ନୂଆ କରୋନା ଭାରିଆଣ୍ଟ୍‌ , ଡେଲ୍ଟାଠାରୁ ବି ଭୟଙ୍କର..

ଜେନେଭା,୨।୯: ପୃଥିବୀରେ କରୋନା ମହାମାରୀର ଆତଙ୍କ ଜାରି ରହିଛି। ମହାମାରୀରୁ ଦୂରେଇ ରହିବା ପାଇଁ ଟିକାକରଣ ଅଭିଯାନ ମଧ୍ୟ ଜୋରସୋରରେ ଚାଲିଛି। ତଥାପି, ଏହି ଭୁତାଣୁର ବିଭିନ୍ନ ଭାରିଆଣ୍ଟ ସୃଷ୍ଟି ହେବାରେ ଲାଗିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ବର୍ତ୍ତମାନ ଅନ୍ୟ ଏକ ନୂତନ କରୋନା ଭାରିଆଣ୍ଟ୍‌ ‘ମ୍ୟୁ’କୁ ଟ୍ରାକିଂ କରିବା ଆରମ୍ଭ ହୋଇଛି।

କଲମ୍ବିଆରେ‘ମ୍ୟୁ’ଭାରିଆଣ୍ଟର କେତେକ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହା ବି-୧-୬୨୧ର ଅନ୍ୟ ଏକ ରୂପ। ଏହା ପ୍ରଥମେ ଚଳିତ ବର୍ଷ ଜାନୁଆରୀରେ ଚିହ୍ନଟ ହୋଇଥିଲା। ଏହି ଭାରିଆଣ୍ଟ୍‌ରେ ଆକ୍ରାନ୍ତ ୪ ହଜାର ମାମଲା ୪୦ ରୁ ଅଧିକ ଦେଶରେ ଚିହ୍ନଟ କରାଯାଇଛି। ‘ମ୍ୟୁ’ ଭାରିଆଣ୍ଟ ବିଷୟରେ ଏବେ ଚିନ୍ତା ବଢ଼ିବାରେ ଲାଗିଛି। ଡବ୍ଲ୍ୟୁଏଚ୍‌ଓ ଅନୁସାରେ ଏହା ଡେଲ୍ଟା ଭାରିଆଣ୍ଟଠାରୁ ମଧ୍ୟ ଅଧିକ ଭୟଙ୍କର। ଏହା ଟିକାକୁ ଅକାମୀ କରିପାରେ ଏବଂ ଅଧିକ ବେଗରେ ସଂକ୍ରାମଣ ମଧ୍ୟ କରିବାକୁ ସକ୍ଷମ।

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ରିପୋର୍ଟରେ କୁହାଯାଇଛି, ଜାନୁଆରୀ ୨୦୨୧ରେ କଲମ୍ବିଆରେ ‘ମ୍ୟୁ’ ଭାରିଆଣ୍ଟ ଦେଖାଦେଇଥିଲା। ଏହା ଦକ୍ଷିଣ ଆମେରିକା ଏବଂ ୟୁରୋପ ସହିତ ଅନ୍ୟ ଦେଶଷଣ ପହଞ୍ଚିଛି। ତେବେ ଏହାଦ୍ୱାରା ଆକ୍ରାନ୍ତ ହୋଇଥିବା ଲୋକଙ୍କ ସଂଖ୍ୟା ୦.୧ ପ୍ରତିଶତରୁ କମ୍‌ ରହିଛି। ତେବେ ସତର୍କ ନହେଲେ ଆଗାମୀ ଦିନରେ ଏହା ତାଣ୍ଡବ ରଚିବା ଆଶଙ୍କା ଥିବା ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।

Share