ନଭେମ୍ବରରୁ ୟୁଜି, ପିଜି ପାଇଁ ନୂଆ ଶିକ୍ଷାବର୍ଷ

ଭୁବନେଶ୍ୱର, ୨୩।୯(ବ୍ୟୁରୋ):କରୋନା ସ୍ଥିତି ଲାଗି ଚଳିତବର୍ଷ ଅଣ୍ଡର ଗ୍ରାଜୁଏଟ(ୟୁଜି) ଓ ପୋଷ୍ଟ ଗ୍ରାଜୁଏଟ(ପିଜି) ଶିକ୍ଷାବର୍ଷକୁ ପରିବର୍ତ୍ତନ କରାଯାଇଛି। ମାର୍ଚ୍ଚ ପରିବର୍ତ୍ତେ ଏଥର ନଭେମ୍ବରରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହୋଇ ୨୦୨୧ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ୨୦୨୦-୨୧ ଶିକ୍ଷାବର୍ଷ ନିମନ୍ତେ ପ୍ରଥମବର୍ଷ ୟୁଜି ଓ ପିଜି ଛାତ୍ରୀଛାତ୍ରଙ୍କ ପାଇଁ ସଂଶୋଧିତ ୟୁଜିସି ନିୟମାବଳୀ ଘୋଷଣା କରାଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶଲାଲ୍‌ ପୋଖରିଆଲ ନିଶଙ୍କ ମଙ୍ଗଳବାର ଏନେଇ ଟୁଇଟ୍‌ କରି ସୂଚନା ଦେଇଛନ୍ତି।
ଗତ ୨୧ ତାରିଖରେ ଅନୁଷ୍ଠିତ ୟୁନିଭର୍ସିଟି ଗ୍ରାଣ୍ଟ୍‌ସ କମିଶନ(ୟୁଜିସି) ବୈଠକରେ ଏକାଡେମିକ୍‌ କ୍ୟାଲେଣ୍ଡରର ନୂତନ ଗାଇଡ୍‌ଲାଇନ୍‌କୁ ଅନୁମୋଦନ ମିଳିଛି। ଏହି ଅନୁଯାୟୀ, ଛାତ୍ରୀଛାତ୍ର ଅକ୍ଟୋବର ୩୧ ସୁଦ୍ଧା ୟୁଜି ଓ ପିଜିରେ ନାମ ଲେଖାଇପାରିବେ। ନଭେମ୍ବର ୧ରୁ ପିଲାଙ୍କ ପଠାପଢା ଆରମ୍ଭ ହେବ। ନୂତନ କ୍ୟାଲେଣ୍ଡର ଅନୁଯାୟୀ, ୨୦୨୦-୨୧ ଶିକ୍ଷାବର୍ଷରେ ଯେଉଁ ଛାତ୍ରୀଛାତ୍ରମାନେ ନାମ ଲେଖାଇବେ ସେମାନେ ୨୦୨୧ ମାର୍ଚ୍ଚ ୮ରୁ ୨୬ ମଧ୍ୟରେ ପ୍ରଥମ ସେମିଷ୍ଟର ପରୀକ୍ଷା ଦେବେ। ସେହିଭଳି ଦ୍ୱିତୀୟ ସେମିଷ୍ଟର ୨୦୨୧ ଅଗଷ୍ଟ ୨୨ରୁ ୨୯ ତାରିଖ ମଧ୍ୟରେ କରାଯିବ। ଏହାପରେ ଅଗଷ୍ଟ ୩୦ରୁ ୨୦୨୧-୨୨ ଶିକ୍ଷାବର୍ଷ ଆରମ୍ଭ ହେବ। ଚଳିତବର୍ଷ କରୋନା ମହାମାରୀ ଓ ଲକ୍‌ଡାଉନ ଯୋଗୁ ପାଠପଢା ସମୟ ନଷ୍ଟ ହୋଇଥିବାରୁ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ସପ୍ତାହକୁ ୬ଦିନ ପାଠ ପଢାଇ ତାହାକୁ ଶେଷ କରିବାକୁ ଉଦ୍ୟମ କରିବେ। ଛୁଟି ଓ ବିରତି ସମୟକୁ ମଧ୍ୟ ହ୍ରାସ କରି ପାଠପଢା ପାଇଁ ସମୟ ବାହାର କରିବେ। ତେବେ କରୋନା ଲାଗି ଅଭିଭାବକମାନେ କଠିନ ସମୟ ଦେଇ ଗତି କରୁଥିବାରୁ ଆଡ୍‌ମିଶନବେଳେ ଏହାକୁ ନଜରରେ ରଖାଯିବ। ନଭେମ୍ବର ୩୦ ମଧ୍ୟରେ ଯେଉଁ ଛାତ୍ରୀଛାତ୍ରମାନେ ନାମଲେଖା ବାତିଲ କରିବେ କିମ୍ବା ସ୍ଥାନାନ୍ତର କରିବେ ସେ କ୍ଷେତ୍ରରେ ସେମାନଙ୍କୁ ସମ୍ପୂର୍ଣ୍ଣ ନାମଲେଖା ଫି’ ଫେରାଇ ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

Share