କରୋନା ପରେ ଏବେ ଆମେରିକା ଉପରେ ମାଡି ଆସୁଛି ଆଉ ଏକ ବିପଦ!

ଓ୍ବାଶିଂଟନ,୨୨।୮: ଆମେରିକାର ଫ୍ଲୋରିଡା ଉପକୂଳ ଓ ଗଲ୍ଫ କୋଷ୍ଟରେ ସୋମବାର କିମ୍ବା ମଙ୍ଗଳବାର ସୁଦ୍ଧା ବାତ୍ୟା(ଲଉରା) ସ୍ଥଳଭାଗ ଛୁଇଁବାର ଅନୁମାନ କରିଛି ପାଣିପାଗ ବିଭାଗ। ଏବେ ଏହି ସାଇକ୍ଲୋନିକ ଷ୍ଟର୍ମ ପୂର୍ବ କୈରେବିୟାରେ ଥିବା ବେଳେ ଏହା ବ୍ୟତୀତ ଆଉ ଏକ ସାଇକ୍ଲୋନିକ ଷ୍ଟର୍ମ ମେକ୍ସିକୋର ୟୁକେଟନ ଦ୍ୱୀପ ନିକଟରେ ଥିବାରୁ ଏହା ଆମେରିକାରେ ସ୍ଥଲଭାଗ ଛୁଇଁବା ଅନୁମାନ କରାଯାଇଛି। ଆମେରିକା ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶୁକ୍ରବାର ଏହି ସାମୁଦ୍ରିକ ଘୂର୍ଣ୍ଣିଝଡ଼ ଉତ୍ତର ଲିଓ୍ବାର୍ଡ ଦ୍ୱୀପର ପୂର୍ବ-ଦକ୍ଷିଣ ପୂର୍ବରେ ୩୭୦ କିଲୋମିଟର ଦୂରରେ ରହିଥିଲା। ଏହାର ପ୍ରଭାବରେ ଏବେ ସେଠାରେ ୭୫ କିଲୋମିଟର ବେଗରେ ପବନ ବହୁଛି। ଏହାସହ ଘଣ୍ଟାପ୍ରତି ୩୩ କିଲୋମିଟର ହିସାବରେ ଏହା ପଶ୍ଚିମକୁ ଗତି କରୁଛି ବୋଲି କୁହାଯାଇଛି। ଏହା ବେଳେକୁ ବେଳେ ଭୟଙ୍କର ହୋଇ ସୋମବାର କିମ୍ବା ମଙ୍ଗଳବାର ସୁଦ୍ଧା ଫ୍ଲୋରିଡା ଉପକୂଳରେ ମାଡ ହେବ ବୋଲି ଅନୁମାନ କରାଯାଇଛି। ଚଳିତ ବର୍ଷ ୧୬ରୁ ଅଧିକ ବାତ୍ୟା ଆସିବାର ପୂର୍ବାନୁମାନ କରାଯାଇଛି। କଲରାଡୋ ଷ୍ଟେଟ ୟୁନିଭର୍ସିଟିର ବୈଜ୍ଞାନିକମାନେ କହିଛନ୍ତି ଚଳିତ ବର୍ଷ ସାରା ବିଶ୍ୱରେ ୧୬ରୁ ଅଧିକ ସାମୁଦ୍ରିକ ଝଡ ଆସିବାର ସମ୍ଭାବନା ରହିଛି। ଏଥିରେ ୮ଟି ହରିକେନ ମଧ୍ୟ ରହିଛି। ଏଥିମଧ୍ୟରୁ ୪ଟି ହରିକେନ ଅତି ଭୟଙ୍କର ବୋଲି ପୂର୍ବାନୁମାନ କରାଯାଇଛି। କରୋନା ମହାମାରୀ ସହ ଏଭଳି ପ୍ରାକୃତିକ ବିପଦକୁ ବିଶ୍ୱବାସୀ ସାମ୍ନା କରିବେ ବୋଲି ବିଶେଷଜ୍ଞମାନେ କହିଛନ୍ତି।

Share