Categories: ଜାତୀୟ

ଆକ୍ସନ ମୁଡ୍‌ରେ ନୂଆ ମୁଖ୍ୟମନ୍ତ୍ରୀ: ଭାଜପା କର୍ମୀଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ଘର ଉପରେ ଚଢିଲା ବୁଲଡୋଜର

ଭୋପାଳ,୧୫।୧୨: ମଧ୍ୟପ୍ରଦେଶର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ଆରମ୍ଭରୁ ଆକ୍ସନ ମୁଡ୍‌ରେ ଅଛନ୍ତି। କ୍ଷମତାକୁ ଆସିବାର ଗୋଟିଏ ଦିନ ମଧ୍ୟରେ ପ୍ରଥମ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଭାଜପା କର୍ମୀଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ଘର ବୁଲ୍‌ଡୋଜର ଦ୍ୱାରା ଭଙ୍ଗାଯାଇଛି। ଅପରାଧକୁ ରୋକିବା ପାଇଁ ଭୋପାଳ ଜିଲା ପ୍ରଶାସନ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
କୋଲାର ଏସଡିଏମ ଆଶୁତୋଷ ଗୋସ୍ବାମୀଙ୍କ ନେତୃତ୍ୱରେ ପ୍ରଶାସନିକ କର୍ମଚାରୀମାନେ ଅଭିଯୁକ୍ତଙ୍କ ଘରେ ପହଞ୍ଚି ଭାଙ୍ଗିଥିଲେ। ଏହି ସମୟ ମଧ୍ୟରେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଭାରୀ ପୋଲିସ ଫୋର୍ସ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ,ଡିସେମ୍ବର ୩ରେ ଭୋଟ ଦେବା ପରେ ନିର୍ବାଚନୀ ହିଂସା ଘଟାଇ ଭାଜପା କର୍ମୀ ଦେବେନ୍ଦ୍ର ସିଂ ଠାକୁରଙ୍କୁ କଂଗ୍ରେସ ବିଧାୟକ ଆରିଫ ମାସୁଦଙ୍କ ସମର୍ଥକ ଫାରୁକ ରେନ୍‌, ଆସଲମ ଶାହରୁଖ, ବିଲାଲ ଏବଂ ସମୀର ଆକ୍ରମଣ କରିଥିଲେ। ସେମାନେ ଠାକୁରଙ୍କୁ ଆକ୍ରମଣ କରି ତାଙ୍କ ପାପୁଲି କାଟି ଦେଇଥିଲେ। ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏଠାରେ ବହୁ ବରିଷ୍ଠ ଭାଜପା ନେତା ତାଙ୍କୁ ଭେଟିବାକୁ ଆସିଥିଲେ।
ଏହାପୂର୍ବରୁ ମୋହନ ଯାଦବ ଧାର୍ମିକ ସମାବେଶ ତଥା ସର୍ବସାଧାରଣ ସ୍ଥାନରେ ଲାଉଡ ସ୍ପିକର/ ଡିଜେ ଉପରେ ନିଷେଧାଦେଶ ଜାରି କରିଥିଲେ। ଏହାସହ ମାଂସ, ମାଛ ଇତ୍ୟାଦି ବେଆଇନ କ୍ରୟ ଏବଂ ବିକ୍ରୟ ଯାଞ୍ଚ କରିବା ପାଇଁ ଏକ ଅଭିଯାନ ଘୋଷଣା କରିଥିଲେ।

Share