Categories: ଜାତୀୟ

ପ୍ରାୟ ୧୨ ସପ୍ତାହ ପାଇଁ କାର୍ଯ୍ୟ କରିବେ ନୂଆ ମୁଖ୍ୟମନ୍ତ୍ରୀ …

ଚଣ୍ଡିଗଡ଼,୧୯।୯: ପଞ୍ଜାବ କଂଗ୍ରେସରେ ସଙ୍କଟ ଦେଖାଦେଇଛି। ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂଙ୍କ ଇସ୍ତଫା ଦେବା ପରେ ନୂଆ ମୁଖ୍ୟମନ୍ତ୍ରୀ ଚୟନ ନେଇ ହାଇକମାଣ୍ଡ ଅଡୁଆରେ ପଡ଼ିଛନ୍ତି। ହାଇକମାଣ୍ଡ ଏନେଇ ଅମ୍ବିକା ସୋନୀଙ୍କୁ କହିଥିଲେ ମଧ୍ୟ ସେ ଏହାକୁ ପ୍ରତ୍ୟାଖାନ କରିଥିବା କୁହାଯାଉଛି। ଅମ୍ବିକା ସୋନୀ ରାଜ୍ୟରେ ଜଣେ ଶିଖଙ୍କୁ ଏହି ଦାୟିତ୍ୱ ଦେବାକୁ କହିଛନ୍ତି। ତେବେ ଚାରିଜଣ କଂଗ୍ରେସ ନେତା ସୁନୀଲ ଝାଖଡ଼, ନବଜୋତ ସିଂ ସିଦ୍ଧୁ, ସୁଖଜିନ୍ଦର ସିଂ ରାନ୍ଧୱା ଏବଂ ପ୍ରତାପ ସିଂ ବାଜୱାଙ୍କ ନାମକୁ ନେଇ ହାଇକମାଣ୍ଡ ଚର୍ଚ୍ଚା କରୁଛନ୍ତି।

ରାଜ୍ୟରେ ଯିଏବି ମୁଖ୍ୟମନ୍ତ୍ରୀ ହେବେ ସେ ମାତ୍ର ୧୨ ସପ୍ତାହ ପାଇଁ ଏହି ପଦବୀରେ ରହିବେ। ଏହାପରେ ପଞ୍ଜାବରେ ୨୦୨୨ରେ ବିଧାନସଭା ନିର୍ବାଚନ କରାଯିବ। ଆସନ୍ତା ବର୍ଷ ଫେବୃଆରୀ ମାସରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଜାନୁଆରୀରେ ନିର୍ବାଚନ ଆଚରଣ ସଂହିତା ଲାଗୁ ହେବାର ଆଶା ରହିଛି।

ଏଭଳି ପରିସ୍ଥିତିରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀଙ୍କୁ ନିଜର ଦକ୍ଷତା ପ୍ରଦର୍ଶନ ପାଇଁ ମାତ୍ର ୧୨ ସପ୍ତାହ ସମୟ ରହିବ। କିନ୍ତୁ ଏହାକୁ ନେଇ ଦଳରେ ଅସନ୍ତୁଷ୍ଟଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ଯାହାର ପ୍ରଭାବ ରାଜ୍ୟ ବିଧାନସଭା ନିର୍ବାଚନରେ ପଡ଼ିବ। ପଞ୍ଜାବରେ ଅମରିନ୍ଦର ସିଂ ବେଶ୍‌ ଲୋକପ୍ରିୟ। ତାଙ୍କୁ ହଟାଇ କଂଗ୍ରେସ ଅଡୁଆରେ ପଡ଼ିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜାରି ରହିଛି।

Share