୯୬୮, ୧୯୯୪, ୨୦୧୪ ଓ ୨୦୧୮ରେ ୪ଥର ରନରଅପ୍‌ ହୋଇଛି। ଏହା ବ୍ୟତୀତ ୨ ଥର ୨୦୦୨ ଓ ୨୦୧୦ରେ ବ୍ରୋଞ୍ଜ ପଦକ ମଧ୍ୟ ପାଇଛି।

Share