Advertisement

ବହୁଚର୍ଚ୍ଚିତ ଇତିଶ୍ରୀ ହତ୍ୟା ମାମଲାର ଦୋଷୀ ନେତ୍ରାନନ୍ଦ ଦଣ୍ଡସେନାଙ୍କ ମୃତ୍ୟୁ

କୋରାପୁଟ ଅଫିସ,୧୭ା୮: ରାୟଗଡ଼ାର ବହୁଚର୍ଚ୍ଚିତ ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ମୃତ୍ୟୁ ମାମଲାରେ ଦୋଷୀ ସାବ୍ୟସ୍ତ ଶିକ୍ଷକ ନେତ୍ରାନନ୍ଦ ଦଣ୍ଡସେନାଙ୍କ ମୃତ୍ୟୁ ହୋଇଛି। ଏନେଇ କୋରାପୁଟ ମଣ୍ଡଳ କାରାଗାର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି।
ସେ କହିଛନ୍ତି, ରବିବାର ରାତିରେ ନେତ୍ରାନନ୍ଦଙ୍କ ଦେହ ଅସୁସ୍ଥ ହେବା ପରେ ତାଙ୍କୁ ସହିଦ ଲକ୍ଷ୍ମଣ ନାୟକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଥିବା ବେଳେ ସୋମବାର ସକାଳେ ତାଙ୍କର ମୃତ୍ୟୁ ଘଟିଛି।
ସୂଚନାଯୋଗ୍ୟ, ୨୦୧୩ ଅକ୍ଟୋବର ୨୭ରେ ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରି ସ୍କୁଲରେ ଠିକା ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିବା ଇତିଶ୍ରୀ ପ୍ରଧାନଙ୍କୁ କିରୋସିନ ଢାଳି ପୋଡ଼ି ଦିଆଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଟିକିରି ଏବଂ ପରେ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିଲା। ସେହିବର୍ଷ ନଭେମ୍ବର ୧ରେ ଇତିଶ୍ରୀଙ୍କର ମୃତ୍ୟୁ ଘଟିଥିଲା। ତେବେ ଏଥିରେ ସେହି ସ୍କୁଲର ପ୍ରଧାନଶିକ୍ଷକ ନେତ୍ରାନନ୍ଦ ଦଣ୍ଡସେନା ତାଙ୍କୁ ନିର୍ଯାତନା ଦେଉଥିବା ଥାନାରେ ଅଭିଯୋଗ ହୋଇଥିଲା। ରାଜ୍ୟ ସରକାର ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରେ ଏକ ଜନସ୍ବାର୍ଥ ମାମଲାରେ ସୁପ୍ରିମକୋର୍ଟ ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ୨୦୧୬ ଏପ୍ରିଲରେ ନେତ୍ରାନନ୍ଦ ଦଣ୍ଡସେନାଙ୍କୁ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗରେ ରାୟଗଡ଼ା ଜିଲା ଓ ଦୌରାଜଜ୍‌ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ। ସେହିଦିନଠାରୁ ସେ ଜେଲ୍‌ରେ ସଜା କାଟୁଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share