Categories: ବାଣିଜ୍ୟ

ନ୍ୟୁ ଏଜ୍‌ ଏନର୍ଜି ମିନେରାଲ୍ସ ରିପୋର୍ଟ ଉନ୍ମୋଚିତ

ନୂଆଦିଲ୍ଲୀ,୪।୫: ଫେଡେରେଶନ ଅଫ୍‌ ଇଣ୍ଡିଆନ ଚାମ୍ବର୍ସ ଅଫ୍‌ କର୍ମସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି)ର ଏକ ବିଶେଷଜ୍ଞ କମିଟି ଦ୍ୱାରା ପ୍ରସ୍ତୁତ ‘ନ୍ୟୁ ଏଜ୍‌ ଏନର୍ଜି ମିନେରାଲ୍ସ’ ରିପୋର୍ଟ ନିକଟରେ ଉନ୍ମୋଚିତ ହୋଇଯାଇଛି। ନୂଆଦିଲ୍ଲୀଠାରେ ଏକ ସ୍ବତନ୍ତ୍ର ସମାରୋହର ଆୟୋଜନ କରାଯାଇଥିଲା। ଏହି ଅବସରରେ ଖଣି ମନ୍ତ୍ରଣାଳୟର ସଚିବ ବିବେକ ଭରଦ୍ୱାଜ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉନ୍ମୋଚନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଫିକି ଇଣ୍ଡିଆର ସଭାପତି ତଥା ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡାଙ୍କ ସମେତ ଫିକି ଖଣି କମିଟିର କୋ-ଚେୟାରମ୍ୟାନ୍‌ ପଙ୍କଜ ସତିଜା, ସେକ୍ରେଟାରି ଜେନେରାଲ ଶୈଳେଶ ପାଠକ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ବିଶେଷକରି ଉକ୍ତ ରିପୋର୍ଟରେ ନ୍ୟୁ ଏଜ୍‌ ଏନର୍ଜି ମିନେରାଲ୍ସ ସମ୍ପର୍କରେ ବିସ୍ତୃ୍‌ତ ସୂଚନା ସହ ଭୌଗୋଳିକ ତଥା ଭୂତାତ୍ତ୍ୱିକ ତଥ୍ୟ, ବ୍ୟବହାର, ବଜାର ଦୃଷ୍ଟିକୋଣ, ଚ୍ୟାଲେଞ୍ଜ ଏବଂ ସୁଯୋଗ ଆଦି ସବିଶେଷ ସୂଚନା ରହିଛି। ଏହି ପରିପ୍ରେକ୍ଷୀରେ ଫିକି ଇଣ୍ଡିଆର ସଭାପତି ତଥା ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା କହିଛନ୍ତି, ଭାରତର ଆର୍ଥିକ ବିକାଶ ଏବଂ ଚିରସ୍ଥାୟୀ ଭବିଷ୍ୟତ ଗଠନ ପାଇଁ ନ୍ୟୁ ଏଜ୍‌ ଏନର୍ଜି ମିନେରାଲ୍ସ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଏପରିକି ଭାରତ ତା’ର ଖଣି ଜ୍ଞାନକୌଶଳ ଏବଂ ସୁସମ୍ପର୍କ ବ୍ୟବହାରକରି ଉକ୍ତ ମିନେରାଲକୁ ହାସଲ ଏବଂ ଉତ୍ତୋଳନ କରିବା ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ। ଅପରପକ୍ଷରେ ପଣ୍ଡା ତାଙ୍କ ଅଭିଭାଷଣରେ କହିଥିଲେ, ଭାରତର ଜିଡିପି ଅଭିବୃଦ୍ଧି ପାଇଁ ଖଣି ଖନନର ଗୁରୁତ୍ୱ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ନ୍ୟୁ ଏଜ୍‌ ଏନର୍ଜି ମିନେରାଲ୍ସର ଉତ୍ପାଦନ ବୃଦ୍ଧି ନିମନ୍ତେ ଚାଲିଥିବା ଖଣିଜ ସନ୍ଧାନ,ବୈଷୟିକ ଜ୍ଞାନକୌଶଳ ବିନିଯୋଗ ଏବଂ ଦକ୍ଷତା ବୃଦ୍ଧି ଉପରେ ସେ ବେଶ୍‌ ଗୁରୁତ୍ୱାରୋପ କରିଥିଲେ।

Share