ଡେଙ୍ଗୁ ଭଳି କମୁଛି କରୋନା ରୋଗୀଙ୍କ ପ୍ଲେଟଲେଟ!

ନୂଆଦିଲ୍ଲୀ,୧୪ ।୯: କରୋନା ଭାଇରସ ସଂକ୍ରମଣକୁ ନେଇ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ଏବେ ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଯାହା ଉଭୟ ଚିକିତ୍ସକ ଓ ରୋଗୀଙ୍କୁ ଚିନ୍ତାରେ ପକାଇ ଦେଇଛି । ସାଧାରଣତଃ ଡେଙ୍ଗୁ ହେଲେ ମାନବ ଶରୀରରେ ପ୍ଲେଟଲେଟ୍ କମ୍ ହୋଇ ଯାଇଥାଏ । ହେଲେ ଏବେ ଡାକ୍ତରମାନେ କହୁଛନ୍ତି ଯେ କରୋନା ରୋଗୀଙ୍କଠାରେ ମଧ୍ୟ ପ୍ଲେଟଲେଟ କମ୍ ହେଉଥିବା ଲକ୍ଷ୍ୟ କରାଗଲାଣି । କରୋନା ସଂକ୍ରମିତ ରୋଗୀଙ୍କ ପ୍ଲେଟଲେଟ ୨୦ ହଜାର ତଳକୁ ଖସି ଆସୁଛି ବୋଲି କୁହାଯାଉଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେତେବେଳେ ଜଣେ ରୋଗୀର ଡେଙ୍ଗୁ ପରୀକ୍ଷା କରାଯାଉଛି ତାଙ୍କ ନିକଟରେ ଡେଙ୍ଗୁର କୌଣସି ଲକ୍ଷଣ ଦେଖାଯାଉ ନ ଥିବା ବେଳେ ତାଙ୍କର ପ୍ଲେଟଲେଟ କିନ୍ତୁ କମ୍ ହୋଇଯାଉଛି । ପିଜିଆଇ ଲକ୍ଷ୍ନୌର ପ୍ରଫେସର ଅନୁପମ ବର୍ମା କହିଛନ୍ତି କରୋନା ରୋଗୀଙ୍କଠାରେ ଏବେ ଡେଙ୍ଗୁ ଭଳି ଲକ୍ଷଣ ଦେଖାଦେବା ଚିନ୍ତାର ବିଷୟ ପାଲଟିଛି । କରୋନାରେ ସଂକ୍ରମିତ ରୋଗୀଙ୍କର ହଠାତ୍ ପ୍ଲେଟଲେଟ କମ୍ ହୋଇଯିବା ଫଳରେ ଚିକିତ୍ସା କରିବା କଷ୍ଟକର ହୋଇ ପଡୁଛି । ସେ କହିଛନ୍ତି ଲୋକବନ୍ଧୁ ହସ୍ପିଟାଲର ଡାକ୍ତରଙ୍କୁ ଚିକିତ୍ସା ପାଇଁ ପିଜିଆଇରେ ଭର୍ତ୍ତି କରାଯାଇଥିଲା ଯାହାଙ୍କର ପ୍ଲେଟଲେଟ ୧୦ ହଜାର ତଳକୁ ଚାଲିଯାଇଥିବା ଦେଖାଯାଇଥିଲା । ପରୀକ୍ଷାରୁ ଜଣାପଡିଛି କରୋନା, ଜଣେ ବ୍ୟକ୍ତିଙ୍କ ଇମ୍ୟୁନୋ କମ୍ପେ୍ଲକ୍ସକୁ ପ୍ରଭାବିତ କରୁଛି । ଯେଉଁଥିରେ ମୋନୋସାଇଡ ଓ ମ୍ୟାକ୍ରୋଜେନ ସେଲ ଉପରେ ପଭାବ ପଡୁଛି । ଏହାଫଳରେ ବହୁପରିମାଣରେ ପ୍ଲେଟଲେଟ କାମରେ ଲାଗିଯାଉଛି । ହେଲେ ଯେଉଁ ପରିମାଣରେ ପ୍ଲେଟଲେଟ ତିଆରି ହେଉଛି ତା’ଠାରୁ ଯଥେଷ୍ଟ ଅଧିକ ଖର୍ଚ୍ଚ ହୋଇଯିବାରୁ ରୋଗୀଙ୍କ ପ୍ଲେଟଲେଟ କାଉଣ୍ଟ ହଠାତ୍ କମ୍ ହୋଇଯାଉଛି । ଏଭଳି ରୋଗୀଙ୍କ ଜୀବନ ସଙ୍କଟାପନ୍ନ ହୋଇ ଯାଉଥିବା ବେଳେ ତାଙ୍କୁ ପ୍ଲେଟଲେଟ ଦେବାକୁ ପଡୁଛି ଓ ପ୍ଲାଜମା ଥେରାପି ଦ୍ୱାରା ସେମାନଙ୍କର କରୋନା ଚିକିତ୍ସା ବି କରିବାକୁ ପଡୁଛି । ପ୍ରଥମେ କରୋନା ସଂକ୍ରମିତଙ୍କ ନିକଟରେ ଥମ୍ବୋସିସ ଭଳି ଲକ୍ଷଣ ଦେଖାଯାଉଥିଲା । ଏଥିରେ ରୋଗୀଙ୍କ ରକ୍ତରେ କ୍ଲଟ ହୋଇଯାଉଥିଲା ଓ ଏଥିପାଇଁ ରୋଗୀଙ୍କୁ ଟିପିଏ ଇଞ୍ଜେକସନ୍ ଦେବାକୁ ପଡୁଥିଲା । ଏଥିରେ କ୍ଲଟ ମିଳାଇ ଯାଉଥିଲା । ଆଉ ଏବେ ପ୍ଲେଟଲେଟ କମ୍ ହେବା ସବୁଠାରୁ ବଡ ଚିନ୍ତା ପାଲଟି ଯାଇଛି ।

Share