ଭଣ୍ଡାରିପୋଖରୀରେ ନୂଆ-ପୁରୁଣା

ବନ୍ତ,୧୭।୪ (ହରିନାରାୟଣ ମହାନ୍ତି):ସାଧାରଣ ନିର୍ବାଚନରେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରରେ ଏଥର ହେବ ନୂଆ-ପୁରୁଣା ଲଢ଼େଇ। ବିଜେଡି ପକ୍ଷରୁ ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକଙ୍କୁ ଏଠାରୁ ପ୍ରାର୍ଥୀ କରାଯାଇଥିବା ବେଳେ କଂଗ୍ରେସ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି। ଭାଜପା ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରାର୍ଥୀ ଘୋଷଣା କରାଯାଇ ନାହିଁ। ସଞ୍ଜୀବ ଏହି ବିଧାନସଭା କ୍ଷେତ୍ର ପାଇଁ ନୂଆ ହୋଇଥିବା ବେଳେ ନିରଞ୍ଜନ ୨ୟ ଥର ଏଠାରୁ ଲଢ଼ିବେ। ସଞ୍ଜୀବ ୨୦୧୯ ସାଧାରଣ ନିର୍ବାଚନରେ ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀରୁ ଲଢ଼ି ବିଧାୟକ ହୋଇଥିଲେ। ଚଳିତ ନିର୍ବାଚନରେ ଦଳ ତାଙ୍କୁ ଭଣ୍ଡାରିପୋଖରୀରୁ ପ୍ରାର୍ଥୀ କରିଥିବାରୁ ଏହା ତାଙ୍କ ପାଇଁ ସମ୍ପୂର୍ଣ୍ଣ ନୂଆ ରଣକ୍ଷେତ୍ର ହୋଇଛି। କିନ୍ତୁ ପୂର୍ବରୁ ୧୫ବର୍ଷ ଧରି ଏହି ବିଧାନସଭା ଆସନ ବିଜେଡି ଦଖଲରେ ରହିଛି। ଦଳର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ ଏଠାରୁ ୩ ଥର ବିଧାୟକ ହୋଇ ନିଜର ସଙ୍ଗଠନକୁ ଅକ୍ଷୁଣ୍ଣ ରଖିଛନ୍ତି। ଏଣୁ ସଞ୍ଜୀବଙ୍କ ପାଇଁ କୌଣସି ଅସୁବିଧା ହେବ ନାହିଁ ବୋଲି କର୍ମୀମାନେ କହୁଛନ୍ତି।
ନିରଞ୍ଜନ ୨୦୧୯ ନିର୍ବାଚନରେ ଏହି ଆସନରୁ ପ୍ରାର୍ଥୀ ହୋଇଥିଲେ। ସେ ପ୍ରଫୁଲ୍ଲଙ୍କଠାରୁ ମାତ୍ର ୮୮୫୯ ଖଣ୍ଡ ଭୋଟରେ ପରାଜିତ ହୋଇଥିଲେ। ପ୍ରଫୁଲ୍ଲ ୭୦,୧୮୦ ଖଣ୍ଡ ଭୋଟ ପାଇଥିବା ବେଳେ ନିରଞ୍ଜନଙ୍କୁ ୬୧,୩୨୧ ଭୋଟ୍‌ ମିଳିଥିଲା। ୨୦୧୯ ନିର୍ବାଚନରେ ନିରଞ୍ଜନଙ୍କ ଭୋଟ ହାର ଯଥେଷ୍ଟ ବୃଦ୍ଧି ପାଇଥିଲା। ୨୦୧୪ ନିର୍ବାଚନରେ ୨୩.୨୮ ପ୍ରତିଶତ ଥିବାବେଳେ ୨୦୧୯ ନିର୍ବାଚନରେ ୩୫.୩୮ ପ୍ରତିଶତ ଥିଲା। ତେବେ ଏଥର ନିର୍ବାଚନରେ ନିରଞ୍ଜନ ଏହି ଆସନରୁ ୨ୟ ଥର ପ୍ରାର୍ଥୀ ହେବା ପରେ ଦଳୀୟ କର୍ମୀମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। କଂଗ୍ରେସ ଏହି ଆସନରୁ ନିଶ୍ଚୟ ବିଜୟୀ ହେବ ବୋଲି କର୍ମୀମାନେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।