ଲାଞ୍ଜିଗଡ, ୧୭।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଆଦିବାସୀ ଅଧ୍ୟ୍ୟଷିତ ଦୁର୍ଗମ ଅଞ୍ଚଳରେ ଆବାସ ଗୃହ ସର୍ଭେ ପାଇଁ ନେଟୱାର୍କ ବାଧକ ସାଜିଥିବାବେଳେ ପାହାଡ ଚଢି ଅନଲାଇନ ସର୍ଭେ କରୁଛନ୍ତି ଅଧିକାରୀ। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପଞ୍ଚାୟତର ପ୍ରତ୍ୟେକ ଗାଁକୁ ଯାଇ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟକରି ତାଙ୍କୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଅନଲାଇନ ସର୍ଭେ କରି ତାଲିକା ଅନ୍ତର୍ଭୁକ୍ତ କରିବା ପାଇଁ l ଏହି ସର୍ଭେ କରିବାପାଇଁ ପ୍ରତ୍ୟେକ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଗ୍ରାମ ରୋଜଗାର ସେବକ ସମେତ ଜିଓ ଟେକରଙ୍କୁ ଦାୟିତ୍ୱ ଦିଆଯାଇଛି। ଦାୟିତ୍ୱକୁ ନିର୍ବାହ କରି ପ୍ରତ୍ୟେକ ପଞ୍ଚାୟତର ପ୍ରତ୍ୟେକ ଗାଁକୁ ଯାଇ ଘରକୁ ଘର ବୁଲି ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ଅନଲାଇନ ସର୍ଭେ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଲିକା ଅନ୍ତର୍ଭୁକ୍ତ କରୁଛନ୍ତି।
ପରିତାପର ବିଷୟ ସରକାରୀ ସ୍ତର ହେଉ ଅବା ବେସରକାରୀ ସ୍ତର ହେଉ ନେଟୱାର୍କ ବା ନେଟର ନିତାନ୍ତ ଆବଶ୍ୟକତା ରହିଥିବା ବେଳେ ଡିଜିଟାଲ ଭାରତରେ ମଧ୍ୟ୍ୟ ଏବେ ଯାଏଁ ଲୋକେ ନେଟୱର୍କ ପାଇଁ ଅନେକ ସମସ୍ୟା ଭୋଗୁଛନ୍ତି l ପଞ୍ଚାୟତରେ ଅନେକ ଗୁଡ଼ାଏ ନିର୍ଦ୍ଦିଷ୍ଟ କମ୍ପାନୀର ନେଟୱାର୍କ ସ୍ଥାପନ ହୋଇଛି ସତ କିନ୍ତୁ ଫୋନ କଲ ବ୍ୟତୀତ କୌଣସି ନେଟୱର୍କଟେ ଏବେ ଯାଏଁ ଇଣ୍ଟରନେଟର ବ୍ୟବସ୍ଥା ହୋଇନାହିଁ l ଯାହାଫଳରେ ଲୋକେ ପାହାଡ ଚଢି ପ୍ରଧାନମନ୍ତ୍ରୀ ଆବାସ ଗୃହ ଅନଲାଇନ ସର୍ଭେ କରୁଥିବା ଚିତ୍ର ଦେଖିବାକୁ ମିଳିଛି l ଏହି ଭଳି ଏକ ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଆଦିବାସୀ ଅଦ୍ୟୁଷିତ ପାହାଡ ପଦର ପଞ୍ଚାୟତରେ l ଏହି ପଞ୍ଚାୟତରେ ମୋଟ ୧୫ଟି ଗାଁ ରହିଥିବା ବେଳେ କେବଳ କାଞ୍ଚନମୁଖି ଗାଁର ଏକ ପାହାଡ଼ରେ ଟିକେ ଇଣ୍ଟରନେଟ ଚାଲୁଥିବାରୁ ସେହି ପାହାଡ଼ରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ଅନଲାଇନ ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି l ଉକ୍ତ ପଞ୍ଚାୟତରେ ଅନେକ ସ୍ଥାନରେ ନେଟୱର୍କ ସ୍ଥାପନ ହୋଇଛି ସତ ହେଲେ ବର୍ତ୍ତମାନ ସୁଦ୍ଧା ଠିକ ଭାବରେ ଫୋନ କଲ ବ୍ୟତୀତ କୌଣସି ନେଟୱର୍କରେ ଇଣ୍ଟରନେଟ ଚଳାଇବାର ବ୍ୟବସ୍ଥା ହୋଇନାହିଁ l
ସେହିପରି ବିଜେପୁର, ମାଳିଯୁବାଙ୍ଗ, ତ୍ରିଲୋଚନ ପୁର, ବେଡାଗାଁ ପଞ୍ଚାୟତରେ ମଧ୍ୟ୍ୟ ନେଟୱର୍କ ସମସ୍ୟା ରହିଥିବାବେଳେ ଏହି ପଟେ ସରକାର ଅନଲାଇନ ମାଧ୍ୟମରେ ହିତାଧିକାରୀଙ୍କ ଆଧାରକାର୍ଡ, ବ୍ୟାଙ୍କବହି, ଜବକାର୍ଡ, ଆଇସ୍କେନ ସମେତ ପୁରୁଣା ଘର ଓ କେଉଁ ସ୍ଥାନରେ ନୂତନ ଗୃହ ନିର୍ମାଣ ହେବ ଏହାର ଅପଡେଟ ସର୍ଭେ ସମ୍ପୂର୍ଣ୍ଣ ତଥ୍ୟ ମାଗୁଛନ୍ତି କିନ୍ତୁ ନେଟୱାର୍କ ସମସ୍ୟା ଯୋଗୁ ସମ୍ପୂର୍ଣ୍ଣ ତଥ୍ୟ ଦେବାରେ ସର୍ଭେକାରୀଙ୍କୁ ନାକେଦମ ହେବାକୁ ପଡୁଛି l ତେବେ ଏହି ଅଞ୍ଚଳରେ ବର୍ତ୍ତମାନ ନେଟୱାର୍କ ସମସ୍ୟା ରହିଥିବାରୁ ଚିନ୍ତାରେ ହିତାଧିକାରୀ ଓ ସର୍ଭେ କରୁଥିବା କର୍ମଚାରୀମାନେ ତେଣୁ ଏହି ଅଞ୍ଚଳର ନେଟୱାର୍କ ସମସ୍ୟା ଯଥା ସମ୍ଭବ ଜିଲା ଓ ବ୍ଲକ ପ୍ରଶାସନ ଦୃଷ୍ଟି ଦେଇ ସମାଧାନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି l