ବାଲିଯାତ୍ରା ପାଇଁ ଗଠନ ହେବ ନୂଆ କମିଟି

କଟକ,୩ା୧୦(କାର୍ତ୍ତିକ ସାହୁ): ଚଳିତ ବର୍ଷ ବାଲିଯାତ୍ରା ଆୟୋଜନ ଦାୟିତ୍ୱରୁ କଟକ ମହାନଗର ନିଗମ (ସିଏମ୍‌ସି)କୁ ଅନ୍ତର କରାଯାଇଥିବା ନେଇ ପ୍ରଚାରିତ ଗୁଜବକୁ ଶୁକ୍ରବାର ଖଣ୍ଡନ କରାଯାଇଛି। କଟକ ଜିଲା ସାଂସ୍କୃତିକ ପରିଷଦର ଗୋଚରକୁ ଏପରି ଗୁଜବ ଆସିବା ପରେ ଏନେଇ ପ୍ରେସ୍‌ ଇସ୍ତାହାର ମାଧ୍ୟମରେ ଗୁଜବ ସମ୍ପୂର୍ଣ୍ଣ ଭାବେ ମିଥ୍ୟା ଓ ଭ୍ରମାତ୍ମକ ବୋଲି କୁହାଯାଇଛି। ଅପରପକ୍ଷରେ ଚଳିତ ବାଲିଯାତ୍ରାର ସୁପରିଚାଳନା ପାଇଁ କଟକ ମହାନଗର ନିଗମ, କଟକ ଉନ୍ନୟନ କର୍ତ୍ତୃପକ୍ଷ, ସହରାଞ୍ଚଳ ପୋଲିସ ଆଦି ସହଯୋଗୀ ଅନୁଷ୍ଠାନଗୁଡ଼ିକୁ ନେଇ ଏକ କମିଟି ଗଠନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

କଟକ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ହେବାକୁ ଥିବା ଉକ୍ତ କମିଟିରେ ସିଏମ୍‌ସି କମିଶନର ଆବାହକ ସଦସ୍ୟ ଭାବେ ରହିବାକୁ ସ୍ଥିର ହୋଇଛି। ତେଣୁ ବାଲିଯାତ୍ରା ପରିଚାଳନାରୁ ସିଏମ୍‌ସିକୁ ବାଦ୍‌ ଦିଆଯିବାର ପ୍ରଶ୍ନ ଉଠୁନାହିଁ ବୋଲି କୁହାଯାଇଛି। କଟକର ଗର୍ବ ହେଉଛି କଟକ ବାଲିଯାତ୍ରା। ତେଣୁ ବାଲିଯାତ୍ରାକୁ ସରସ ସୁନ୍ଦର କରିବା ପାଇଁ ଜନସାଧାରଣଙ୍କଠାରୁ ଆରମ୍ଭ କରି ସବୁସ୍ତରରୁ ସହଯୋଗ ଓ ଉଦ୍ୟମ ଲୋଡ଼ା ବୋଲି ପରିଷଦ ପକ୍ଷରୁ କୁହାଯାଇଛି।