Categories: ଫୁରସତ

କେବେ ନୂଆ କପଡ଼ା କିଣି ନାହାନ୍ତି

ଇଂଲଣ୍ଡ: ଅଧିକାଂଶ ଲୋକ ନୂଆ ଜିନିଷ, ନୂଆ କପଡ଼ା ପିନ୍ଧିବାକୁ ପସନ୍ଦ କରିଥାନ୍ତି। ନିଜ ପିଲାଙ୍କୁ ମଧ୍ୟ ନୂଆ ଜିନିଷ ଦେଇଥାନ୍ତି। ହେଲେ ଜଣେ ମହିଳାଙ୍କ କହିବା କଥା, ସେ କେବେ ନୂଆ ଜିନିଷ ବା ନୂଆ କପଡ଼ା କିଣନ୍ତିନି। ସବୁବେଳେ ପୁରୁଣା ଜିନିଷ ହିଁ ବ୍ୟବହାର କରନ୍ତି ଏବଂ ତାଙ୍କ ପିଲାଙ୍କୁ ମଧ୍ୟ ପୁରୁଣା ଜିନିଷ ଦେଇଥାନ୍ତି। ଏମିତି କି ପୁରୁଣା ବହି ଓ ଖେଳନା ମଧ୍ୟ ଦିଅନ୍ତି। ରିପୋର୍ଟ ମୁତାବକ, ଇଂଲଣ୍ଡର ବାସିନ୍ଦା ଜେନ ବାର୍କର ପୈକରଙ୍କ କହିବା କଥା, କିଛି ନୂଆ ଜିନିଷ କିଣିବା ପୂର୍ବରୁ ସେ ପୁରୁଣା ଜିନିଷକୁ ଶେଷ ପର୍ଯ୍ୟନ୍ତ ପିନ୍ଧିଥାନ୍ତି। ଯଦି କିଛି କପଡ଼ା ଖରାପ ହୁଏ, ସେ ତାକୁ ଠିକ୍‌ କରି ନିଅନ୍ତି। ସେ ତାଙ୍କର ସମସ୍ତ କପଡ଼ାକୁ ଆଲମାରିରେ ସାଇତିକି ରଖନ୍ତି। ଯେପରି ତାକୁ ଅଧିକ ସମୟ ପର୍ଯ୍ୟନ୍ତ ପିନ୍ଧି ହେବ। ଯଦି ତାଙ୍କୁ କୌଣସି ପାର୍ଟିରେ ଯିବାକୁ ପଡ଼େ, ତେବେ ସେ କପଡ଼ା ଭଡ଼ାରେ ନେଇଥାନ୍ତି। ସେ ଅନେକ ସମୟରେ ତାଙ୍କ ଦିବଂଗତ ମା’ଙ୍କ କପଡ଼ା ପିନ୍ଧିବାକୁ ପସନ୍ଦ କରନ୍ତି। ଏହା ତାଙ୍କୁ ତାଙ୍କ ମା’ ପାଖରେ ଥିବା ଅନୁଭବ କରାଏ। ପ୍ରକୃତରେ, ଇଂଲଣ୍ଡରେ କିଛିଦିନ ହେବ ଏକ ଆନ୍ଦୋଳନ ଚାଲିଛି; ଯେଉଁଥିରେ କପଡ଼ାର ଅଦଳବଦଳ କରାଯାଉଛି। ଲୋକଙ୍କ କହିବା କଥା, ନୂଆ କପଡ଼ା ବ୍ୟବହାର କରିବା ଅର୍ଥ ଅଧିକ କପଡ଼ା ତିଆରି କରିବା। ଏହା ଫଳରେ ପରିବେଶର କ୍ଷତି ହୋଇଥାଏ। ଯଦି ଆମେ ପୁରୁଣା ଜିନିଷକୁ ବ୍ୟବହାର କରିବା ତେବେ ପରିବେଶର କୌଣସି କ୍ଷତି ହେବନି। ଜଣେ ବ୍ୟକ୍ତିଙ୍କ ଅଦରକାରୀ ଜିନିଷ ଅନ୍ୟ ବ୍ୟକ୍ତି ପାଇଁ କାମର ଜିନିଷ ହୋଇଥାଏ। ଏହି ପ୍ରକ୍ରିୟାରେ ଲୋକେ ନିଜର ପୁରୁଣା କପଡ଼ା ଦାନ କରନ୍ତି, ଫଳରେ ଅନ୍ୟକୁ ଏହି କପଡ଼ା ମିଳିପାରିବ। ପୈକର ମଧ୍ୟ ଏହି ଆନ୍ଦୋଳନର ଅଂଶୀ। ସେଥିପାଇଁ ସେ ପୁରୁଣା କପଡ଼ା ପିନ୍ଧିବାକୁ ପସନ୍ଦ କରୁଛନ୍ତି।

Share