ଶ୍ରୀଲଙ୍କାରେ ନୂଆ କ୍ୟାବିନେଟ୍‌

କଲମ୍ବୋ,୧୯।୪: ଗମ୍ଭୀର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବା ଶ୍ରୀଲଙ୍କାରେ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍‌ସେ ସୋମବାର ୧୭ ନୂଆ ମନ୍ତ୍ରୀଙ୍କୁ ନିଯୁକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍‌ସେଙ୍କ ବ୍ୟତୀତ ଗୋଟାବାୟାଙ୍କ ଅନ୍ୟ ଘନିଷ୍ଠ ସମ୍ପର୍କୀୟ ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିଛନ୍ତି। ପୂର୍ବରୁ ୩ ଜଣଙ୍କୁ ମନ୍ତ୍ରୀ ନିଯୁକ୍ତ କରାଯାଇଥିଲା। ଆର୍ଥିକ ସଙ୍କଟ ଯୋଗୁ ଶ୍ରୀଲଙ୍କାବାସୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ୧୯୪୮ରେ ଏହି ଦ୍ୱୀପଦେଶ ବ୍ରିଟିଶ ଶାସନରୁ ମୁକ୍ତ ହେବା ପରେ କେବେ ଏଭଳି ସଙ୍କଟର ସମ୍ମୁଖୀନ ହୋଇ ନ ଥିଲା। ବିଦେଶୀ ପୁଞ୍ଜି ଅଭାବରୁ ଅତ୍ୟାବଶ୍ୟକ ସାମଗ୍ରୀ ଆମଦାନି କରାଯାଇପାରୁ ନାହିଁ। ଫଳରେ ସେଠାରେ ଇନ୍ଧନ ସମସ୍ୟା ଦେଖାଦେବା ସହ ଦୀର୍ଘ ସମୟ ବିଦ୍ୟୁତ୍‌ କାଟ ହେଉଛି। ଏଥିସହିତ ବିଭିନ୍ନ ସାମଗ୍ରୀର ଦର ଆକାଶଛୁଆଁ ହୋଇଛି। ଆର୍ଥିକ ସଙ୍କଟ ପାଇଁ ଗୋଟାବାୟା ସରକାରଙ୍କୁ ଦାୟୀ କରାଯାଇ ତାଙ୍କ ଇସ୍ତଫା ଲାଗି ଦୀର୍ଘଦିନ ହେଲା ଦାବି ହୋଇଆସୁଛି। ସରକାର ବିରୋଧୀ ଆନ୍ଦୋଳନ ଦମନ ପାଇଁ ସରକାର ଜରୁରୀ ସ୍ଥିତି ସହ କେତେକ ଅଞ୍ଚଳରେ କର୍ଫ୍ୟୁ ଜାରି କରିଛନ୍ତି। ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ ପାଇଁ କ୍ୟାବିନେଟର ସବୁ ମନ୍ତ୍ରୀ କିଛିଦିନ ପୂର୍ବରୁ ଇସ୍ତଫା ଦେଇଥିଲେ।

Share