ଲଗାଣ ବର୍ଷାରେ ବେହାଲ ଦାରିଙ୍ଗବାଡ଼ି, କାମ କରୁନି ନେଟ୍‌ଓ୍ବାର୍କ

ଦାରିଙ୍ଗବାଡ଼ି,୨ା୮(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳର ସିମନବାଡ଼ିରେ ଦୁଇ ଦିନ ହେଲା ବିଦ୍ୟୁତ୍‌ ସେବା ଅଚଳ ହେବା ସହ ମୋବାଇଲ ନେଟଓ୍ବାର୍କ ଫେଲ୍‌ ମାରିଛି। ଏବେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଥିବା ବେଳେ ସୋମବାର ବିଳମ୍ବିତ ରାତିଠାରୁ ବିଦ୍ୟୁତ ଅଚଳ ହୋଇପଡ଼ିଛି। ସେହିପରି ମଙ୍ଗଳବାର ଅପରାହ୍ନଠାରୁ ମୋବାଇଲ ସେବା ସହ ଏକ ଘରୋଇ ସଂସ୍ଥା ଦ୍ୱାରା ଚାଲିଥିବା ୪-ଜି ସେବା ଅଚଳ ହୋଇପଡ଼ିଛି। ଏହି ମୋବାଇଲ ସେବା ଫେଲ୍‌ ହେବାର ୨୪ ଘଣ୍ଟା ବିତିଯାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇନାହିଁ। ଫଳରେ ଅଞ୍ଚଳରେ ଜନ ଅସନ୍ତୋଷ ବୃଦ୍ଧି ପାଇଛି। ଏକ ମାତ୍ର ମୋବାଇଲ ଟାଓ୍ବାରରେ ଦୁଇଟି ନେଟଓ୍ବାର୍କ ସଂଯୋଗ ହୋଇଥିବା ବେଳେ ଆଉ କୌଣସି ବିକଳ୍ପ ଲୋକଙ୍କ ପାଇଁ ନ ଥିବା ବେଳେ ଜନସାଧାରଣ ନେଟଓ୍ବାର୍କ ଫେଲ ପାଇଁ ହାଟହଟା ଭୋଗୁଛନ୍ତି। ଏନେଇ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ ପାଇଁ ପ୍ରୟାସ କରାଯାଇଥିଲେ ସୁଦ୍ଧା ସମ୍ଭବ ହୋଇପାରିନି। ଶୀଘ୍ର ମୋବାଇଲ ସେବା ନ ଯୋଗାଇଲେ ରାଜରାସ୍ତାକୁ ଓହ୍ଲାଇବାକୁ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି। ଘରୋଇ ଅନୁଷ୍ଠାନର ଅଧିକାରୀଙ୍କୁ ପଚାରିବାରୁ କହିଛନ୍ତି, ବିଏସ୍‌ଏନଏଲ୍‌ର ଯେଉଁ କର୍ମକର୍ତ୍ତା ସିମନବାଡ଼ିରେ ଡିୟୁଟି କରୁଛନ୍ତି। ସେ ମଙ୍ଗଳବାରଠାରୁ ଏକ୍ସଚେଞ୍ଜର ଚାବି ଧରି କେଉଁଆଡେ ଯାଇଛନ୍ତି। ଯୋଗାଯୋଗ ହୋଇପାରୁ ନ ଥିବାରୁ ଜେନେନେଟର ଷ୍ଟାର୍ଟ କରି ମୋବାଇଲ ସେବା ଯୋଗାଇବା ସମ୍ଭବ ହେଉନି। ଯେତେ ଶୀଘ୍ର ହେବ ଆମେ ସେବା ଯୋଗାଇବାକୁ ଚେଷ୍ଟା କରିବୁ ବୋଲି କହିଛନ୍ତି।

Share