Categories: ଜାତୀୟ

ଗର୍ଭଯନ୍ତ୍ରଣା ହେଉଥିବା ମହିଳାଙ୍କୁ ଥାନାକୁ ନେଇଗଲା ପୋଲିସ, ଆଉ ତା’ପରେ

ଗାନ୍ଧୀନଗର,୧୫।୭: ଗୁଜୁରାଟର ବନାଶକାଣ୍ଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୋଲିସ ଅବହେଳା ଯୋଗୁ ଜଣେ ନବଜାତ ଶିଶୁର ମୃତ୍ୟୁ ହୋଇଛି। ପୀଡିତାଙ୍କ ପରିବାର ଅନୁଯାୟୀ, ଘରେ ଜଣେ ଗର୍ଭବତୀ ମହିଳାଙ୍କ ଗର୍ଭଯନ୍ତ୍ରଣା ହେଉଥିଲା। ଏହା ପରେ ପରିବାର ସଦସ୍ୟ ତାଙ୍କୁ ଡାକ୍ତରଖାନା ନେଉଥିଲେ। ଏହି ସମୟରେ ରାସ୍ତାରେ ଦୁଇଜଣ ପୋଲିସ ସେମାନଙ୍କୁ ଅଟକାଇ ଥିଲେ। ମାସ୍କ ପିନ୍ଧି ନ ଥିବାରୁ ସମସ୍ତଙ୍କୁ ପୋଲିସ ଷ୍ଟେଶନକୁ ନେଇଥିଲେ। ପୋଲିସ କର୍ମଚାରୀମାନେ ଦୀର୍ଘ ସମୟ ଧରି ଷ୍ଟେସନରେ ମାସ୍କ ନ ପିନ୍ଧିଥିବାରୁ ପ୍ରଶ୍ନ କରିଥିଲେ। ଏଥିରେ ଗର୍ଭବତୀ ମହିଳାଙ୍କୁ କଷ୍ଟ ହୋଇଥିଲେ ମଧ୍ୟ ବସିଥିଲେ। ପୋଲିସ ଷ୍ଟେସନ ଛାଡିବା ପରେ ଗର୍ଭବତୀ ମହିଳାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଆହୁରି ଖରାପ ହେବାକୁ ଲାଗିଲା। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ତାଙ୍କ ଅବସ୍ଥା ବିଗିଡି ଯାଇ ଡାକ୍ତରମାନେ ତାଙ୍କୁ ସହରର ବଡ ଡାକ୍ତରଖାନା ନେବାକୁ କହିଥିଲେ। ବାଟରେ ତାଙ୍କ ଅବସ୍ଥା ବିଗିଡି ଯାଇଥିଲା। ତାଙ୍କୁ ଏକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କର ସିଜରିଆନ ଅପରେସନ ହେବା ପରେ ଏକ ମୃତ ଶିଶୁ ବାହାରିଥିଲା।

ଏହା ପରେ ନବଜାତ ଶିଶୁର ମୃତ୍ୟୁରେ ଦୁଃଖିତ ପରିବାର ତାଙ୍କ ମୃତଦେହ ନେଇ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ। ତାଙ୍କ ମୃତଦେହକୁ ପୋଲିସ ଷ୍ଟେସନ ଟେବୁଲ ଉପରେ ରଖି ପରିବାର ଲୋକେ କାର୍ଯ୍ୟାନୁଷ୍ଠାନ ଦାବି କରିବା ଆରମ୍ଭ କରିଥିଲେ। ପରିବାର ଲୋକଙ୍କ କହିବାନୁସାରେ, ନବଜାତ ଶିଶୁର ମୃତ୍ୟୁ ପାଇଁ ପୋଲିସ ଦାୟୀ। ସମଗ୍ର ମାମଲାର ଗମ୍ଭୀରତାକୁ ଦେଖି ପୋଲିସ ଅଧୀକ୍ଷକ ଏହି ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଗୁଜରାଟରେ ଏପର୍ଯ୍ୟନ୍ତ କରୋନା ଜୀବାଣୁ ସଂକ୍ରମଣର ୪୨୭୨୨ ମାମଲା ରିପୋର୍ଟ ହୋଇଛି। କରୋନାରେ ୨୦୫୫ ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟରେ ୨୯୭୭୦ଲୋକ କରୋନା ଜୀବାଣୁ ଦ୍ୱାରା ଆରୋଗ୍ୟ ହୋଇଛନ୍ତି। ବର୍ତ୍ତମାନ ଗୁଜୁରାଟରେ କରୋନା ଜୀବାଣୁ ସଂକ୍ରମଣର ୧୦୮୯୭ ମାମଲା ସକ୍ରିୟ ଅଛି।

Share