Advertisement

ସପ୍ତାହେ ହେଲା ନେଟୱର୍କ ଫେଲ

ଲାଞ୍ଜିଗଡ,୧୨।୪(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ରେ ୭ ଦିନ ହେଲା ବିଏସ୍‌ଏନ୍‌ଏଲ୍‌ ନେଟୱର୍କ ଫେଲ୍‌ ରହିଛି। ଫଳରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଲାଞ୍ଜିଗଡ ସହରରେ ଅଧିକାଂଶ ଗ୍ରାହକ ବିଏସ୍‌ଏନ୍‌ଏଲ୍‌ ସିମକାର୍ଡ ବ୍ୟବହାର କରୁଛନ୍ତି। ହେଲେ ସେବା ନ ମିଳିବାରୁ ଶେଷରେ ସିମ ବଦଳାଉ ଥିବା ଅଭିଯୋଗ ହୋଇଛି।

ଲାଞ୍ଜିଗଡ ବ୍ଲକର ଘାଟି ଅଞ୍ଚଳରେ ଥିବା ମୁଷନାଳ ଓ ବିଜେପୁରଠାରେ ମଧ୍ୟ ବିଏସ୍‌ଏନ୍‌ଏଲ୍‌ ଟାୱାର ସ୍ଥାପନ କରାଯାଇଛି। ହେଲେ ତାହା ନାମକୁ ମାତ୍ର। ୪-ଜି ନେଟ କଥା କୁହାଯାଉଛି ହେଲେ କିଛି କାମ କରୁନାହିଁ। ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ସ୍ଥାନରେ ଟାୱାର ସ୍ଥାପନ କରିଛନ୍ତି। ହେଲେ ସରକାରୀ ଅଧିକାରୀଙ୍କ ଇଛାଶକ୍ତିର ଅଭାବ ଯୋଗୁ ତାହା ବାଟବଣା ହେବାରେ ଲାଗିଛି। ଲୋକେ କମ୍ପାନୀ ପ୍ରତି ବିମୁଖ ହେଉଛନ୍ତି। ଲାଞ୍ଜିଗଡ ସହରବାସୀ ଏହାକୁ ନେଇ ଆନ୍ଦୋଳନ ପାଇଁ ସଜବାଜ ହେବାକୁ ବସିଲେଣି। ଆଗାମୀ ଦିନରେ ଏକ ବଡ଼ଧରଣର ଆନ୍ଦୋଳନକୁ ଏଡାଇ ଦିଆ ଯାଇ ନ ପାରେ। ଯଥାଶୀଘ୍ର ଏଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share