Categories: ଖେଳ

ନେଦରଲାଣ୍ଡ୍ସ ୨-୦ରେ ଜିତିଲା

ଦୋହା,୨୨ା୧୧: କାତାରରେ ଅନୁଷ୍ଠିତ ଫିଫା ବିଶ୍ୱକପରେ ଚିତାକର୍ଷକ ବିଜୟ ହାସଲ କରିଛି ନେଦରଲାଣ୍ଡ୍ସ। ଉଭୟ ଦଳ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ ହେଁ ନେଦରଲାଣ୍ଡ୍ସ ଗୋଲକିପର ଆଣ୍ଡ୍ରିସ୍‌ ନୋପର୍ଟ ଉଭୟ ଦଳ ମଧ୍ୟରେ ଫରକ ସାଜିଥିଲେ। ଏକାଧିକ ଶଟ୍‌କୁ ସେଭ୍‌ କରିବା ସହିତ ସେ ନେଦରଲାଣ୍ଡ୍ସ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଅଲ ଥୁମାମାରେ ଖେଳା ଯାଇଥିବା ମ୍ୟାଚରେ ନେଦରଲାଣ୍ଡ୍ସ ନିକଟରେ ୫୩ ଓ ସେନେଗାଲ ନିକଟରେ ୪୭ ପ୍ରତିଶତ ସମୟ ବଲ ରହିଥିଲା। ତେବେ ସେନେଗାଲ ଖେଳାଳି ୧୫ ଓ ନେଦରଲାଣ୍ଡ୍ସ ୧୦ଟି ଶଟ୍‌ ମାରିଥିଲେ। ସେନେଗାଲ୍‌ର ୪ଟି ଶଟ୍‌ ଟାର୍ଗେଟରେ ରହିଥିବା ବେଳେ ଅରେଞ୍ଜ ଆର୍ମିର ୩ ଶଟ୍‌ ଟାର୍ଗେଟରେ ରହିଥିଲା। ତେବେ ଆଣ୍ଡ୍ରିସ୍‌ ନୋପର୍ଟଙ୍କ ଚମତ୍କାର ଗୋଲ ରକ୍ଷଣ କାରଣରୁ ସେନେଗାଲ ଗୋଟିଏ ବି ଗୋଲ ସ୍କୋର କରିବାରେ ସମର୍ଥ ହୋଇନଥିଲା।
ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିବା ପରେ ଦ୍ୱିତୀୟାର୍ଦ୍ଧରେ ମଧ୍ୟ ଗୋଲଶୂନ୍ୟ ଡ୍ର ଆଡକୁ ଯାଉଥିଲା। ତେବେ ମ୍ୟାଚର ୮୪ ତମ ମିନିଟରେ କୋଡି ଗାକ୍‌ପୋ ପ୍ରଥମ ଗୋଲ ସ୍କୋର କରିଥିଲେ। ଫେଙ୍କି ଡେ ଜଙ୍ଗ ଏକ ଲଙ୍ଗ ବଲ୍‌ ପାଶ୍‌ ଦେଇଥିଲେ। ସେନେଗାଲ ଗୋଲ ରକ୍ଷକ ମେଣ୍ଡି ଓ ଗାକ୍‌ପୋ ବଲ୍‌ ଆଡକୁ ଧାଇଁଥିଲେ। ଗାକ୍‌ପୋ ବଲ୍‌ ଉପରେ ନିୟନ୍ତ୍ରଣ ପାଇବା ସହିତ ଏହାକୁ ପୋଷ୍ଟ ମଧ୍ୟକୁ ପଠାଇ ଦେଇ ନେଦରଲାଣ୍ଡ୍ସକୁ ୧-୦ରେ ଆଗୁଆ କରିଥିଲେ। ଏହାପରେ ସେନେଗାଲ ପକ୍ଷରୁ ଗୋଲ ପରିଶୋଧ ପାଇଁ ଆପ୍ରାଣ ଉଦ୍ୟମ କରାଯାଇଥିଲା। ମ୍ୟାଚଟି ଅତିରିକ୍ତ ସମୟକୁ ଯାଇଥିବା ବେଳେ ୯୦+୯ ମିନିଟରେ କ୍ଲାସେନ୍‌ ଦେଇଥିଲେ ଆଉ ଏକ ଗୋଲ୍‌। ଡିପେଙ୍କ ପାଶ୍‌କୁ କ୍ଲାସେନ୍‌ ଏକ ଜୋରଦାର ଶଟ୍‌ ମାରିଥିଲେ ହେଁ ମେଣ୍ଡି ଡାଇଭ୍‌ କରି ଏହାକୁ ଅଟକାଇ ଦେଇଥିଲେ। ମାତ୍ର ରିବାଉଣ୍ଡ ଶଟକୁ ଗୋଲ ପୋଷ୍ଟ ମଧ୍ୟକୁ ପଠାଇ ଦଳକୁ ୨-୦ରେ ବିଜୟୀ କରିଥିଲେ କ୍ଲାସେନ୍‌।

Share